କଟକଣା ଯୋଗୁଁ ୪ମାସ ହେଲା କୋଚିଂ ସେଣ୍ଟରରେ ତାଲା: ଭଡ଼ା ଦେଇପାରୁନାହାନ୍ତି, ଘର ଛାଡ଼ିବାକୁ ତାଗିଦ୍‌

କଟକଣା ଯୋଗୁଁ ୪ମାସ ହେଲା କୋଚିଂ ସେଣ୍ଟରରେ ତାଲା: ଭଡ଼ା ଦେଇପାରୁନାହାନ୍ତି, ଘର ଛାଡ଼ିବାକୁ ତାଗିଦ୍‌

ଭୁବନେଶ୍ବର: କରୋନା କଟକଣାକୁ ୪ ମାସ ବିତିଲାଣି। ଆଉ କେତେ ମାସ କି ବର୍ଷ, କଟକଣା ବଳବତ୍ତର ରହିବ, ତା’ର ବି କୌଣସି ଗ୍ୟାରେଣ୍ଟି ନାହିଁ। ସ୍କୁଲ୍‌ ବନ୍ଦ ରହିଥିବା ବେଳେ କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ଅନଲାଇନ୍‌ରେ ଶିକ୍ଷାଦାନ ଚାଲିଛି। ମାତ୍ର ରାଜଧାନୀରେ ଭଡ଼ା ଘର ନେଇ କୋଚିଂ ସେଣ୍ଟର୍‌ ଚଳାଉଥିବା ବ୍ୟକ୍ତିମାନଙ୍କ ଚିନ୍ତା ବଢ଼ିଗଲାଣି। କୋଚିଂ ବନ୍ଦ ଥିବାରୁ ଅନେକ ମଧ୍ୟମଧରଣର କୋଚିଂ ସେଣ୍ଟର ଘର ଭଡ଼ା ଦେଇ ପାରୁନହାନ୍ତି। ତେଣୁ ଘର ମାଲିକ ତାଗିଦ୍‌ କରୁଥିବା ବେଳେ ଭଡ଼ା ନଦେଲେ କୋଚିଂ ସେଣ୍ଟର ହଟାଇବା ପାଇଁ ଚେତାବନୀ ଦେଲେଣି। କଥା କେବଳ ଏତିକିରେ ଅଟକି ନାହିଁ, କୋଚିଂ ସେଣ୍ଟର ଉପରେ ନିର୍ଭର କରି ଚଳୁଥିବା ଅନେକ ଶିକ୍ଷକ ଦରମା ନପାଇ ବିକଳ୍ପ ଚିନ୍ତା କଲେଣି। ରାଜଧାନୀ କୋଚିଂର ହବ୍‌ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଛାତ୍ର ଭୁବନେଶ୍ବର ଆସି ପ୍ରସ୍ତୁତି କରନ୍ତି। ମାତ୍ର କଟକଣା ପରେ ସମସ୍ତ କୋଚିଂ ସେଣ୍ଟରଗୁଡ଼ିକ ପ୍ରମାଦ ଗଣିଲେଣି।

ଭୁବନେଶ୍ବରରେ ୨ ହଜାରରୁ ଅଧିକ କୋଚିଂ ସେଣ୍ଟର୍‌ ‌ରହିଛି। ୯୦ ପ୍ରତିଶତ କୋଚିଂ ଭଡ଼ା ଘରେ ଚାଲିଛି। କୋଚିଂ ସେଣ୍ଟର୍‌ଗୁଡ଼ିକ ୨୦ ହଜାର ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦେଇଛି। ଏହାବ୍ୟତୀତ ଘରଘର ବୁଲି ଅନେକ କୋଚିଂ ଦେଇ ରୋଜଗାର କରନ୍ତି। ମାତ୍ର ସମସ୍ତଙ୍କ ବାଟ ଓଗାଳିଛି କରୋନା। ଏଣେ ଶିକ୍ଷା ବର୍ଷ କିଭଳି ସମ୍ପାଦିତ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ କୋଚିଂ ସେଣ୍ଟର୍‌ଗୁଡ଼ିକ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି ବୋଲି କହିଛନ୍ତି ଓଡ଼ିଶା କୋଚିଂ ଆଣ୍ଡ୍‌ ଟ୍ରେନିଂ ଏକାଡେମି ଆସୋସିଏସନ (ଓକ୍‌ଟା)ର ସଭାପତି ତଥା ଗଣିତ ପ୍ରଫେସର୍‌ ରୋଟାରିଆନ ପ୍ରସନ୍ନ ଚୌଧୁରୀ। ସେ କହିଛନ୍ତି, ଯେଉଁ ଛୋଟ କୋଚିଂ ସେଣ୍ଟରଗୁଡ଼ିକ ଅଳ୍ପ ପିଲାଙ୍କୁ ନେଇ କୋଚିଂ ଚଳାଉଛନ୍ତି, ସେମାନଙ୍କୁ ଅନ୍ତତଃ ସୁଯୋଗ ଦିଆଯାଉ। ଏଥିପାଇଁ ସରକାର ଏସ୍‌ଓପି ଜାରି କରନ୍ତୁ। ନଚେତ୍‌ କୋଚିଂ ସେଣ୍ଟର୍‌ଗୁଡ଼ିକର ଭବିଷ୍ୟତ ଅତ୍ୟନ୍ତ ଦୟନୀୟ ହେବ ବୋଲି ସେ କହିଛନ୍ତି।

ନିକଟରେ ଉତ୍ତରପ୍ରଦେଶରେ ଏକ କୋଚିଂ ସେଣ୍ଟରର ମାଲିକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ବ‌େଳେ ବହୁ ମଧ୍ୟମ ଓ ଛୋଟ କୋଚିଂ ସେଣ୍ଟର୍‌ ଚଳାଉଥିବା ବ୍ୟକ୍ତିମାନେ ବି ଅବସାଦରେ ଅଛନ୍ତି। କିଛି ଘର ମାଲିକ ଯଦିଓ ପରିସ୍ଥିତିକୁ ବୁଝି ଘର ଭଡ଼ା ମାଗୁ ନାହାନ୍ତି, ମାତ୍ର ଅଧିକାଂଶ ଘର ଭଡ଼ା ଦାବି କରୁଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି, ଆମେ ସରକାରଙ୍କ ନିକଟରୁ ଆର୍ଥିକ ସହାୟତା ନୁହେଁ ବରଂ କୋଚିଂ ସେଣ୍ଟରଗୁଡ଼ିକ ଖୋଲିବା ନିମନ୍ତେ ସ୍ବତନ୍ତ୍ର ଏସ୍‌ଓପି ଜାରି କରିବାକୁ ନିବେଦନ କରୁଛି। ସରକାର ପରିସ୍ଥିତିକୁ ବୁଝି ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe