ବସ୍‌ ପଛକୁ ପିଟିଲା ବସ୍‌: ଦୁର୍ଘଟଣାରେ ୫ ଆହତ, ୨ ବସ୍‌ ଜବତ

Advertisment
ବସ୍‌ ପଛକୁ ପିଟିଲା ବସ୍‌: ଦୁର୍ଘଟଣାରେ ୫ ଆହତ, ୨ ବସ୍‌ ଜବତ

ଭୁବନେଶ୍ବର: ଆଜି ଭୋର୍‌ ସମୟରେ ବାଣୀବିହାର ଓଭରବ୍ରିଜ୍‌ ନିକଟରେ ବସ୍‌ ପଛକୁ ବସ୍‌ ଧକ୍କା ଦେବାରୁ ୫ ଯାତ୍ରୀ ଆହତ ହୋଇଛନ୍ତି। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେହିପରି ଘଟଣାସ୍ଥଳରୁ ଦୁଇଟି ବସ୍‌କୁ ଜବତ କରି ଥାନାକୁ ଆଣିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନା ମୁତାବକ, ମଙ୍ଗଳବାର ଭୋର୍‌ ପାଖାପାଖି ୫ଟା ସମୟରେ କଟକରୁ ଓଏସ୍‌ଆର୍‌ଟିସି ବସ୍‌ ଯାତ୍ରୀ ନେଇ ହିଞ୍ଜିଳିକାଟୁ ଯାଉଥିଲା।

ସାଢ଼େ ୫ଟା ସମୟରେ ବାଣୀବିହାର ଓଭରବ୍ରିଜ୍‌ ନିକଟରେ କିଛି ଯାତ୍ରୀ ବସ୍‌ରୁ ଓହ୍ଲାଇଥିଲେ। ବସ୍‌ଟି ଠିଆ ହୋଇଥିବା ବେଳେ ରାଞ୍ଚିରୁ ଭୁବନେଶ୍ବର ଆସୁଥିବା ଭୋଲେନାଥ ବସ୍‌ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା। ହଠାତ୍‌ ପଛକୁ ଧକ୍କା ଦେବାରୁ ଭୟରେ ଯାତ୍ରୀମାନେ ଜୀବନ ବିକଳରେ ବସ୍‌ରୁ ଓହ୍ଲାଇ ରାସ୍ତାକୁ ଚାଲିଆସିଥିଲେ। ପାଟିଶୁଣି ଆଖପାଖର ଲୋକ ଧାଇଁ ଆସିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେବା ସହ ଜାମ୍‌ ସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ସହିଦନଗର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୫ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ଗାଡ଼ି ଦୁଇଟିକୁ ଥାନାକୁ ନେଇଥିଲା। ସେହିପରି ହିଞ୍ଜିଳିକାଟୁ ଯିବାକୁ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ପଠାଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe