ଓଡ଼ିଶାରେ ଦୃଶ୍ୟମାନ ହେଲା ଧୂମକେତୁ, ୨୦ରୁ ୨୪ ତାରିଖ ମଧ୍ୟରେ ଖାଲି ଆଖିରେ ଦେଖିବାର ଭଲ ସମୟ

Advertisment
ଓଡ଼ିଶାରେ ଦୃଶ୍ୟମାନ ହେଲା ଧୂମକେତୁ, ୨୦ରୁ ୨୪ ତାରିଖ ମଧ୍ୟରେ ଖାଲି ଆଖିରେ ଦେଖିବାର ଭଲ ସମୟ

ଭୁବନେଶ୍ବର: ଓଡ଼ିଶାରେ ଦୃଶ୍ୟମାନ ହୋଇଛି ଧୂମକେତୁ। ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟ ମେଘମୁକ୍ତ ଥିବା ବେଳେ କେତେକ ସ୍ଥାନରେ ସନ୍ଧ୍ୟାରେ ସ୍ବଳ୍ପ ସମୟ ପାଇଁ ଧୂମକେତୁ ‘ସି/୨୦୨୦ ଏଫ୍‌୩’ ‌ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଦେଖିବାକୁ ମିଳିଥିଲା। ୧୭ ତାରିଖ ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ ଜୟପୁରରେ ଦୃଶ୍ୟମାନ ହୋଇଥିବା ଧୂମକେତୁର ଏକ ଫଟୋ ମଳୟ ପାତ୍ରଙ୍କ ଦ୍ବାରା ନିଆଯାଇଛି।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଜୁଲାଇ ୨୨ ତାରିଖରେ ଏହା ପୃଥିବୀର ନିକଟତର ହେବ। ତେଣୁ ୨୦ରୁ ୨୪ ତାରିଖ ମଧ୍ୟରେ ଧୂମକେତୁକୁ ଦେଖିବାର ପ୍ରକୃଷ୍ଟ ସମୟ। ୨୦ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୧୪ ଡିଗ୍ରି ଉପରେ ଏହା ଠିକ୍‌ ସପ୍ତର୍ଷିମଣ୍ଡଳର ତଳକୁ ଦେଖାଯିବ। ଧୀରେଧୀରେ ତଳଆଡ଼କୁ ଗତିକରି ଅଧଘଣ୍ଟା ପରେ ଅସ୍ତ ହେବ। ପରବର୍ତୀ ଦିନଗୁଡ଼ିକରେ ଏକା ସମୟରେ ପୂର୍ବଦିନ ଅପେକ୍ଷା ୩ ଡିଗ୍ରି ଉପରେ ଦେଖାଯିବ। ଅସ୍ତ ପାଇଁ ୧୦ରୁ ୧୨ ମିନିଟ୍‌ ଅଧିକ ସମୟ ନେବ। ମାସ ଶେଷ ବେଳକୁ ପ୍ରାୟ ୪୦ ଡିଗ୍ରି ଉପରେ ପହଞ୍ଚିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଉଜ୍ବଳତା କମି ଜୁଲାଇ ୩୦ ପରେ ଏହା ଆଉ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଏହି ଧୂମକେତୁଟି ପୁନର୍ବାର ୬୮୦୦ ବର୍ଷ ପରେ ପାଖକୁ ଆସିବ।

ଜୁଲାଇ ଶେଷଯାଏ ୫ ଗ୍ରହ ଖାଲି ଆଖିରେ ଦେଖାଯିବେ
ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ସୂର୍ଯ୍ୟୋଦୟର ୫୦ ମିନିଟ୍‌ ପୂର୍ବରୁ ଆକାଶରେ ଚନ୍ଦ୍ର ସମେତ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଦେଖାଯିବ। ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ବୃହସ୍ପତି ଓ ଶନି ଖୁବ୍‌ ଉଜ୍ବଳ ଦେଖାଯି‌େବ। ମଙ୍ଗଳ ମଧ୍ୟ ସକାଳ ଯାଏ ଦେଖାଯିବ। ସୂର୍ଯ୍ୟୋଦୟର ୧ ଘଣ୍ଟା ପୂର୍ବରୁ ବୁଧ ଅ‌ାକାଶରେ ଶୁକ୍ର ପାଖରେ ଦେଖାଯିବ। ତେଣୁ ଜୁଲାଇ ମାସରେ ଗୋଟିଏ ରାତିରେ ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରିବା‌ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe