ଅନୁକୂଳ ହେଲା ରଥକାଠ

Advertisment
ଅନୁକୂଳ ହେଲା ରଥକାଠ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ରାଜଧାନୀର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ ହୋଇଯାଇଛି। ସକାଳ ପ୍ରାୟ ସାଢ଼େ ୮ଟା ବେଳେ ରତ୍ନବେଦୀରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ଭକ୍ତମାନେ କୀର୍ତ୍ତନ କରି ପହଞ୍ଚିଥିଲେ। ପରେ ମହାରଣା ବିଶ୍ୱକର୍ମାମାନେ କାଠ ଅନୁକୂଳ କରିଥିଲେ। ଏଥିରେ ମନ୍ଦିରର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭକ୍ତମାନଙ୍କ ପାଇଁ ସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପରେ ସନ୍ଧ୍ୟା ୭ଟାରେ ଚନ୍ଦନ ପୋଖରୀରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ୨୧ଦିନ ପର୍ଯ୍ୟନ୍ତ ମଦନ ଗୋପାଳଙ୍କର ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଚନ୍ଦନ ଲାଗି ହେବା ପରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଚନ୍ଦନ କୁଣ୍ଡରେ ଚାପ ଖେଳିଥିଲେ ଠାକୁର। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଥିଲା। ପରେ ଶ୍ରୀଜୀଉଙ୍କୁ ରତ୍ନବେଦୀକୁ ଅଣାଯାଇଥିଲା। ସେହିପରି କିସ୍‌ ଶ୍ରୀବାଣୀ କ୍ଷେତ୍ର ଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର, ମଞ୍ଚେଶ୍ବର ରେଲୱେ କଲୋନି ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥକାଠ ଅନୁକୂଳ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

‌‌ସେହିପରି ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରଥକାଠ ଅନୁକୂଳ ହୋଇଛି। ଜମେଶ୍ବରପାଟଣାରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ପରକରଣସାହି ନାରାୟଣୀ ମନ୍ଦିରରୁ ଆଜ୍ଞାମାଳ ଆସିଥିଲା। ଏହା ପରେ ରଥ କାଠକୁ ପୂଜା କରାଯାଇ ଛେଦନ କରାଯାଇଥିଲା। ସେହିପରି ବଡ଼ଦାଣ୍ଡସାହି ଛକଠାରେ ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି ପକ୍ଷରୁ ରଥ କାଠ ଅନୁକୂଳ କରାଯାଇଛି। ନୂଆ ଆମ୍ବ କାଠକୁ ପୂଜା କରି ସେବାୟତ ବିଷ୍ଣୁ ପ୍ରସାଦ ଦାଶଙ୍କ ଦ୍ବାରା କାଠ ଅନୁକୂଳ କରାଯାଇଛି। ସେହିପରି ସେଠାରେ ଭାଗବତ ଗୃହ ପ୍ରତିଷ୍ଠା କରାଯାଇଥିଲା। କମିଟିର ସଭାପତି ଶକ୍ତିପ୍ରସାଦ ସାହୁ ଓ ସୁଶୀଲ୍‌ ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe