ଭାଙ୍ଗିଲା ୧୫୦ ବର୍ଷର ପରମ୍ପରା, ‌ମେଳଣ ପଡ଼ିଆରେ ଥାନପତି ଏକା

ଭାଙ୍ଗିଲା ୧୫୦ ବର୍ଷର ପରମ୍ପରା, ‌ମେଳଣ ପଡ଼ିଆରେ ଥାନପତି ଏକା

ଖଣ୍ଡଗିରି: ମହାମାରୀ କରୋନା ପାଇଁ ଚଳିତ ବର୍ଷ ଗ୍ରାମ୍ୟ ଜୀବନର ସବୁ ବିଧି ବିଧାନ ଓ ପରମ୍ପରା ଅଧୁରା ହୋଇଯାଇଛି। ତେଣୁ ଭଗବତ ମେଳଣ ମଧ୍ୟ କରୋନା କଟକଣାରୁ ବାଦ୍ ପଡ଼ିନାହିଁ। ଅତିଥି ଠାକୁରମାନଙ୍କ ବିନା ଏହି ମେଳଣ ସମାହିତ ହୋଇଛି। ଜମାଣ ପର୍ବରେ ବାଜାବାଣ ରୋଶଣି ନଥିଲା କି ହରିଭେଟରେ ଭକ୍ତିରସର ଅବିର ଖେଳ ନଥିଲା। କେବଳ ବିଧି ରକ୍ଷା ପାଇଁ ଥାନପତି ମେଳଣ ପଡ଼ିଆରେ ଏକୁଟିଆ ଉପସ୍ଥିତ ରହି ପୂଜା ପାଇଥିଲେ। ଯେଉଁ ମେଳଣ ପଡ଼ିଆ ରାତି ରାତି ଧରି ଅପେରା ପାର୍ଟିରେ ପ୍ରକମ୍ପିତ ହେଉଥିଲା, ଚଳିତ ବର୍ଷ ସେଠି ଗଭୀର ନିସ୍ତବ୍ଦତା ରାଜୁତି କରିଥିଲା।

ରାଜଧାନୀ ଉପକଣ୍ଠ ଭୁବନେଶ୍ବର ବ୍ଲକର ମହୁରା ଓ ପାଇକରାପୁର ଏବଂ ଜଟଣୀ ବ୍ଲକର ଭାତଖୁରୀ-ଗଙ୍ଗପଡ଼ା, ଗମେଇ-ଗ୍ରାମଡିହ ଓ ପଳାସପୁରରେ ଏହି ଭଗବତ ମେଳଣ ସମାହିତ ହୋଇଛି। ପ୍ରତିବର୍ଷ ମହୁରାରେ ୨୧ ଦୋଳବିମାନ, ପାଇକରାପୁରରେ ୩୦, ଭାତଖୁରୀ-ଗଙ୍ଗପଡ଼ାରେ ୩୫, ପଳାସପୁରରେ ୧୮ ଓ ଗମେଇ-ଗ୍ରାମଡିହରେ ୨୦ ଦୋଳବିମାନ ଏକାଠି ହୋଇଥାଆନ୍ତି। ଜମାଣ ରାତିରେ ଭଗବତ ପୋଥି ଦେବତାଙ୍କୁ ସୁସଜ୍ଜିତ ଦୋଳବିମାନରେ ଶୋଭାଯାତ୍ରାରେ ମେଳଣ ପଡ଼ିଆକୁ ନିଆଯାଇଥାଏ। ପରଦିନ ଆଖପାଖ ଗାଁର ନିମନ୍ତ୍ରିତ ଅତିଥି ଠାକୁରମାନେ ଦୋଳ ବିମାନ ଚଢ଼ି ମେଳଣ ପଡ଼ିଆରେ ଜମା ହୁଅନ୍ତି। ରାତିରେ ଅପେରା ପାର୍ଟି ଯାତ୍ରା ପରିବେଷଣ କରନ୍ତି। ଶେଷ ପର୍ଯ୍ୟାୟରେ ହରିହର ଭେଟ ପର୍ବ ସମାହିତ ହୁଏ ଓ ଅତିଥି ଠାକୁରମାନେ ମେଲାଣି ନିଅନ୍ତି। କିନ୍ତୁ ଚଳିତ ବର୍ଷ ସବୁ ବନ୍ଦ ହୋଇଯାଇଛି। କେବଳ ବିଧି ପାଳନ ପାଇଁ ଥାନପତିଙ୍କୁ ଦୋଳ ବିମାନରେ ମେଳଣ ପଡ଼ିଆକୁ ନିଆଯାଇଛି। ନିରାଡ଼ମ୍ବର ଭାବେ ଜମାଣ ଅନୁଷ୍ଠିତ ହୋଇଛି। ତାଲାବନ୍ଦ ଓ ସାମାଜିକ ଦୂରତା ପାଳନ କରିବାକୁ ଯାଇ ପାଖ ଗାଁର ଅତିଥି ଠାକୁରମାନଙ୍କୁ କେବଳ ମହାପ୍ରସାଦ ପଠାଇ ନିମନ୍ତ୍ରଣ କରାଯାଇଥିଲା ସିନା ସେମାନେ ମେଳଣ ପଡ଼ିଆକୁ ଆସିପାରିନଥିଲେ। ତେଣୁ ମେଳଣ ପଡ଼ିଆରେ ଥାନପତି ଏକୁଟିଆ ହୋଇଯାଇଥିଲେ। ରାତିରେ କର୍ମକର୍ତ୍ତାମାନେ ମେଳଣ ପଡ଼ିଆରେ ଶୋଇ ଠାକୁରଙ୍କୁ ଜଗି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe