୨୦୦ ଫୁଟିଆ ରାସ୍ତା ଅନ୍ଧାର: ବଢ଼ୁଛି ଦୁର୍ଘଟଣା, ଚୋରି ଭୟ ଘାରୁଛି

Advertisment
୨୦୦ ଫୁଟିଆ ରାସ୍ତା ଅନ୍ଧାର: ବଢ଼ୁଛି ଦୁର୍ଘଟଣା, ଚୋରି ଭୟ ଘାରୁଛି

ଚନ୍ଦ୍ରଶେଖରପୁର: ଏକାମ୍ର କାନନଠାରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ୨୦୦ ଫୁଟିଆ ରାସ୍ତା କାମ ଶେଷ ହେଉନାହିଁ। ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇପାରୁ ନ ଥିବାରୁ ରାସ୍ତା କାମ ଘୁଞ୍ଚିଘୁଞ୍ଚି ଚାଲିଛି। କେବେ ଶେଷହେବ ସେନେଇ କାହା ପାଖରେ ଉତ୍ତର ନଥିବା ବେଳେ ‌ଏବେ ନୂଆରାସ୍ତା ଅନ୍ଧାର ହେବାକୁ ବସିଲାଣି। ଦୈନିକ ହଜାର ହଜାର ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ହାତିଆଶୁଣି ପଡ଼ିଆଠାରୁ ଓଇଆରସି ପର୍ଯ୍ୟନ୍ତ ସରିଥିବା ରାସ୍ତାକୁ ୫ ମାସ ତଳେ ଆଲୋକୀକରଣ କରାଯାଇଛି। ରଙ୍ଗୀନ ଆଲୋକମାଳା ସହ ଦୁଇ ପାର୍ଶ୍ବରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା। ମାତ୍ର ଏବେ ଏହି ରାସ୍ତା ଅବସ୍ଥା ନ କହିବା ଭଲ। କେଉଁଠି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଛି ତ ଆଉ କେଉଁଠି ଅଚଳ। କେତେକ ସ୍ଥାନରେ ରଙ୍ଗୀନ ଆଲୋକମାଳା ଖୁଣ୍ଟରୁ ତଳକୁ ଖସି ପଡ଼ିଛି। ସ୍ଥାନେ ସ୍ଥାନେ ଖୁଣ୍ଟରେ ‌ଲଗାଯାଇଥିବା ଆଲୋକମାଳା ଚୋରି ହୋଇଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ଥିବା ବସ୍ତିବାସିନ୍ଦା ଲୁହାବାଡ଼ ଡେଇଁ ଡିଭାଇଡର ମଧ୍ୟରେ ଥିବା ଖୁଣ୍ଟଗୁଡ଼ିକରେ ଲାଗିଥିବା ଲାଇଟ୍‌କୁ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି।

ହାତିଆଶୁଣିଠାରୁ ଉତ୍କଳ ହସ୍ପିଟାଲ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ସମ୍ପୂର୍ଣ୍ଣ ଆଲୋକୀକରଣ ହୋଇଥିଲେ ମଧ୍ୟ ଏବେ ଅଧିକାଂଶ ଅଚଳ ହୋଇଯାଇଛି। ଯେଉଁଥିପାଇଁ ପଥଚାରୀଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ୨କିମି ଲମ୍ବର ଏହି ରାସ୍ତାର ସନ୍ଧ୍ୟା ହେଲେ ଗୋଟିଏ ପଟ ଅନ୍ଧାର ହୋଇଯାଉଛି। ପ୍ରତିଦିନ ସେ ରାସ୍ତାର କେଉଁଠି ନା କେଉଁଠି ଗୋଟିଏ ଦୁଇଟି ଦୁର୍ଘଟଣା ଏବେ ବି ଘଟୁଛି। ଅପରାହ୍‌ଣରେ ଜନଗହଳି ହେବା ସହ ସନ୍ଧ୍ୟାରେ ଯୁବକ ଯୁବତୀ ଏହି ରାସ୍ତାକୁ ପାର୍କ ଭାବେ ବ୍ୟବହାର କରୁଛନ୍ତି। ଲୋକେ କେବେ କେବେ ସେମାନଙ୍କୁ ଅସଂଜତ ଅବସ୍ଥାରେ ଦେଖୁଛନ୍ତି। ତେଣୁ ତୁରନ୍ତ ଆଲୋକୀକରଣ ମରାମତି ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ରାସ୍ତା କିଛିଦିନ ତଳେ ଚକାଚକ୍‌ ହେବା ସହ ଆଲୋକୀକରଣ ହୋଇଥିବାରୁ ଡିଭାଇଡ୍‌ରର ଶୋଭା ବୃଦ୍ଧି ପାଇଥିଲା। ମାତ୍ର ଏବେ ଆଉ ଆଗଭଳି ଚମକ ନାହିଁ। କେବଳ ସେତିକି ନୁହେଁ, ଉତ୍କଳ ହସ୍ପିଟାଲରୁ ଓଇଆରସି ପର୍ଯ୍ୟନ୍ତ ହୋଇଥିବା ୬ ଲେନ୍‌ର ଦୁଇ ଥାକିଆ ରାସ୍ତା ଏବେ ସମ୍ପୂର୍ଣ୍ଣ ଅନ୍ଧାର। ଦୁଇ ପାର୍ଶ୍ବରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଜଳୁ ନ ଥିବାରୁ ୩ଦିନ ହେଲା ରାସ୍ତାରେ ଯିବା ସମୟରେ ଲୋକେ ହଟହଟା ହେଉଛନ୍ତି। ରାସ୍ତା ନିକଟରେ ବସ୍ତି ରହିଥିବାରୁ ରାତିରେ ଯାଉଥିବା ଗାଡ଼ି ଚାଳକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ହଠାତ୍‌ କିଏ କେଉଁଠି ଗାଡ଼ି ଆଗକୁ ପଶି ଆସୁଛନ୍ତି, ତାହା ଜଣାପଡ଼ୁ ନାହିଁ। ରାସ୍ତାରେ ଥିବା ହମ୍ପସ୍‌ଗୁଡ଼ିକ ଅନ୍ଧାରରେ ଦେଖା ଯାଉ ନ ଥିବାରୁ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe