‘ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ’ ପୁସ୍ତକ ଉନ୍ମୋଚିତ

Advertisment
‘ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ବିଶ୍ବ ଇତିହାସରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଓଡ଼ିଶାର ୫୦ ମହାପୁରୁଷଙ୍କୁ ନେଇ ରଚିତ ‘ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ’ (ଶିଶୁ ସାହିତ୍ୟ) ଲୋକାର୍ପିତ ହୋଇଯାଇଛି। ରାଉରକେଲା ଏନ୍‌ଆଇଟିର ପୂର୍ବତନ ଡିନ୍ ତଥା ପ୍ରଫେସର୍‌ ଶିବଚରଣ ନାୟକଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର୍‌ ଅଶୋକ କୁମାର ମହାପାତ୍ର ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସରେ ଉନ୍ମୋଚନ କରିଥିଲେ। ଏହି ଉପଲକ୍ଷେ ସୋଆ କ୍ୟାମ୍ପସ୍ ୨ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଆଗାମୀ ପିଢ଼ି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ ବାଜି ରାଉତଙ୍କ ଭଳି ସଂଗ୍ରାମୀମାନଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବା ଉଚିତ। ଏଭଳି ପୁସ୍ତକ ଦ୍ୱାରା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧିକ ବିଶ୍ଳେଷଣ ହୋଇପାରିବ। ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଦାଶ ବେନହୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗବନ୍ତ ଜୀବନର ମହାନ ଦସ୍ତାବିଜ୍ ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି। ଆଠରୁ ଅଠର ବର୍ଷର ପିଲାମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ। ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ପ୍ରତ୍ୟେକ ଅଭିଭାବକଙ୍କ ପାଖରେ ଏହି ପୁସ୍ତକ ପହଞ୍ଚିବା ଆବଶ୍ୟକ ବୋଲି ସେ କହିଥିଲେ।

ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କଟକସ୍ଥିତ ଆଇଏମ୍‌ଆଇଟିର ଅଧ୍ୟକ୍ଷ ପ୍ରଫେସର୍‌ ପ୍ରଭାତ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର୍‌ ଜ୍ୟୋତିରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ର ପ୍ରଫେସର୍‌ ସରୋଜ ମହାନ୍ତି ପୁସ୍ତକ ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପାଷ୍ଟ ପ୍ରେସିଡେଣ୍ଟ ଇଞ୍ଜିନିୟର୍‌ ଅଶୋକ ବାସା, ପୂର୍ବତନ ଅତିରିକ୍ତ ସଚିବ ରୁଦ୍ରପ୍ରସନ୍ନ ଦ୍ୱିବେଦୀ, ଲେଖକ ପ୍ରଫେସର୍‌ ନାୟକଙ୍କ ପତ୍ନୀ ତଥା ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ମନୋରମା ନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ମିହିର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ଇଞ୍ଜିନିୟର୍‌ ବ୍ରହ୍ମାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe