କନ୍ତିଆରେ ବେଧଡ଼କ ମୋରମ୍ ଖୋଳା: ପୁଣି ଚାଲିଲାଣି ଚଢ଼ଉ ହୋଇଥିବା ଖଣି

ଜଟଣୀ ତହସିଲ୍ ଅଞ୍ଚଳରେ ବେଧଡ଼କ ଲୁଟ୍ ଚାଲିଛି ଲଘୁ ଖଣିଜ ସମ୍ପଦ। ଜମି, ଆଡ଼ି ବନ୍ଧ, ରାସ୍ତା କଡ଼ ଆଦି ସରକାରୀ ଜାଗାରୁ ମାଫିଆମାନେ ମୋରମ୍ ତାଡ଼ି ଚାଲାଣ କରୁଛନ୍ତି। ଚୋରା କାରବାର ଯୋଗୁ ମାଫିଆମାନେ ମାଲାମାଲ୍ ହେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି।

sfsfxcxcdxxx

ଜଟଣୀ: ଜଟଣୀ ତହସିଲ୍ ଅଞ୍ଚଳରେ ବେଧଡ଼କ ଲୁଟ୍ ଚାଲିଛି ଲଘୁ ଖଣିଜ ସମ୍ପଦ। ଜମି, ଆଡ଼ି ବନ୍ଧ, ରାସ୍ତା କଡ଼ ଆଦି ସରକାରୀ ଜାଗାରୁ ମାଫିଆମାନେ ମୋରମ୍ ତାଡ଼ି ଚାଲାଣ କରୁଛନ୍ତି। ଚୋରା କାରବାର ଯୋଗୁ ମାଫିଆମାନେ ମାଲାମାଲ୍ ହେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି। ଗୋଟିଏ ପଟେ ଏଥିପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିରୀହ ଜୀବଜନ୍ତୁ ଆଦି ଖଣି ଖୋଳା ଖାଲରେ ପଡ଼ି ମରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଖଣି ମାଫିଆଙ୍କ ଭୟରେ ଅଞ୍ଚଳବାସୀ ମୁହଁ ଖୋଲି ପାରୁନଥିବା ବେଳେ ପୁଲିସ ଓ ତହସିଲ୍ ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିବା ଅଭିଯୋଗ ହୋଇଛି। 

ଜଟଣୀ ତହସିଲ୍ ଅଞ୍ଚଳରେ ଅନେକ ସ୍ଥାନରେ ଏଭଳି ଖଣି ଖୋଳା ଚାଲିଥିବା ବେଳେ କିଛି ଦିନ ହେଲା କନ୍ତିଆ ଦୟା ୱେଷ୍ଟ କେନାଲ କଡ଼ ତଥା ଏଫସିଆଇ ପଛ ପଟେ ଥିବା ଆଡ଼ିବନ୍ଧକୁ ବେଆଇନ ଭାବେ ଖୋଳି ଖାଇ ଗଲେଣି ମାଫିଆ। ବେଧଡ଼କ ଭାବେ ଆଡ଼ିବନ୍ଧକୁ ଖୋଳି ମୋରମ ଲୁଟି ଚାଲିଛନ୍ତି ମାଫିଆ। ରାତିରେ ରାତିରେ ଜେସିବି ଲଗାଇ ହାଇୱାରେ ଶହ ଶହ ଗାଡ଼ି ବାହାରକୁ ଚାଲାଣ କରୁଛନ୍ତି। ରାତି ଡ୍ୟୁଟିରେ ରହୁଥିବା ପୁଲିସ ପିସିଆର୍ ସବୁ ଦେଖି ନ ଦେଖିଲା ଭଳି ଶୋଇ ରହୁଛି। ଫଳରେ ଖଣି ଖୋଳି ଚାଲାଣ କରିବା ପାଇଁ ମାଫିଆଙ୍କୁ ଆଉ ଭୟ ନାହିଁ। ବର୍ଷା ଋତୁ ପାଇଁ କିଛି ଦିନ ହେଲା ଖଣି ଖୋଳାରେ ସାମାନ୍ୟ ରୋକ୍ ଲାଗିଥିଲା। ହେଲେ ଏବେ ପାଗ ଅନୁକୂଳ ଥିବାରୁ ଏବେ ପୁଣି ଲଘୁ ଖଣିଜ ଖୋଳା ଜୋର୍‌ ଧରିଛି। 

ଅନ୍ୟପଟେ ଜଟଣୀ ତହସିଲ ଅଞ୍ଚଳର ସାକ୍ଷୀ ଗୋପୀନାଥପୁର ଦକ୍ଷିଣ ପାର୍ଶ୍ୱରେ ପଥର ଖୋଳା ଆରମ୍ଭ ହୋଇଯାଇଛି। ରଥିପୁର ଅଞ୍ଚଳର ଜଣେ ମୁଷ୍ଟିମେୟ ବ୍ୟକ୍ତି କିଛି ଅସାମାଜିକ ଯୁବକଙ୍କୁ ହାତ କରି ଏହି ଚୋରା ଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଅରୁଗୁଳ, କୁସୁମାଟି, ପିତାପଲି, ରଥିପୁର ମୌଜା, ତିରିମଲ, ତରାବୋଇ, ନିରଞ୍ଜନପୁର, ବୁଢ଼ାପଡ଼ା, ମଦନପୁର ଭଳି ଅଞ୍ଚଳରେ ଶତାଧିକ ସ୍ଥାନରେ ବେଧଡ଼କ ଭାବେ ଲଘୁ ଖଣି ଖୋଳା ଚାଲିଛି। ପୂର୍ବରୁ ପ୍ରଶାସନ ଯେଉଁସବୁ ସ୍ଥାନରେ ଚଢ଼ଉ କରି ଖଣି ଖୋଳା ବନ୍ଦ କରିଥିଲା, ସେଠାରେ ପୁଣି ପୂର୍ବଭଳି ବେଧଡ଼କ ଭାବେ ମାଙ୍କଡ଼ା ପଥର ଓ ମୋରମ ଖୋଳା ଚାଲିଥିବା ଅଭିଯୋଗ ହୋଇଛି। ବିଶେଷକରି ରାତିରେ ଖଣି ଚାଲାଣରେ ବ୍ୟବହାର ହେଉଥିବା ହାଇୱା ଗାଡ଼ି ରାସ୍ତାରେ ଏତେ ଦ୍ରୁତଗତିରେ ଯାଉଛି, ଯଦି ସାମ୍ନାରେ କିଏ ଆସିବ ତାହାଲେ ମୃତ୍ୟୁ ସୁନିଶ୍ଚିତ। ଏଥିପ୍ରତି ପୁଲିସ, ତହସିଲ୍ ସମେତ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ ନ କରନ୍ତି, ତାହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe