ଧଉଳିରେ ବଡ଼ଦିନ ବଣଭୋଜି ବନ୍ଦ

ଧଉଳିରେ ବଡ଼ଦିନ ବଣଭୋଜି ବନ୍ଦ

ଧଉଳି: ଆଜି ବଡ଼ଦିନ ଅବସରରେ ଧଉଳି ଶାନ୍ତସ୍ତୂପରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲେ ବି ବଣଭୋଜିର ମଜା ନଥିଲା। ବଣଭୋଜି ଉପରେ କଟକଣା ଲାଗୁ ହୋଇଥିବାରୁ ପର୍ଯ୍ୟଟକଙ୍କ ଧଉଳି ବୁଲିବା ମଜା ମଉଳି ଯାଇଥିଲା। ସବୁ ପିଣ୍ଡିରେ ତାଲା ପଡ଼ିଥିଲା ଓ ସୁରକ୍ଷା କର୍ମୀମାନେ ବଣଭୋଜି କରିବାକୁ ଆସିଥିବା ଲୋକଙ୍କୁ ମନା କରିଥିଲେ। ତେଣୁ କିଛି ବଣଭୋଜି ଦଳ ଧଉଳି ବୁଲାବୁଲି ନ କରି ବ୍ୟଥିତ ମନରେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସୂଚନା ଅନୁସାରେ, ଆଜି ପାଖାପାଖି ୫୦୦୦ ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ। ହେଲେ ବଣଭୋଜି ଆୟୋଜନ ଫିକା ପଡ଼ିଯାଇଥିଲା। ପୂର୍ବରୁ ଧଉଳି ଥାନା ପୁଲିସ ଭୋଜି ପାଇଁ ବ୍ୟବହୃତ ହେଉଥିବା ସବୁ ସଂରକ୍ଷିତ ପିଣ୍ଡି ଓ ସ୍ଥାନରେ କଟକଣା ବ୍ୟାନର ଓ ପୋଷ୍ଟର ଲଗାଇଥିଲା।

ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ବଣଭୋଜି ପାଇଁ ଅନୁମତି ନଥିବାରୁ ଦାୟିତ୍ବରେ ଥିବା ଅଧିକାରୀ ବଣଭୋଜି ଦଳଙ୍କୁ ବନ୍ଦ କରିବାକୁ ଡେରା ପକାଇଥିଲେ। ଧଉଳି ପଞ୍ଚାୟତ ପକ୍ଷରୁ ଭୋଜି ପାଇଁ ନିର୍ମାଣ ହୋଇଥିବା ୧୦ଟି ଯାକ ପିଣ୍ଡି ଗେଟ୍‌ରେ ତାଲା ପଡ଼ିଥିଲା। ସେହିଭଳି ବହିରଙ୍ଗେଶ୍ବର ମନ୍ଦିର ଦୟାଘାଟ, ଖଟୁଆପଡ଼ା, ଧଉଳି ଗାର୍ଡେନ, ଅଶୋକସ୍ତମ୍ଭ ନିକଟ ଏବଂ ମହୋତ୍ସବ ପଡ଼ିଆ ପାର୍ଶ୍ବରେ ବଣଭୋଜି ପାଇଁ ସଂରକ୍ଷିତ ସ୍ଥାନ ଖାଁ ଖାଁ ଲାଗୁଥିଲା। ବଣଭୋଜି କରିବାକୁ ସାଙ୍ଗରେ ଆବଶ୍ୟକ ସାମଗ୍ରୀ ଧରି ଆସିଥିବା ଲୋକମାନେ ନିରାଶ ହୋଇ ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ। ପୁଲିସ୍‌ ବାରଣ କରିବାରୁ ସେମାନେ ଫେରିବାକୁ ବାଧ୍ୟ ହୋଇଥିଲେ। ତଥାପି କିଛି ଅମାନିଆ ଭୋଜି ଆୟୋଜନ କରିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ପିସିଆର୍‌ ପୁଲିସ ଘଉଡ଼ାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe