ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କୁ ନିମ୍ନମାନର ଖାଦ୍ୟ, କୁକୁଡ଼ା ଅଣ୍ଡାରୁ ବାହାରିଲେ ଚିଆଁ

Advertisment
ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କୁ ନିମ୍ନମାନର ଖାଦ୍ୟ, କୁକୁଡ଼ା ଅଣ୍ଡାରୁ ବାହାରିଲେ ଚିଆଁ

ବାରଙ୍ଗ: ଅଙ୍ଗନବାଡ଼ି ଶିଶୁଙ୍କୁ ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ ପୁରୁଣା ହୋଇଥିବା ବେଳେ ଏବେ ଅଣ୍ଡା ବି ଏଥିରେ ସାମିଲ ହୋଇଛି। ଦେଶର ଭବିଷ୍ୟତ କୁହାଯାଉଥିବା ପିଲାମାନଙ୍କୁ ଏଭଳି ନିମ୍ନମାନର ଅଣ୍ଡା ଯୋଗାଣ ସରକାରଙ୍କ କୁପୋଷଣ ଦୂର ‌କରିବା ଯୋଜନାକୁ ଉପହାସ ଭଳି ହୋଇଛି। ଅଣ୍ଡାର ଗୁଣ ଓ ମାନ ପରୀକ୍ଷା କରାନଯାଇ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ପଠାଇ ଦିଆଯାଉଥିବାର ଏହା ନଗ୍ନ ଉଦାହରଣ। ଏଭଳି ଘଟଣା ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ତଳ କୈବର୍ତ୍ତ୍ୟ ସାହିରେ ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି ଶିଶୁମାନଙ୍କୁ ଦିଆଯାଇଥିବା କୁକୁଡ଼ା ଅଣ୍ଡାରୁ ଚିଆଁ ବାହାରିବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ତଳ କୈବର୍ତ୍ତ୍ୟ ସାହି ଅଙ୍ଗନବାଡ଼ି କେନ୍ଦ୍ରର ପ୍ରତି ପିଲାଙ୍କୁ ୧୨ଟି ଲେଖାଏ ଅଣ୍ଡା ଦିଆଯାଇଥିଲା। ଘରେ ଅଣ୍ଡା ସିଝାଇବା ‌ବେ‌ଳେ ସିଝି ନଥିଲା। କେତେକ ପିଲାଙ୍କୁ ସେମାନଙ୍କ ମା’ ଆମଲେଟ୍ କରି ଦେବା ଲାଗି ଅଣ୍ଡା ଭାଙ୍ଗିବା ବେ‌ଳେ ସେଥିରୁ ଚିଆଁ ବାହାରିବା ଦେଖିବାକୁ ପାଇଥିଲେ। ଘଟଣାଟି ପାଖ ସାହି ପଡ଼ିଶାରେ ପ୍ରଘଟ ହୋଇଥିଲା। ସନ୍ଦେହ ହେବାରୁ ସମସ୍ତେ ମିଳିଥିବା ଅଣ୍ଡା ସବୁକୁ ପରଖିଥିଲେ। ସାହିର ରାମଚନ୍ଦ୍ର ବେହେରା, ଉଗ୍ରସେନ ସୂତାର, ସଚିତ୍ର ବେହେରା, ରୀନା ବେହେରା, ସୁମି ସୂତାର, ତନୁ ବେହେରା ପ୍ରମୁଖ ସେମାନଙ୍କ ପିଲାଙ୍କୁ ମିଳିଥିବା ଅଣ୍ଡାରୁ ଚିଆଁ ବାହାରିବା ଦେଖିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ବାବଦରେ ଅଭିଭାବକମାନେ ବାରଙ୍ଗ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସିଡିପିଓ ପ୍ରିୟଭାଷିନୀ ମହାନ୍ତି କହିଛନ୍ତି ଗତ ୧ତାରିଖରେ ଆମ ପାଖକୁ ଆସିଥିବା ଅଣ୍ଡା କେନ୍ଦ୍ରମାନଙ୍କୁ ଦେଇଛୁ। ଖରାପ ଅଣ୍ଡା ଅଭିଯୋଗ ମିଳିବା ପରେ ଯାଞ୍ଚ କରି ରିପୋର୍ଟ ଦେବା ଲାଗି ସୁପରଭାଇଜରଙ୍କୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe