ଅର୍ଥାଭାବରୁ ହୋଇ ପାରୁନି ଅପରେସନ୍‌, ଦୁର୍ଘଟଣା ଛଡ଼ାଇନେଲା ପାଠପଢ଼ା

ଅର୍ଥାଭାବରୁ ହୋଇ ପାରୁନି ଅପରେସନ୍‌, ଦୁର୍ଘଟଣା ଛଡ଼ାଇନେଲା ପାଠପଢ଼ା

ବାଲିପାଟଣା: ଠିକ୍‌ ମାଟ୍ରିକ୍ ପରୀକ୍ଷା ପୂର୍ବରୁ ହେଲା ଦୁର୍ଘଟଣା। ଡାହାଣ ଗୋଡ଼ି ଭାଙ୍ଗିଗଲା। ଦୀର୍ଘ ଦିନ ଧରି ହସ୍ପିଟାଲରେ ପଡ଼ି ରହିବାକୁ ପଡ଼ିଲା। ବଡ଼ କଷ୍ଟରେ ଚାନ୍ଦାଭେଦାରୁ ପଇସା ସଂଗ୍ରହ କରି ବାପା ମା’ ପୁଅର ଗୋଡ଼ ଅପରେସନ୍‌ କରାଇଲେ। କିନ୍ତୁ ସେହିଦିନଠାରୁ ପୁଅର ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲା। ଅର୍ଥାଭାବ ପାଠପଢ଼ାରେ ବାଧକ ହୋଇ ଠିଆ ହେଲା। ଏବେ ରଡ୍‌ ବାହାର କରିବା ସମୟ ହୋଇଗଲାଣି। ମାତ୍ର ପଇସା ନଥିବାରୁ ଆବଶ୍ୟକ ଅପରେସନ୍ ହୋଇପାରୁନାହିଁ। ଡାକ୍ତର ଦେଇଥିବା ସମୟ ଗଡ଼ି ଗଲାଣି। ତେଣୁ ଗୋଡ଼ ବିନ୍ଧା ବଢ଼ିଯାଇଛି ଓ ସ୍ବାଭାବିକ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଇଛି। ଏମିତି ଅବସ୍ଥାରେ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାପା ମା’। ଏ ହେଉଛି ବାଲିପାଟଣା ସରିପୁର ଭୋଳସାହି ଗାଁର ଅନିଲ କୁମାର ଭୋଳଙ୍କ ଦୁର୍ଦ୍ଦଶାର କାହାଣୀ।

ସୂଚନା ଅନୁସାରେ ଅନିଲ ସ୍ଥାନୀୟ ବୁଦ୍ଧନାଥ ହାଇସ୍କୁଲରେ ପାଠ ପଢୁଥିଲେ। ୨୦୧୭ ମସିହାରେ ସେ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ବାର୍ଷିକ ପରୀକ୍ଷା ଅଳ୍ପ କିଛି ଦିନ ଥିବାବେଳେ ସେ ସଡ଼କ ଦୁର୍ଘଟଣାର ଶିକାର ହେଲେ। ଅନିଲଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗି ୩ ଖଣ୍ଡ ହୋଇଗଲା। କଟକ ବଡ଼ ମେଡିକାଲରେ ୨ ଥରରେ ୩ଟି ରଡ୍‌ ପଶି ଗୋଡ଼ର ଅପରେସନ ହେଲା। ସ୍ଥାନୀୟ ଲୋକେ ଚାନ୍ଦାଭେଦା କରି ତାଙ୍କୁ ସାହାଯ୍ୟ କରିଥିଲେ। ଦେଢ଼ ବର୍ଷ ପରେ ପୁଣି ଅପରେସନ ହୋଇ ରଡ୍‌ କଢ଼ା ଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ସାଢେ ୩ ବର୍ଷ ପୂରିବାକୁ ବସିଲାଣି। ଅର୍ଥ ଅଭାବରୁ ଅସ୍ତ୍ରୋପଚାର ହୋଇପାରୁନାହିଁ। ଅନିଲଙ୍କ ବାପା ପବିତ୍ର ଜଣେ ମିଠା କାରିଗର। ସ୍ବଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇପଡ଼େ। କୋଭିଡ୍‌ କଟକଣାଠାରୁ ରୋଜଗାର କମିଯାଇଛି। ଏଣେ ଅନିଲ୍‌ ଗୋଡ଼ ବିନ୍ଧା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତେଣୁ ମା’ ମିନତୀ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ପୁଅର ଅସ୍ତ୍ରୋପଚାର ହୋଇପାରନ୍ତା ବୋଲି ମା’ ମିନତୀ ଆଶା ବାନ୍ଧିଛନ୍ତି। କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବା ପାଇଁ ମିନତୀ ନେହୁରା ହୋଇ କହିଛନ୍ତି। ସାହାଯ୍ୟ କରିବା ପାଇଁ ଇଛୁକ ବ୍ୟକ୍ତି ମୋବାଇଲ ନମ୍ବର ୯୩୪୮୨୦୯୯୪୬ ରେ ଯୋଗାଯୋଗ କରିପାରିବେ ବୋଲି ମିନତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe