କର୍କଟରେ ଗାଲ କଣା ହୋଇଗଲାଣି, ଗଛ ତଳେ ଶୋଇ କେମୋ ନେଉଛନ୍ତି ଅନନ୍ତ

Advertisment

ପାଖରେ ୪୦ ଟଙ୍କା ବି ନାହିଁ, ସହାୟତା ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

ପାଖରେ ୪୦ ଟଙ୍କା ବି ନାହିଁ, ସହାୟତା ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

କର୍କଟରେ ଗାଲ କଣା ହୋଇଗଲାଣି, ଗଛ ତଳେ ଶୋଇ କେମୋ ନେଉଛନ୍ତି ଅନନ୍ତ

ଭୁବନେଶ୍ବର: ମୁଖକର୍କଟରେ ପୀଡ଼ିତ ହୋଇ ଗାଲ କଣା ହୋଇଯାଇଛି। କର୍କଟର ଚିକିତ୍ସା ଚାଲିଛି, ହେଲେ ଧର୍ମଶାଳାରେ ରହି କେମୋ ନେବା ପାଇଁ ପାଖରେ ୪୦ ଟଙ୍କା ବି ନାହିଁ। ଏଥିଯୋଗୁଁ ଏକ ମାସରୁ ଊର୍ଧ୍ବ ସମୟ ହେଲା କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ପ୍ରାଙ୍ଗଣରେ ସ୍ଥିତ ଗଛ ତଳେ ରହି ଚିକିତ୍ସିତ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁରର ଅନନ୍ତ ମହାନ୍ତି(୩୦)। ସେଥିରୁ ପୁଣି ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ଷୀର, ହର୍ଲିକ୍ସ ପାଇଁ ଆବଶ୍ୟକ ଟଙ୍କା କେଉଁଠୁ ଆଣିବେ ଏହାକୁ ଚିନ୍ତାରେ ପଡ଼ିଛନ୍ତି ସ୍ତ୍ରୀ ଝରଣା।

ଝରଣା କହନ୍ତି, ୨୦୨୦ ମସିହାରେ ରଡ଼ ମିସ୍ତ୍ରି କାର୍ଯ୍ୟ କରୁଥିବା ସ୍ବାମୀ ଅନନ୍ତ ଅସୁସ୍ଥ ହୋଇ ପଡ଼ିଲେ। ତୁରନ୍ତ ତାଙ୍କୁ ୬ ନମ୍ବର ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଇଲେ। ସେଠାରେ କର୍କଟ ରୋଗ ଆଶଙ୍କାରେ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନକୁ ଯିବା ପାଇଁ ପରାମର୍ଶ ଦିଆଗଲା। ବିଭିନ୍ନ ସମୟରେ ସେ ଏଠାକୁ ଆସି ଚିକିତ୍ସା କରାନ୍ତି। ଗତ ଏକ ମାସ ହେଲା ଅନନ୍ତ ଏଠାରେ ନିୟମିତ କେମୋ ନେଉଛନ୍ତି। ୩ଟି କେମୋ ସହିତ ଔଷଧ ଖାଉଛନ୍ତି। କେମୋ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁ ନାହିଁ। ତେବେ ଅନ୍ୟାନ୍ୟ ଔଷଧ ଡାକ୍ତରଖାନାରେ ଉପଲବ୍ଧ ହେଉନାହିଁ। ଏଥିପାଇଁ ହାତରୁ ଖର୍ଚ କରି ଔଷଧ କିଣିବାକୁ ପଡ଼ୁଛି।

ଝରଣାଙ୍କ ପରିବାରରେ ସ୍ବାମୀ ଅନନ୍ତଙ୍କ ଛଡ଼ା ଅନ୍ୟ କେହି ଉପାର୍ଜନକ୍ଷମ ବ୍ୟକ୍ତି ନାହାନ୍ତି। ଶ୍ବଶୁର କିମ୍ବା ତାଙ୍କ ନିଜ ପରିବାରରେ ସହାୟତା ପାଇଁ କେହି ନାହାନ୍ତି। ଏଥିଯୋଗୁଁ କିଛି ଦିନ ଧର୍ମଶାଳାରେ ରହିବା ପରେ ଗଛ ତଳକୁ ଚାଲି ଆସିଛନ୍ତି। ଏମିତି ଦୁରବସ୍ଥାରେ ରହି ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ବାମୀଙ୍କୁ କର୍କଟ ମୁହଁରୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ସାମାଜିକ ଅନୁଷ୍ଠାନ, ସହୃଦୟ ବ୍ୟକ୍ତିଙ୍କୁ ସହଯୋଗ ଲାଗି ଆକୁଳ ନିବେଦନ କରିଛନ୍ତି ଝରଣା। ତାଙ୍କୁ ସହାୟତା ଦେବାକୁ ଚାହୁଁଥିବା ବ୍ୟକ୍ତି ଓ ଅନୁଷ୍ଠାନ ୮୯୮୪୩୫୭୩୯୫ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe