ଭୁବନେଶ୍ବର, ୨୪।୬(ଇମିସ): ଓଡ଼ିଶା ଇଂଜିନିୟରିଂ ସେବା ସଂଘ (ଓଇଏସ୍ଏ)ର ୫୩ତମ ଅଧିବେଶନ ଓ ଦ୍ବିବାର୍ଷିକ ସାଧାରଣ ବୈଠକ ଆଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଯୋଗ ଦେଇଥିଲେ। ଓଡ଼ିଶାର ଜଳ ସମ୍ପଦ, ପୂର୍ତ୍ତ ଏବଂ ଗୃହ ଓ ନଗର ଉନ୍ନୟନ ଯନ୍ତ୍ରୀ କ୍ୟାଡରର ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଯନ୍ତ୍ରୀ ଯୋଗ ଦେଇଥିଲେ। ଆଗାମୀ ୫୪ତମ ଅଧିବେଶନ ନିମନ୍ତେ କାର୍ଯ୍ୟକର୍ତ୍ତା ଚୟନ କରିବା ସହ କାର୍ଯ୍ୟକ୍ଷେତ୍ରରେ ସେମାନେ ହେଉଥିବା ସମ୍ମୁଖୀନ ଅସୁବିଧା ବିଷୟରେ ଆଲୋଚନା କରିଥିଲେ।
ସେବାସଂଘର କର୍ମକର୍ତ୍ତାମାନେ ସରକାରଙ୍କୁ ଯନ୍ତ୍ରୀ ସେବାର ପୁନର୍ବିନ୍ୟାସ ନିମନ୍ତେ ଧନ୍ୟବାଦ ଦେଇଥିଲେ। ଏଥିସହ ସେବା ସର୍ତ୍ତାବଳୀର ଆବଶ୍ୟକ ପରିବର୍ତ୍ତନ କରିବା ସହ ଠିକ୍ ସମୟରେ ପଦୋନ୍ନତି ଏବଂ ପ୍ରତିବର୍ଷ ଯନ୍ତ୍ରୀ ନିଯୁକ୍ତି ଦେବା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ଯନ୍ତ୍ରୀ ସେବା ସହ ଅନ୍ୟ ପ୍ରାଦେଶିକ ସେବାଗୁଡ଼ିକ ମଧ୍ୟରେ ଥିବା ଅସାମଞ୍ଜସ୍ୟତା ଦୂରୀକରଣ ସହ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ସ୍ନାତକ ଯନ୍ତ୍ରୀମାନଙ୍କ ନିମନ୍ତେ ୭୫ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ତାଲିମ ଓ ଦକ୍ଷତା ବୃଦ୍ଧି ନିମନ୍ତେ ଏକକ ନିୟାମକ, ଯନ୍ତ୍ରୀମାନଙ୍କ ନିମନ୍ତେ ଏକୀକୃତ ସ୍ଥାନାନ୍ତରଣ ନୀତି ଆଦି ବିଭିନ୍ନ ଦାବିଗୁଡ଼ିକ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଇଂ ରବୀନ୍ଦ୍ର ନାଥ ମଲ୍ଲିକ, ସମ୍ପାଦକ ଭାବେ ଅମୀୟ ରଂଜନ ନାୟକ ଏବଂ କୋଷାଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ଭାବେ ଇଂ ପ୍ରଫୁଲ ବେହେରା ନିର୍ବାଚିତ ହୋଇଛନ୍ତି। ଇଂ ଦେବବ୍ରତ ମହାନ୍ତି ଧନ୍ୟବାଦ ଦେଇଥିଲେ।
Follow Us