ଭୁବନେଶ୍ବର: ନୂଆ ରୂପ ନେବା ପରେ ଉଦ୍ଘାଟନ ଅପେକ୍ଷାରେ ଥିବା ଏକାମ୍ର ହାଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଶନିବାର ସକାଳେ ଉନ୍ନୟନ କମିସନର ପ୍ରଦୀପ ଜେନାଙ୍କ ସହ ସେ ଏକାମ୍ର ହାଟ ବୁଲି ଷ୍ଟଲ୍, ଫୁଡ୍ କୋର୍ଟ, ମୁକ୍ତାକାଶ ରଙ୍ଗମଞ୍ଚ, କିଓସ୍କ, ଏଗ୍ଜିବିସନ ସେଡ୍, କନ୍ଫରେନ୍ସ ହଲ୍ର ସ୍ଥିତି ପରଖିଥିଲେ। ବର୍ଷସାରା ଏଠାରେ ଯେଭଳି ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ସହ ଓଡ଼ିଶୀ ନୃତ୍ୟ, ସଙ୍ଗୀତର ପ୍ରଚାରପ୍ରସାର ହୋଇପାରିବ, ସେଭଳି ଏହି ହାଟକୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର କୋଣଅନୁକୋଣରୁ ଓଡ଼ିଶା ତାରକସି, ପଟ୍ଟଚିତ୍ର, ଟେରାକୋଟା, ପିତ୍ତଳ, ବାଉଁଶ, ବେତ, ଶିଙ୍ଘ ଶିଳ୍ପୀଙ୍କୁ ବାଛି ପ୍ରତ୍ୟେକଙ୍କୁ ଦୁଇ ଦୁଇ ମାସ ରୋଟେସନ୍ ଆଧାରରେ ଏଠାରେ ଷ୍ଟଲ ଆବଣ୍ଟନ କରିବାକୁ ମୁଖ୍ୟ ଶାସନ ସଚିବ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ସଚିବ ଶୁଭ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷସାରା ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ଏହି ପ୍ରସିଦ୍ଧ ଜିନିଷ ଯେଭଳି ଉପଲବ୍ଧ ହୋଇପାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ସ୍ବତନ୍ତ୍ର ସଚିବ ସରୋଜ ପଟେଲ, ସିଡାକ୍ ସଦସ୍ୟ ସଚିବ ଶିଶିର ରଥ ଉପସ୍ଥିତ ଥିଲେ।
Follow Us