କେନ୍ଦ୍ର ଅନୁମତି ଦେଲା, ରାଜ୍ୟ ଦେଉ; ୭ ମାସ ପରେ ରାହା ପାଇବ ମନୋରଂଜନ ଶିଳ୍ପ

Advertisment

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌, ଥିଏଟର, ସବୁ ମହଲରେ ନିଷ୍ପତ୍ତିକୁ ସ୍ବାଗତ

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌, ଥିଏଟର, ସବୁ ମହଲରେ ନିଷ୍ପତ୍ତିକୁ ସ୍ବାଗତ

କେନ୍ଦ୍ର ଅନୁମତି ଦେଲା, ରାଜ୍ୟ ଦେଉ; ୭ ମାସ ପରେ ରାହା ପାଇବ ମନୋରଂଜନ ଶିଳ୍ପ

ଭୁବନେଶ୍ବର: ମନୋରଂଜନର ଦ୍ବାର ଫିଟିବ। ଦୀର୍ଘ ୭ ମାସ ପରେ ଅକ୍ଟୋବର ୧୫ରୁ ସିନେମା ହଲ୍‌ ଓ ପ୍ରେକ୍ଷାଳୟର ତାଲା ଖୋଲିବ। ମଲ୍‌ଟିପ୍ଲେକ୍ସ ଯାଇ ସିନେମାର ମଜା ଉଠାଇବାକୁ ଅବସର ମିଳିବ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାହାରେ ମନୋରଂଜନ ଭେଟିଦେବାକୁ ଅନଲକ୍‌-୫ରେ ଏପରି ଘୋଷଣା କରିଛନ୍ତି ଗୃହ ବ୍ୟାପାର ମନ୍ତ୍ରାଳୟ। ଯଦିଓ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି ତେବେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତା’ ଉପରେ ସିନେମା ହଲ୍‌ ଓ ପ୍ରେକ୍ଷାଳୟ ଖୋଲିବା ନିର୍ଭର କରୁଛି।

ଆଜି ଜାରି ହୋଇଥିବା ନିର୍ଦେଶାବଳୀରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌, ପ୍ରେକ୍ଷାଳୟ ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ କୁହାଯାଇଛି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସ୍ବତନ୍ତ୍ର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସେଜିଓର) ଜାରି କରାଯାଇଛି। ୨ ମାସ ତଳେ ରାଜ୍ୟ ସିନେମା ହଲ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କୁ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେବାକୁ ନିବେଦନ କରାଯାଇଥିଲା। ତେଣୁ ରାଜ୍ୟର ସିନେମା ହଲ୍‌ ମାଲିକମାନେ ଏନେଇ ସନ୍ତୋଷ ଜାହିର କରିବା ସହ ମନ୍ତ୍ରାଳୟର ଏ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ରାଜ୍ୟ ସିନେମା ହଲ୍‌ ମାଲିକ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ସିନେମା ହଲ୍‌ ଶିଳ୍ପର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ସ୍ଥଳେ ବନ୍ଦ ହୋଇ ପଡ଼ି ରହିଥିବା ସିନେମା ହଲ୍‌କୁ ଚଳାଇଲେ ବହୁତ ଦର୍ଶକଙ୍କ ଆଗମନ ହୁଏତ ହୋଇନପାରେ। କିନ୍ତୁ କିଛି ପରିମାଣରେ ଏହା ଆଶ୍ବସ୍ତ କରିବ। ଏନେଇ ରାଜ୍ୟ ସରକାର ତୁରନ୍ତ ଅନୁମତି ଦେବାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ଆମେ ପ୍ରସ୍ତୁତିରେ ଲାଗିବୁ। ଯଦିଓ ୫୦ ପ୍ରତିଶତ ଦର୍ଶକରେ ଲୋକେ ସିନେମା ଦେଖିବାକୁ ଆସିବେ, କିନ୍ତୁ ଆମେ ଟିକେଟ୍‌ର ମୂଲ୍ୟ ବୃଦ୍ଧି କରିବୁ ନାହିଁ। ସମଗ୍ର ମାନବ ଜାତି କରୋନା ଯୋଗୁଁ ପ୍ରଭାବିତ ହୋଇଥିବାରୁ ଟିକେଟ୍‌ ଦର ବୃଦ୍ଧି କଲେ ଲୋକେ ସମ୍ଭବତଃ ଆସିବେ ନାହିଁ। ତେଣୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ସମସ୍ତ ଏସ୍‌ଓପିକୁ ଅନୁସରଣ କରି ଆମେ ସିନେମା ହଲ୍‌ ଚଳାଇବୁ। ଏହା ଦ୍ବାରା ଘରେ ବେକାର ହୋଇ ବସି ରହିଥିବା ସିନେମା ହଲ୍‌ କର୍ମଚାରୀମାନେ ମଧ୍ୟ କାମ ଓ ରୋଜଗାର ପାଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ମଲ୍‌ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏମ୍‌ଏଆଇ) ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଦର୍ଶକଙ୍କ ପାଇଁ ସୁରକ୍ଷିତ, ପରିଚ୍ଛନ୍ନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଏଥିସହ ରାଜ୍ୟ ସରକାର ମଧ୍ୟ ଏନେଇ ଅନୁମତି ଦେବାକୁ ଏମ୍‌ଏଆଇ ପକ୍ଷରୁ ନିବେଦନ କରାଯାଇଛି।

ଦୀର୍ଘଦିନ ପରେ ଥିଏଟର ଖୋଲିବା ଖବର ଶୁଣି କଳାକାର ଖୁସିବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ‘ଶତାବ୍ଦୀର କଳାକାର’ର ପ୍ରତିଷ୍ଠାତା ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ। ସେ କହିଛନ୍ତି, ଏହି ନିର୍ଦେଶନାମା ଅନୁଯାୟୀ ଅବସାଦଗ୍ରସ୍ତ ହୋଇପଡ଼ିଥିବା ବହୁ ନାଟୁଆ ରାହା ପାଇବେ। ଆମେ ନାଟ୍ୟାନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ ପୂର୍ବକ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରେକ୍ଷାଳୟ ଭିତରକୁ ଯିବାକୁ ସୁଯୋଗ ଦେବୁ। ଦର୍ଶକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସାନିଟାଇଜର ରଖିବୁ। ମାସ୍କ ପିନ୍ଧି ପ୍ରେକ୍ଷାଳୟକୁ ପ୍ରବେଶ ପାଇଁ ନିବେଦନ କରିବୁ। ଏନେଇ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଥିବା ଦର୍ଶକ ବଳରାମ ପ୍ରସାଦ ବସୁମଲ୍ଲିକ କହିଛନ୍ତି, ଦୀର୍ଘ ୭ ମାସ ଧରି ଘରେ ବସିବସି ବିରକ୍ତ ଲାଗିଲାଣି। ଏହି ଅବସରରେ ପ୍ରେକ୍ଷାଳୟ ଖୋଲିବା ଦ୍ବାରା ମାନସିକ ଶାନ୍ତି ମିଳିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe