ଭୁବନେଶ୍ବର: ଆ କା ମା ବୈ, ପାନ ଗୁଆ ଥୋଇ... ଗାଇଲେ। ଡଙ୍ଗାରେ ପାନ, ଗୁଆ, ଫୁଲ, ଭୋଗ ଥୋଇ ନଈ, ପୋଖରୀରେ ଭସାଇଲେ। ମାତ୍ର ତାହାର ପରିଣାମ କଥା କେହି ଭାବିଲେ ନାହିଁ। ନଈରେ ପାଣି ନ ଥିବାରୁ ଡଙ୍ଗା ଆଗକୁ ଗଲା ନାହିଁ। ବରଂ ଯେଉଁଠି ଭସାଗଲା ତାହାର ୫୦ରୁ ୧୦୦ ମିଟର ମଧ୍ୟରେ ଅଟକି ରହିଗଲା। ନଈ ମଝିରେ ଭସାଯାଇଥିବା କାଁ ଭାଁ ଡଙ୍ଗା ଆଗକୁ ଗଲା। ନ ହେଲେ ସବୁ ନଈ କୂଳରେ ମୁହଁ ମାଡ଼ି ପଡ଼ିଲେ, ଯାହାକି ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ଚିତ୍ର ଆଉ କେଉଁଠି ନୁହେଁ, ବରଂ ରାଜଧାନୀର ଲାଇଫ୍ ଲାଇନ୍ କୁହାଯାଉଥିବା କୁଆଖାଇ ନଈରେ ହିଁ ଦେଖିବାକୁ ମିଳୁଛି। ଡଙ୍ଗା ଭସାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ ସଫେଇ କରାଯାଉ ନଥିବାରୁ ନଈର ପାଣି ବିଷାକ୍ତ ହେବାରେ ଲାଗିଛି। ଓଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଏବଂ ଜଳାଶୟରେ ଡଙ୍ଗା ଭସାଇ ଧର୍ମ ଅର୍ଜନ କରିବାକୁ ଲୋକେ ସିନା ଡଙ୍ଗା ଭସାଇଲେ ହେଲେ ସଫା କରିବାକୁ ସମସ୍ତେ ଭୁଲିଗଲେ। ଭୁବନେଶ୍ବର ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ଦେଲା ନାହିଁ କି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି କଟକଣା ଜାରି କଲାନାହିଁ। ପରିଣାମ ସ୍ବରୂପ ଏବେ ନଈରେ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା।
ଏମିତିରେ କୁଆଖାଇରେ ତ କୁଢ଼ କୁଢ଼ ଅଳି ଓ ପ୍ଲାଷ୍ଟିକ୍ ପଡ଼ି ରହିଛି। ଯିଏ ଯାହା ପାରିଲା ନଈ ଭିତରକୁ ଫୋପାଡ଼ି ଦେଉଛନ୍ତି। ତା’ ଭିତରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରେ ଫିଙ୍ଗି ଦିଆଯାଇଥିବାରୁ ପ୍ରଦୂଷଣ ଆହୁରି ବଢ଼ି ଚାଲିଛି। ଥର୍ମାକୁଲ୍ରେ ପ୍ରସ୍ତୁତ ହୋଇଥିବା ଡଙ୍ଗାଗୁଡ଼ିକ ପୋତି ହେବା ପରେ ମାଟିରେ ମିଶୁନଥିବାରୁ ମାଟିର ମାନ ଖରାପ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ଆମ ପରମ୍ପରାରେ କଦଳୀ ପାଟୁଆର ଡଙ୍ଗା ଭସାଇବାର ନିୟମ ରହିଛି। ଏହାଦ୍ବାରା ଡଙ୍ଗା ସହଜରେ ମାଟିରେ ମିଶିଯାଏ। ସେମିତି ସୋଲ ଗଛରୁ ତିଆରି ଡଙ୍ଗା ମଧ୍ୟ ପରିବେଶ ପାଇଁ ଭଲ। କିନ୍ତୁ ଥର୍ମୋକୁଲରେ ତିଆରି ଡଙ୍ଗା ପରିବେଶ ପାଇଁ ଅଧିକ କ୍ଷତିକାରକ। ସହରବାସୀ ଏସବୁ ଜାଣି ମଧ୍ୟ ଅସଂଖ୍ୟ ଥର୍ମୋକୁଲ୍ ଡଙ୍ଗା କୁଆଖାଇରେ ଭସାଇଛନ୍ତି। ଫଳରେ ନଈରେ ଥାର୍ମୋକୁଲର ଆସ୍ତରଣ ବସିଯାଇଛି। ଲୋକେ ଜାଣି ଶୁଣି ଧର୍ମ ଓ ପରମ୍ପରା ନାମରେ ପ୍ରଦୂଷଣ କରିବାକୁ ପଛାଇ ନାହାନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଡଙ୍ଗା ଭସା ସମୟରେ ବ୍ୟବହୃତ ହୋଇଥିବା ପଲିଥିନ୍, ଜରି ସମେତ ବିଭିନ୍ନ ପ୍ରକାର ସାମଗ୍ରୀ ସେମିତି ଜମା ହୋଇଛି। ଗାଈଗୋରୁମାନେ ସେଗୁଡ଼ିକୁ ଖାଉଥିବା ଦେଖିବାକୁ ମିଳୁଛି। କୁଢ଼ କୁଢ଼ ପଲିଥିନ୍ ପଡ଼ିବା ଦ୍ବାରା କେବଳ ଯେ ନଈ ପ୍ରଦୂଷିତ ହେଉଛି ତାହା ନୁହେଁ, ବରଂ ଆଖପାଖ ଅଞ୍ଚଳକୁ ଉଡ଼ି ଯିବା ଦ୍ବାରା ତାହା ମଧ୍ୟ ପ୍ରଦୂଷିତ ହେଉଛି। କୁଆଖାଇ ସେତୁ ନିକଟରେ ଅଧିକ ସଂଖ୍ୟକ ଆବର୍ଜନା ଜମା ହୋଇଥିବା ଦେଖିବାକୁ ମିଳିଛି।
ପରିବେଶବିତ୍ ଦ୍ବାରିକାନାଥ ସେନାପତି କହିଛନ୍ତି ଯେ ପ୍ରତିଦିନ କୁଆଖାଇ ନଦୀକୁ ମେଞ୍ଚା ମେଞ୍ଚା ପ୍ଲାଷ୍ଟିକ ଆବର୍ଜନା ଲୋକେ ଫିଙ୍ଗୁଛନ୍ତି। ପୂଜା ପର୍ବାଣୀ ହେଉ କି ସୁଧିକ୍ରିୟା, ଯାହା ସବୁ ଅଳିଆ ଆବର୍ଜନା ବାହାରିଲା ତାକୁ ବ୍ରିଜ ଉପରେ ରହି କୁଆଖାଇ ନଈକୁ ପିଙ୍ଗି ଦେଉଛନ୍ତି। ଯେଉଁ ନଦୀର ପାଣିକୁ ସହରବାସୀ ପିଉଛନ୍ତି, ସେହି ପାଣି ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଡଙ୍ଗା ଭସାଇବା ଦ୍ବାରା ପ୍ରଦୂଷଣ ମାତ୍ରା ଆହୁରି ବଢ଼ିବ ଏଥିରେ ସନ୍ଦେହ ନାହିଁ। ଏମିତି ଯଦି ଚାଲେ ଆଗକୁ ପାଣି ଟୋପାଏ ପାଇଁ ରାଜଧାନୀବାସୀଙ୍କୁ ଡହଳ ବିକଳ ହେବାକୁ ପଡ଼ିବ। ଏମିତିରେ ବର୍ଷା ଦିନରେ ନଈରେ ପାଣି ରହୁ ନାହିଁ। ମୂର୍ତ୍ତି ବିସର୍ଜନ ସମୟରେ ବିଏମ୍ସି ଯେଉଁଭଳି ପୋଖରୀ ଖୋଳି କଟକଣା ଲଗାଉଛି, ଡଙ୍ଗା ଭସା ସମୟରେ ସେଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା।
Follow Us