ସବୁଜିମା ହେବ ସହର: ଏବର୍ଷ ଭୁବନେଶ୍ବରରେ ବଣ୍ଟାଯିବ ୩ ଲକ୍ଷ ଚାରା

ଚନ୍ଦକା ବନ୍ୟପ୍ରାଣୀ ଡିଭିଜନରେ ଲାଗିବ ୩ ଲକ୍ଷ ଗଛ

ସବୁଜିମା ହେବ ସହର: ଏବର୍ଷ ଭୁବନେଶ୍ବରରେ ବଣ୍ଟାଯିବ ୩ ଲକ୍ଷ ଚାରା

Clean Malaysia

ଚନ୍ଦ୍ରଶେଖରପୁର: ଏବର୍ଷ ଭୁବନେଶ୍ବରରେ ୩ ଲକ୍ଷ ବୃକ୍ଷ ଚାରା ବଣ୍ଟନ କରାଯିବ। ସହରରେ ଖାଲିଥିବା ସ୍ଥାନଗୁଡ଼ିକରେ ଏହି ଚାରାଗୁଡ଼ିକ ରୋପଣ ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍କୁଲ, କଲେଜ, ଖାଲି ପଡ଼ିଥିବା ସରକାରୀ ଜମି, ରାସ୍ତାପାର୍ଶ୍ବ ସମେତ ଉପକଣ୍ଠଗୁଡ଼ିକରେ ଏହି ଚାରାଗୁଡ଼ିକୁ ରୋପଣ କରାଯିବ। ବିଏମ୍‌ସି, ବିଡିଏ, ସିଟି ଫରେଷ୍ଟ ଡିଭିଜନ୍‌ ସମେତ ସହରାଞ୍ଚଳର ଲୋକେ ସିଧାସଳଖ ଚାରା ଉତ୍ପାଦନ କେନ୍ଦ୍ର ଓ ଚାରା ବିତରଣ ଷ୍ଟଲ୍‌ରୁ ଆବଶ୍ୟକ ବୃକ୍ଷ ଚାରା ନେଇ ରୋପଣ କରିପାରିବେ। ଜଣେ ବ୍ୟକ୍ତିଙ୍କୁ ଏକ ଟଙ୍କାରେ ଅତି ବେଶିରେ ୫ଟି ଚାରା ବିକ୍ରି କରାଯାଉଛି। ଯଦି କୌଣସି ସଙ୍ଗଠନ ଚାରା ନେବାକୁ ଚାହିଁବେ, ତାଙ୍କୁ ଅତିବେଶିରେ ୧୦୦ଟି ବୃକ୍ଷ ଚାରା ପ୍ରଦାନ କରାଯିବ। ଏଥିପାଇଁ ସହରରେ ୧୫ଟି ଭ୍ରାମ୍ୟମାଣ ଚାରା ବିତରଣ କେନ୍ଦ୍ର ଓ ୮ଟି କିଓସ୍କୋ ଖୋଲିଥିବା ବନ ବିଭାଗ ପକ୍ଷରୁ ସୂଚନା ନିଆଯାଇଛି।

ସିଟି ଫରେଷ୍ଟ ଡିଭିଜନ୍‌ ବ୍ୟତୀତ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ମଧ୍ୟ ୩ ଲକ୍ଷ ଚାରା ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଭିଜନ୍‌ର ଚନ୍ଦକା, ଡମପଡ଼ା, ଭରତପୁର ପ୍ରଭୃତି ସଂରକ୍ଷିତ ଜଙ୍ଗଲ ସମେତ ଏହା ଭିତରେ ରହୁଥିବା ଲୋକଙ୍କୁ ଏହି ବୃକ୍ଷ ବଣ୍ଟନ କରାଯିବ। ଡିଭିଜନ୍‌ରେ ୭ ଭ୍ରାମ୍ୟମାଣ ଗାଡ଼ି ଓ ୬ଟି କିଓସ୍କୋ ଖୋଲା ଯାଇଛି। ପୁରୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ବି ୩ ଲକ୍ଷ ବୃକ୍ଷ ଚାରା ବଣ୍ଟନ ଲାଗି ଧାର୍ଯ୍ୟ ହୋଇଛି। ଏଥିପାଇଁ ୭ଟି ଭ୍ରାମ୍ୟମାଣ ଯାନ ଓ ୫ଟି କିଓସ୍କୋ ଖୋଲିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ଉକ୍ତ ୩ ବନ୍ୟପ୍ରାଣୀ ଡିଭିଜନ୍‌ର ଡିଏଫ୍‌ଓମାନେ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ନିଆଯାଇଛି। ଏବର୍ଷ ପର୍ଯ୍ୟାପ୍ତ ବୃକ୍ଷ ଚାରା ଉତ୍ପନ୍ନ ହୋଇଥିବାରୁ ‌କେଉଁ ଡିଭିଜନ୍‌ରେ କେଉଁ ପ୍ରକାରର ଚାରା ଉପଲବ୍ଧ ହେଉଛି, ନର୍ସରି ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ନାମ ‌ଓ ଫୋନ୍‌ ନମ୍ବର ଆଦି ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ବନ ବିଭାଗ ୱେବସାଇଟ୍‌ରେ ମଧ୍ୟ ଏ ସମ୍ପର୍କରେ ତଥ୍ୟ ଉପଲବ୍ଧ ରହିଛି। ଏଥିସହ ବନମହୋତ୍ସବ ପାଳନ ସମୟରେ ଜନପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀ, ପିଆର୍‌ଆଇ ସଦସ୍ୟ, ବନ ସୁରକ୍ଷା ସମିତି, ସ୍ବେଚ୍ଛାସେବୀ ସଙ୍ଗଠନ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ମାନିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ବାତ୍ୟା ‘ଫନି’ ପରେ ବନ ବିଭାଗ ପକ୍ଷରୁ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ରେ ୨ଲକ୍ଷ ଚାରା ବଣ୍ଟନ ହୋଇଥିଲା। ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ୧.୭୫ ଲକ୍ଷ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ୨ ଲକ୍ଷ ଚାରା ବଣ୍ଟନ କରାଯାଇଥିଲା। ଏବର୍ଷ କଟକ, ପୁରୀ ଓ ଭୁବନେଶ୍ବର ସହରରେ ମୋଟ ୩୬ଟି ଭ୍ରାମ୍ୟମାଣ ଗାଡ଼ି ଓ ୨୪ଟି କିଓସ୍କୋ ମାଧ୍ୟମରେ ଚାରା ବଣ୍ଟନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe