ମୁକ୍ତ ଚିନ୍ତନ ମଞ୍ଚର ୧୭୫ତମ ୱେବିନାର୍‌: ଛାପା ଓ ଇ-ପୁସ୍ତକ ପରସ୍ପରର ବିକଳ୍ପ

Advertisment
ମୁକ୍ତ ଚିନ୍ତନ ମଞ୍ଚର ୧୭୫ତମ ୱେବିନାର୍‌: ଛାପା ଓ ଇ-ପୁସ୍ତକ ପରସ୍ପରର ବିକଳ୍ପ

ଭୁବନେଶ୍ବର,: ଭିଜାମାଟିର ବାସ୍ନା‌ ଭଳି ଭଲ ପୁସ୍ତକଟିଏର ମହକ ମଣିଷକୁ ବିମୋହିତ କରି ଦିଏ। ପୋଷ୍ଟକାର୍ଡ, ଟାଇପ୍‌ ରାଇଟର୍‌ ଓ ଟେଲିଫୋନ୍‌ ଡିରେକ୍‌ଟାରି ଭଳି ଜିନିଷ ଯେଉଁ ଭଳି ଧୀରେଧୀରେ ଉଭାନ ହୋଇଗଲାଣି, ଛପା ବହି ସେମିତି ସହଜରେ ଉଭା‌ନ ହୋଇପାରିବ ନାହିଁ। ଯେତେବେଳେ ଟେଲିଭିଜନ୍‌ ଆରମ୍ଭ ହୋଇଥିଲା, ସେତେବେଳେ ଖବରକାଗଜ ଲୋପ ପାଇଯିବ ବୋଲି ଆମେ ଶଙ୍କା କରୁଥିଲୁ। କିନ୍ତୁ ଟେଲିଭିଜନ୍‌ ସହ ତାଳ ଦେଇ ଏବେ ଖବରକାଗଜ ବି ପାଠକୀୟ ଆଦୃତି ପାଇ ପାରିଛି। ଠିକ୍‌ ସେହିଭଳି ଇ-ପୁସ୍ତକ କେବେ ବି ଛାପା ପୁସ୍ତକର ସ୍ଥାନ ନେଇପାରିବ ନାହିଁ। ଇ-ପୁସ୍ତକ ଓ ଛାପା ପୁସ୍ତକ ପରସ୍ପରର ବିକଳ୍ପ ବୋଲି କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ। ଆଜି ଭାରତୀୟ ବିଦ୍ୟାଭବନ ଓ ମୁକ୍ତ ଚିନ୍ତନ ମଞ୍ଚ ଆନୁକୂଲ୍ୟରେ ‘ଛାପା ବହିର ମହକ ରହିବ କି ଆଉ?’ ଶୀର୍ଷକ ୱେବିନାର୍‌ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଦାସ ଆହୁରି କହିଥିଲେ, ଛାପା ପୁସ୍ତକ ଓ ଇ-ପୁସ୍ତକକୁ ନେଇ ଆଲୋଚନା କରାଯିବା ଅପେକ୍ଷା ପାଠକମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧିକୁ ନେଇ ଆଲୋଚନା କରାଯିବା ଉଚିତ।

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହେତାଙ୍କ ସଭାପତିତ୍ବ‌‌‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକା ଯଶୋଧାରା ମିଶ୍ର, ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି, କାଦମ୍ବିନୀର ସଂପାଦିକା ଇତି ସାମନ୍ତ, ବ୍ଲାକ୍‌ ଇଗଲ୍‌ ବୁକ୍‌ସ୍‌ର ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ, ଏ.କେ. ମିଶ୍ର ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଅରୁଣ ମିଶ୍ର, ନାଇଜର୍‌ର କୁଳସଚିବ ଅଭୟ କୁମାର ନାୟକ, ରାଜଧାନୀ ପୁସ୍ତକ ମେଳାର ସଭାପତି ଉପେନ୍ଦ୍ର କୁମାର ଜେନା, ଅତିରିକ୍ତ ଉପ ଆରକ୍ଷୀ କମିସନର୍‌ ପ୍ରାଣକୃଷ୍ଣ ରାଉତ ଓ ରୁତପଲ୍ଲୀ ବିଦ୍ୟାପୀଠର ଶିକ୍ଷୟିତ୍ରୀ ତନ୍ଦ୍ରାଳସା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ, ଛାପା ପୁସ୍ତକଟିଏ ଧରି ପଢ଼ିବାରେ ଯେଉଁ ଅନୁଭବ, ତାହା ଇ-ପୁସ୍ତକରେ ନଥାଏ। ମଣିଷ, ଅସ୍ତିତ୍ବ ଥିବା ଜିନିଷରେ ବିଶ୍ବାସ କରେ। ଯାହା ସେ ଧରି ପାରୁଥିବ, ଛୁଇଁପାରୁଥିବ। ଏଣୁ ଛାପା ବହି ଯୁଗେ ଯୁଗେ ରହିବ। କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଭିନ୍ନ ମତ ଦେଇ କହିଲେ, କାଳେ କାଳେ ବହି ତାର ପୋଷାକ ବଦଳାଇଛି। ଆଉ ସବୁ ରୂପରେ ଗ୍ରହଣୀୟ ହୋଇଛି। ପୂର୍ବକାଳରେ ମୁନିଋଷିମାନେ ଧ୍ବନି ସାହାଯ୍ୟ‌ରେ ଜ୍ଞାନ ବାଣ୍ଟୁଥିଲେ। ସେତେବେଳେ ପୁସ୍ତକର ପୋଷାକ ଥିଲା ଧ୍ବନି। ଧୀରେଧୀରେ ଏହା ତାଳପତ୍ର, ଚମଡ଼ା ଓ ଛାପା କାଗଜ ଭଳି ପୋଷାକର ରୂପ ନେଲା। ଏସବୁ ରୂପରେ ପୁସ୍ତକ ଏହାର ଆଦୃତି ଲଭିଲା। ଏବେ ଏହା ଡିଜିଟାଲ୍‌ ପୋଷାକ ପିନ୍ଧି ଇ-ପୁସ୍ତକର ରୂପ ନେବାକୁ ଯାଉଛି। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ପୁସ୍ତକର ବାସ୍ନା ଏହାର ବିଷୟବସ୍ତୁ ଓ ସାମଗ୍ରିକ ଚିନ୍ତାଧାରା ହୋଇଥିବା ବେଳେ ସବୁ ରୂପରେ ପୁସ୍ତକର ଅସ୍ତିତ୍ବ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅବସରରେ ଅଚ୍ୟୁତାନନ୍ଦ ପତିଙ୍କ ‘କଥା ଦଶକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ମୁକ୍ତଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ପରିଚାଳନା କରିଥିଲେ। ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଜଣାଇଥିଲେ ଓ ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ କର୍ଣ୍ଣେଲ ପ୍ରସନ୍ନ କୁମାର ସାହୁ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe