ବଢ଼ୁଛି ଆନନ୍ଦବନର ଆକର୍ଷଣ: ୧୮ ଦିନରେ ବୁଲିଲେଣି ୨୦ ହଜାର

ବଢ଼ୁଛି ଆନନ୍ଦବନର ଆକର୍ଷଣ: ୧୮ ଦିନରେ ବୁଲିଲେଣି ୨୦ ହଜାର

ଖଣ୍ଡଗିରି: ମାର୍ଚ୍ଚ ୧୨ରେ ଉଦ୍‌ଘାଟିତ ‘ଆନନ୍ଦବନ’କୁ ରାଜଧାନୀର ଲୋକେ ବେଶ୍‌ ପସନ୍ଦ କରିବାର ଦେଖା ଯାଉଛି। ଗତ ୧୮ ଦିନର ହିସାବକୁ ଦେଖି‌‌ଲେ, ଏଠାକୁ ୧୯,୭୮୦ ଲୋକ ବୁଲିବାକୁ ଆସିଛନ୍ତି। ୪୧୪ ଜଣ ଆନନ୍ଦବନ ବୁଲିବାପାଇଁ ମାସିକିଆ ପାସ୍ କରିଥିବା ବେଳେ ୫୫ ଜଣ ୬ ମାସିଆ ପାସ୍ କରିଛନ୍ତି। ବଡ଼ କଥା ହେଉଛି ୧୨ ଜଣ ବର୍ଷିକିଆ ପାସ୍ କରିଛନ୍ତି। ଖୋଲିବାର ମାସେ ନପୂରୁଣୁ ଲୋକଙ୍କ ଏଭଳି ଆଗ୍ରହ ଉତ୍ସାହଜନକ ବୋଲି କୁହାଯାଉଛି। କଳିଙ୍ଗନଗର କେ-୩ ସ୍ଥିତ ୯୦ ଏକର ଜମିରେ ପ୍ରସ୍ତୁତ ହୋଇଥିବା ଏହି ବନ ସବୁଜିମାରେ ଭରିଛି। ଏହା ଭିତରେ ଥିବା ଏକ କିଲୋମିଟର ଲମ୍ବ ଆକ୍ୟୁପ୍ରେସର୍‌ ରାସ୍ତାରେ ଖାଲିପାଦରେ ଚାଲିବାପାଇଁ ଲୋକେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଏକଶହରୁ ଅଧିକ ପ୍ରକାରର ଗୋଲାପ ଫୁଲ ଓ ଅନ୍ୟ ଫୁଲ ଲାଗିଛି। ଏ ରାସ୍ତାରେ ଚାଲିବାର ମଜା ନିଆରା। ଏହି ରାସ୍ତାରେ ଚାଲିବା ସମୟର ରିଲ୍ସ କରି ବହୁଲୋକ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରୁଥିବା ଦେଖାଯାଉଛି। ଏହା ଭିତରେ ଥିବା ପୁଷ୍କରିଣୀ ଓ ଉଭୟ ଜଙ୍ଗଲକୁ ଯୋଡ଼ୁଥିବା ଫୁଟ୍ ଓଭରବ୍ରିଜ୍ ଆକର୍ଷଣର କେନ୍ଦ୍ର ପାଲଟିଛି। ପୋଖରୀରେ ଥିବା ହଂସ ଓ ଲାଇବ୍ରେରୀ ମଧ୍ୟ ରିଲ୍ସ ଭିଡ଼ିଓ ଓ ଫଟୋ ପାଇଁ ଖୋରାଖ ଯୋଗାଉଛି। ଏଠାରେ ଥିବା ହଂସଗୁଡ଼ିକ ପୋଷା ହୋଇଥିବାରୁ ସେମାନେ ଲୋକମାନଙ୍କ ପାଖେ ପାଖେ ରହୁଛନ୍ତି। ସେହିଭଳି ମୁଖ୍ୟରାସ୍ତାର ଉପରେ ଥିବା ଫୁଟ୍ ଓଭରବିଜ୍ ଉପରୁ ଜଙ୍ଗଲର ଦୃଶ୍ୟ ଅତ୍ୟନ୍ତ ମନୋରମ ଦିଶୁଥିବାରୁ ବ୍ରିଜ୍ ଉପରେ ଗହଳି ଲାଗି ରହୁଛି। ବୁଲାବୁଲି କରି ଫେରିବା ବେଳକୁ କାଫେଟେରିଆରେ ମାଣ୍ଡିଆ ଜାଉ, ମାଣ୍ଡିଆ ମଣ୍ଡା ଓ କାକରା ସହିତ କୋରାପୁଟ କଫି ପାଇଁ ମଧ୍ୟ ବେଶ୍‌ ଭିଡ଼ ଜମୁଛି।

publive-image

ଉଦ୍‌ଘାଟନ ପରେ ଆନନ୍ଦବନରେ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୫ଟଙ୍କା ରଖାଯାଇଥିଲା। ଏହି ଦେୟ କେବଳ ଅନ୍‌ଲାଇନ୍‌ରେ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। କ୍ୟୁଆର୍ କୋଡ୍‌ ସ୍କାନ୍ କରିବାପରେ ଆନନ୍ଦବନ ୱେବ୍ ସାଇଟ୍‌କୁ ଯାଇ ଏହି ଦେୟ ଦାଖଲ କରିବାକୁ ହେଉଥିଲା। ଦେୟ ଦାଖଲ କରିବାର ଡିଜିଟାଲ୍‌ ରସିଦ ଦେଖାଇବା ପରେ ସୁରକ୍ଷାକର୍ମୀ ଭିତରକୁ ଛାଡ଼ୁଥିଲେ। ଏଥିପାଇଁ କିନ୍ତୁ ଭାରି ବିଳମ୍ବ ହେଉଥିଲା। ଏଣେ ମାସିକିଆ, ୬ ମାସିଆ ଓ ବର୍ଷିକିଆ ଗ୍ରାହକଙ୍କ ସଂଖ୍ୟ ମଧ୍ୟ ବଢ଼ିଥିଲା। ଏଭଳି କ୍ରମଶଃ ଭିଡ଼ ବଢ଼ିବାରୁ ପରିସ୍ଥିତି ଅଣାୟତ ହୋଇଥିଲା। ପର୍ଯ୍ୟଟକଙ୍କ ଧାଡ଼ି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବଢ଼ିଯାଉଥିଲା। ଅନେକ ଲୋକ ମୋବାଇଲ୍‌ରେ ଅନ୍‌ଲାଇନ୍ ପେମେଣ୍ଟ ବ୍ୟବସ୍ଥା ନଥିବାରୁ ସମସ୍ୟାରେ ପଡୁଥିଲେ। ଏଣୁ ବନ ବିଭାଗ ପକ୍ଷରୁ ଏବେ ନଗଦ ଟଙ୍କାରେ ଟିକେଟ ଦେବା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟଯେ, ଆନନ୍ଦବନ ସକାଳ ୫.୩୦ରୁ ଦିନ ୧୧ ଓ ୩ରୁ ୫.୩୦ ଯାଏଁ ଖୋଲା ରହୁଛି। ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ୫ଟଙ୍କା ରଖାଯାଇଥିବା ବେଳେ ମାସିକ ୧୦୦ ଟଙ୍କା, ୬ ମାସ ପାଇଁ ୫୦୦ ଓ ବର୍ଷକ ପାଇଁ ୧,୦୦୦ ଟଙ୍କା ଦେଇ ସଦସ୍ୟତା ନେବାର ମଧ୍ୟ ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe