ଶଗଡ଼ରେ ଗଢ଼ାହୋଇଛି ରାଜଧାନୀ

ବିଶାଳ ଜଙ୍ଗଲକୁ କାଟି ଗଢ଼ାହୋଇଛି ରାଜଧାନୀ। କହିବାକୁ ଗଲେ, ରାଜଧାନୀ ଗଢ଼ିଛି ଶଗଡ଼। ପ୍ରଥମ କୋଠାବାଡ଼ି ତିଆରି ପାଇଁ ଆବଶ୍ୟକ ପଥର, ବାଲି, ଚିପ୍‌ସ ଓ ସିମେଣ୍ଟ ସବୁ......

Untitled-13

ପୁରୁଣା ଭୁବନେଶ୍ବର: ବିଶାଳ ଜଙ୍ଗଲକୁ କାଟି ଗଢ଼ାହୋଇଛି ରାଜଧାନୀ। କହିବାକୁ ଗଲେ, ରାଜଧାନୀ ଗଢ଼ିଛି ଶଗଡ଼। ପ୍ରଥମ କୋଠାବାଡ଼ି ତିଆରି ପାଇଁ ଆବଶ୍ୟକ ପଥର, ବାଲି, ଚିପ୍‌ସ ଓ ସିମେଣ୍ଟ ସବୁ ବୁହାହୋଇଛି ଶଗଡ଼ରେ। ଜଙ୍ଗଲ କଟା ହେବା ପରେ ଗଛର ଗଣ୍ଡି, ଡାଳପତ୍ର ବୋହିବାଠାରୁ ଆରମ୍ଭ କରି ଗୃହ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବୋହିଥିଲା ଶଗଡ଼। କାରଣ ସେତେବେଳେ କଚ୍ଚା ରାସ୍ତାରେ ବଳଦଟଣା ଶଗଡ଼ ଛଡ଼ା ଅନ୍ୟ କିଛି ପରିବହନ ବ୍ୟବସ୍ଥା ନଥିଲା। ବହୁ ଦିନ ପରେ ପିଚୁ ସଡ଼କ ଖଣ୍ଡେ ଖଣେ୍‌ଡ ହେଲା ଏବଂ ଟ୍ରକ୍‌ ଆସିଲା। ରାଜଧାନୀ ନିର୍ମାଣ ବେଳେ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ବିପିନ ନାୟକଙ୍କ ଅନୁଭୂତିରୁ ଏଭଳି ରୋଚକ କଥା ଶୁଣିବାକୁ ମିଳେ।  ବର୍ତ୍ତମାନ ୮୨ ବର୍ଷ ବୟସରେ ପହଞ୍ଚିଥିବା ବରିଷ୍ଠ ନାଗରିକ ଇଂ ବିପିନ ନାୟକ ୧୯୬୧ ମସିହାର ରାଜଧାନୀ କଥା କହିବା ବେଳେ ନିଜକୁ ନିଜେ ରୋମାଞ୍ଚିତ ହୋଇଉଠନ୍ତି। 

‘ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ ପାଇ ମୁଁ  ଭୁବନେଶ୍ବର ଆସିଲି। ମୋତେ ସର୍ଭେ କାମ ଦାୟିତ୍ବ ଦିଆଯାଇଥିଲା। ଭୁବନେଶ୍ବରରେ ଚାରିଆଡ଼େ ଜଙ୍ଗଲ ଥିଲା। ନା ଥିଲା ରାସ୍ତାଘାଟ, ନା ଥିଲା ବିଦ୍ୟୁତ୍‌। ମୋ ସାଙ୍ଗରେ ଏକ ଟେକ୍ନିକାଲ୍‌ ଟିମ୍‌ ଥିଲା। ଶିଳ୍ପ ବିଭାଗ ଆମକୁ ସହଯୋଗ କରୁଥିଲା। ଭୁବନେଶ୍ବରରେ କେଉଁଠି ଶିଳ୍ପ ହେବ, କେଉଁଠି ସଚିବାଳୟ ହେବ, ସେସବୁ ଆମ ଟିମ୍‌ ସର୍ଭେ କରିଥିଲା। ଜଗତପୁରଠୁ କଟକ, ଟଙ୍କପାଣି ନଈ ନିକଟ ରଙ୍ଗବଜାରଠୁ ସର୍ଭେ  କରାଯାଇଥିଲା। ସେହିପରି ଶିଶୁପାଳଗଡ଼, ଖଣ୍ଡଗିରି, ଉଦୟଗିରି, ପଟିଆଗଡ଼ ଆଦି ଅଞ୍ଚଳରୁ ସର୍ଭେ ଆରମ୍ଭ ହୋଇଥିଲା। ସେତେବଳେର ରାସ୍ତା ସବୁ କଚ୍ଚା ଥିଲା। ରାଜମହଲ ଛକରୁ ଗୋଟିଏ କଚ୍ଚା ରାସ୍ତା ଖଣ୍ଡଗିରି ପର୍ଯ୍ୟନ୍ତ ଥିଲା। ପରିବହନ ବ୍ୟବସ୍ଥା କହିଲେ, ଶଗଡ଼ ଓ ରିକ୍ସା। ଲିଙ୍ଗରାଜ ମନ୍ଦିର ହେଉ କି ଖଣ୍ଡଗିରି ଓ ଧଉଳି ହେଉ, ପର୍ଯ୍ୟଟକମାନେ ଶଗଡ଼ରେ ଯାଉଥିଲେ। କିଛି କିଛି ପର୍ଯ୍ୟଟକ ରିକ୍ସା ବ୍ୟବହାର କରୁଥିଲେ। ବାଣୀବିହାର ବିଲ୍‌ଡିଂ ନିର୍ମାଣ କାମର ତଦାରଖ କରୁଥି‌ଲେ ନିଜେ ତତ୍କାଳୀନ କୁଳପତି ପ୍ରାଣକୃଷ୍ଣ ପରିଜା। ସେତେବେଳେ କୁଆଖାଇ ନଈରୁ ଶଗଡ଼ରେ ବାଲି ବୁହାହେଉଥିଲା। ଶ୍ରମିକମାନେ କାନ୍ଧରେ ପାଣି ଭାର ବୋହୁଥିଲେ। ଖୋର୍ଦ୍ଧା ତାପଙ୍ଗରୁ ଶଗଡ଼ରେ ଚିପ୍‌ସ ବୁହା ହୋଇ ଆସୁଥି‌ଲା। ସେହିପରି କଟକରୁ ‌ସିମେଣ୍ଟ୍‌ ମଧ୍ୟ ଶଗଡ଼ରେ ଆସୁଥିଲା। ଶ୍ରମିକ ମଜୁରି ୧୦/୧୨ଟଙ୍କା ଟଙ୍କା ଓ ରାଜମିସ୍ତ୍ରିଙ୍କୁ ମିଳୁଥିଲା ୨୦/୨୫ଟଙ୍କା।

କଟକରୁ ରାଜଧାନୀ ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ପ୍ଲଟିଂ କରାଯାଇଥିଲା। ନୟାପଲ୍ଲୀ ଏନ୍‌୧, ୨, ୩, ୪ ପ୍ଲଟିଂ କଲା ବେଳେ ଜଙ୍ଗଲ ଯୋଗୁ ଭୟ ଲାଗୁଥିଲା। ବେଶି ଡର ଲାଗୁଥିଲା ବାଘକୁ। ତେଣୁ ଦିନରେ ବି ନିଆଁ ମଶାଲ ଧରି ଯା’ଆସ କରିବାକୁ ପଡ଼ୁଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଛୋଟ ବଜାର ଥିଲା। ସବୁଆଡ଼େ ଚାଳଘର ଥିଲା। ବହୁ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ନ ଥିଲା। ରାଜମହଲଠୁ ଲୁଇସ୍‌ରୋଡ୍‌ ପର୍ଯ୍ୟନ୍ତ ପ୍ରଥମ ତାଳିପକା ପିଚୁରାସ୍ତାଟିଏ ହେଲା। ବାକି ସବୁଆଡ଼େ କଚ୍ଚା ରାସ୍ତା। ସନ୍ଧ୍ୟା ହେଲେ ଲୋକଙ୍କ ଚଳପ୍ରଚଳ ପ୍ରାୟ ନଥିଲା। କାରଣ ଭଲ ରାସ୍ତା ନଥିଲା କି ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିଲା। ଭୁବନେଶ୍ବର ୟୁନିଅନ୍‌ ବୋର୍ଡ ପକ୍ଷରୁ ପୁରୁଣା ଭୁବନେଶ୍ବର ଛକରେ କିଛି ଲାଇଟ୍‌ ଖୁଣ୍ଟ ପୋତା ଯାଇଥିଲା। ସନ୍ଧ୍ୟା‌ ହେଲ ଜଣେ ଲୋକ ସାଇକେଲ୍‌ରେ ଆସି ନିଶୁଣି ପକାଇ ଖୁଣ୍ଟରେ ଚଢ଼ନ୍ତି ଓ ଅଗ୍ରଭାଗରେ ଥିବା ଲ୍ୟାମ୍ପ ବା ବତୀରେ ତେଲ(ମାଟିତେଲ ବା କିରାସିନି) ପକାନ୍ତି। ତେଲ ସରିଗଲେ ଲ୍ୟାମ୍ପ ଲିଭିଯାଉଥିଲା। ବତୀଖୁଣ୍ଟର ସେହି ମିଞ୍ଜିମିଞ୍ଜି ଆଲୁଅରେ ସନ୍ଧ୍ୟାବେଳେ ଲୋକେ ଯିବାଆସିବା କରୁଥିଲେ। ରାତି ୯/୧୦ଟା ବେଳକୁ ଷ୍ଟ୍ରିଟ୍‌ ଲ୍ୟାମ୍ପ ଲିଭିଯାଉଥିଲା। ବର୍ଷା ହେଲେ ରାସ୍ତାରେ ଯିବା ମୁସ୍କିଲ। ରାସ୍ତା ସାରା କାଦୁଅ ପଚପଚ। ବହୁତ ଲୋକ କଠଉ ପିନ୍ଧୁଥିଲେ। ଅଳ୍ପ କିଛି ଲୋକ ଚପଲ ବ୍ୟବହାର କରୁଥିଲେ। କାଦୁଅରେ ଚପଲ ଲାଖି ଯାଉଥିଲା। ତେଣୁ ବର୍ଷା ବେଳେ ଲୋକେ ଚପଲକୁ ହାତରେ ଧରି ଚାଲୁଥିଲେ। ବହୁତ ଲୋକ ଖାଲି ପାଦରେ ଯା’ଆସ କରୁଥିଲେ। 

ସେତେବେଳେ ପୁରୁଣା ଭୁବନେଶ୍ବରରେ ଗୋଟିଏ ମାତ୍ର ହାଇସ୍କୁଲ୍‌ ଥିଲା, ତାହା ହେଉଛି ଭକ୍ତମଧୁ ହାଇସ୍କୁଲ୍‌। କିନ୍ତୁ ସେତେବେଳଠୁ ବି ଲୋକେ ବିଏମ୍‌ ହାଇସ୍କୁଲ୍‌ ବୋଲି କହୁଥିଲେ। ସେଠି ସବୁ ଶ୍ରେଣୀର ପିଲା ପଢ଼ୁଥିଲେ। ସେହିଭଳି ଗୋଟିଏ ମାତ୍ର ହସ୍ପିଟାଲ୍‌ ଥିଲା। ତାହାକୁ ଲୋକେ ଗଦାଧର ମେଡିକାଲ୍‌ ବୋଲି କହୁଥିଲେ। ଏବେ ‌ଲୋକେ ବିଏମ୍‌ସି ହସ୍ପିଟାଲ୍‌ ବୋଲି କହୁଛନ୍ତି। ଖରାଖିଆ ବୈଦ୍ୟନାଥ ଛକ ପାଖରେ ଇଂରେଜ ଅମଳର ପୋଷ୍ଟ ଅଫିସ୍‌ ଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ସବୁଠୁ ପୁରୁଣା କ୍ଲବ୍‌ ଟାଉନ୍‌ କ୍ଲବ୍‌ ଥିଲା। ସେଠାରୁ ବିନ୍ଦୁସାଗର ଓ କଳ୍ପନା ଛକ ଦେଇ ବସ୍‌ କଟକ ଯାଉଥିଲା ଏବଂ ଶ୍ରୀରାମନଗର ଛକ ଓ ସାମନ୍ତରାପୁର ଦେଇ ବସ୍‌ ପୁରୀ ଯାଉଥିଲା। ଏକାମ୍ର କ୍ଷେତ୍ରରେ କୋଚିଲା ବଣ ବେଶି ଥିଲା। ପରିବେଶ ବହୁତ ଭଲ ଥିଲା। ବଣଜଙ୍ଗଲ ଘେରା ପୁଷ୍କରିଣୀଗୁଡ଼ିକର ଜଳ କାଚକେନ୍ଦୁ ଭଳି ନିର୍ମଳ ଥିଲା। ସେତେବେଳେ ଲିଙ୍ଗରାଜ ହାଟରେ ସବୁ ସଉଦା ମିଳୁଥିଲା। ଧାନ, ଚାଉଳ, ବିରି, ଶୁଖୁଆ, ଗୁଡ଼ାଖୁ, ଲୁଙ୍ଗି, ସାର୍ଟ, ଗଞ୍ଜି ମାଟିପାତ୍ର ଆଦି ବିକ୍ରି ହେଉଥିଲା। ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ରସୁଲଗଡ଼, ସୁନ୍ଦରପଦା, କପିଳେଶ୍ୱର, ବରମୁଣ୍ଡା, ନୟାପଲ୍ଲୀ ଆଦି ଗ୍ରାମର ଲୋକେ ଚାଷ ଉପରେ ନିର୍ଭର କରୁଥିଲେ। କ୍ବଚିତ୍‌ ଲୋକ ବ୍ୟବସାୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe