ସାହା ହୋଇଥା’ଲୋ ମାଆ: ବରବାରି ଗ୍ରାମଦେବତୀ ମା’ ଖୁମେଇଶୁଣୀ

ବରବାରି ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଖୁମେଇଶୁଣୀ ପୂଜା ପାଉଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୪୦ ବର୍ଷ ତ‌ଳେ ଏକ ଜରିଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

xgjgd

ଖଣ୍ଡଗିରି: ବରବାରି ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଖୁମେଇଶୁଣୀ ପୂଜା ପାଉଛନ୍ତି। ପୁରୁଖା ଲୋକଙ୍କ ମତ ଅନୁଯାୟୀ, ପ୍ରାୟ ୪୦ ବର୍ଷ ତ‌ଳେ ଏକ ଜରିଗଛ ମୂଳେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ୨ଟି ପଥର ଭିତର ଛାଉଣୀ କରି ରଖାଯାଇଥିଲା। କ୍ରମେ ବରବାରି ଗ୍ରାମ ଆଡ଼କୁ ସହର ବଢ଼ିବାକୁ ଲାଗିଲା। ସେତେବେଳେ ଅଳ୍ପ ଭକ୍ତଙ୍କୁ ନେଇ ମା’ଙ୍କର ଷୋଳପୂଜା କରାଯାଉଥିଲା। ମା’ଙ୍କ ମହିମା ଲୋକଲୋଚନକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଥିଲା। ଦେବୀଙ୍କୁ ଆଉ ଗଛମୂଳେ ନରଖିବାକୁ ଭକ୍ତମାନେ ନିଷ୍ପତ୍ତି ନେବା ପରେ ପ୍ରାୟ ୨୦ବର୍ଷ ତଳେ ମା’ଙ୍କ ମନ୍ଦିର ନିର୍ମାଣ କରାଯାଇଛି। ସେହିପରି ଗ୍ରାମବାସୀ ଓ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ଉଦ୍ୟମରେ ମହାକାଳେଶ୍ବର ମହାଦେବଙ୍କ ମନ୍ଦିର ୧୦ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଛି।

ଗ୍ରାମବାସୀଙ୍କ ସମେତ ଆଖପାଖରେ ଥିବା କ୍ରିଷ୍ଣା ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍ସ, ଧର୍ମବିହାର, ସିଦ୍ଧିବିହାର, ଜାଗମରା ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଗ୍ରାମରେ ବିବାହ, ବ୍ରତଘରରେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ନିଷ୍ଠାର ସହିତ ମା’ଙ୍କ ପାଖରେ ଗୁଆନଡ଼ିଆ ବସାଇଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ନଡ଼ିଆ ଯାଚିଥାନ୍ତି। ସ୍ବତନ୍ତ୍ର ଦିନମାନଙ୍କରେ ମା’ଙ୍କୁ ଘିଅଅନ୍ନ ଓ ଡାଲମା ଭୋଗ ଲାଗି ହୁଏ। ସେହିପରି ଗ୍ରାମବାସୀଙ୍କ ମନସ୍କାମନା ପୂରଣ ହେଲେ ଖୁସିରେ ମା’ଙ୍କ ପାଖେ ଭୋଗ ଦିଅନ୍ତି। ମା’ଙ୍କ ଗାଧୋଇବା ସହ ମାଜଣା କରନ୍ତି। ୧୨ବର୍ଷ ହେଲା ମା’ଙ୍କୁ ନାରାୟଣ ପଣ୍ଡା ପୂଜା କରୁଛନ୍ତି। ସବୁ ପୂର୍ଣ୍ଣମୀ ଓ ଅମାବାସ୍ୟାରେ ଏଠାରେ ବିଶେଷ ପୂଜା ହୋଇଥାଏ। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ।

ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe