ମହାନଦୀ ପଠା‌ରେ ଏସ୍‌ସିବି ପିଜି ଡାକ୍ତରଙ୍କ ମୃତଦେହ, ଘରୋଇ କଳିରୁ ଆତ୍ମହତ୍ୟା ସନ୍ଦେହ

ବ୍ୟାଗ୍‌ରୁ ମିଳିଲା ଇଞ୍ଜେକ୍ସନ, ସିରିଞ୍ଜ, ହାତ ଲେଖା ଚିଠି

ମହାନଦୀ ପଠା‌ରେ ଏସ୍‌ସିବି ପିଜି ଡାକ୍ତରଙ୍କ ମୃତଦେହ, ଘରୋଇ କଳିରୁ ଆତ୍ମହତ୍ୟା ସନ୍ଦେହ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ସର୍ଜରି ବିଭାଗର ପିଜି ଡାକ୍ତର ଜଗମୋହନ ସେଠୀ(୩୨) ଆତ୍ମହତ୍ୟା କରିଛନ୍ତି। ଚହଟା-ନରାଜ ରାସ୍ତାରେ ଥିବା ଫାଶୀଦିଆ ବରଗଛ ନିକଟ ମହାନଦୀ ପଠାରେ ସେ ଆତ୍ମହତ୍ୟା କରିଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଗମୋହନଙ୍କ ନିକଟରୁ ମିଳିଥିବ ଏକ ବ୍ୟାଗ୍‌ରୁ ଇଞ୍ଜେକ୍ସନ ଓ ସିରିଞ୍ଜ ଜବତ ହୋଇଛି। ସେ କୌଣସି ବିଷ ଇଞ୍ଜେକ୍ସନ୍‌ ନେଇ ଆତ୍ମହତ୍ୟା କରିଥିବା ଫେଜ୍‌-୨ ଥାନା ପୁଲିସ ସନ୍ଦେହ କରୁଛି। ସୋମବାର ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଘରୋଇ କଳି ହୋଇଥିଲା। ସେହି ରାତିରେ ହିଁ ସେ ମହାନଦୀ ପଠାରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ତାଙ୍କ ନିକଟରୁ ପାଇଥିବା ଏକ ବ୍ୟାଗ୍‌ରୁ ଗୁରୁତ୍ବପୂର୍ଣ୍ଣ ଚିଠି ଜବତ କରିଥିବା ବେଳେ ଏହି ଚିଠିକୁ ତଦନ୍ତ ପରିସରଭୁକ୍ତ କରିଛି। ନିର୍ଦ୍ଦିଷ୍ଟ ଭାବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କି ପ୍ରକାର ବିବାଦ ଲାଗି ରହିଥିଲା, ସେ ନେଇ ପୁଲିସ ଜାଣିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ଫରେନସିକ୍‌ ଟିମ୍‌ ପହଞ୍ଚି ଅନୁଧ୍ୟାନ ଚଳାଇବା ସହ ଜବତ ସାମଗ୍ରୀ ନିଜ ହେପାଜତକୁ ନେଇଛନ୍ତି। ଚହଟା ପଟୁ ସେ ଫାଶୀଦିଆ ବରଗଛ ଆଡ଼କୁ କାରରେ ଯାଇଥିବା ମଧୁସୂଦନ ସେତୁ ନିକଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ରୁ ପୁଲିସ ସ୍ପଷ୍ଟ ହୋଇଛି। ଆଜି ବଡ଼ ଡାକ୍ତରଖାନାରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ମୃତ ଜଗମୋହନଙ୍କ ବାପା ଭଗବାନ ଫେଜ୍-୨ ଥାନାରେ ଏ ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସେଥିପାଇଁ ରାଗିକି ଜଗମୋହନ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଏତଲାରେ ଦର୍ଶାଇଥିବା ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe