ଏମ୍‌ସିସି ବୁଲିଲେ କମିସନର: କେବେ ଯିବେ ଭୁଆସୁଣି ଡମ୍ପିଂୟାର୍ଡ?

ଏମ୍‌ସିସି ବୁଲିଲେ କମିସନର: କେବେ ଯିବେ ଭୁଆସୁଣି ଡମ୍ପିଂୟାର୍ଡ?

ଭୁବନେଶ୍ବର: ଆଜି ସକାଳେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ସହରର ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ସହରର ସୈନିକ ସ୍କୁଲ ନିକଟରେ ଥିବା ଟିଟିଏସ୍‌, ଗାଡ଼କଣ, ଭିଏସ୍‌ଏସ୍‌ ନଗର, ନୀଳାଦ୍ରି ବିହାର, କାନନ ବିହାରରେ ଥିବା ବିଭିନ୍ନ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ବୁଲି ଦେଖିଛନ୍ତି। ତା ସହିତ ବିଭିନ୍ନ ଏମ୍‌ଆରଏଫ୍‌(ମ୍ୟାଟେରିଆଲ ରିକଭରି ସେଣ୍ଟର) ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପର୍ଯ୍ୟନ୍ତ ରହିଥିବା ପ୍ରକ୍ରିୟା କିଭଳି ଚାଲିଛି? କଣ ସମସ୍ୟା ରହିଛି? କିଭଳି ସମାଧାନ ହୋଇ ପାରିବ ସେ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏମ୍‌ସିସିରେ କାମ କରୁଥିବା କର୍ମଚାରୀଙ୍କର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବାରୋପ କରିବା ସହ ନିଜ ଦକ୍ଷତା ଅନୁସାରେ ଏମ୍‌ସିସିଗୁଡ଼ିକ କିଭଳି ଶତ ପ୍ରତିଶତ ଚାଲିବ ସେ ନେଇ ଆଲୋଚନା କରିଥିଲେ।

ତେବେ ପରିମଳ ବ୍ୟବସ୍ଥାର ଯେଉଁ ମୁଖ୍ୟ ପ୍ରସଙ୍ଗକୁ ନେଇ ଏଯାବତ୍‌ କମିସନର ଆଲୋଚନା ଆରମ୍ଭ କରିନାହାନ୍ତି ‌ତାହା ହେଉଛି ଭୁଆସୁଣି ବାୟୋମାଇନିଂ ପ୍ରକଳ୍ପ। ଭୁଆସୁଣିରେ ନୂଆ ଆବର୍ଜନା ଗଦା କରିବା ବନ୍ଦ କରିବା ପରେ ଯାଇ ବାୟୋମାଇନିଂ ଆରମ୍ଭ କରିବାକୁ ଗ୍ରାମବାସୀ ଜିଦ୍‌ ଧରିଥିବା ବେଳେ ଆବର୍ଜନା ଗଦାଇବାକୁ ଜାଗା ପାଉନି ବିଏମ୍‌ସି। ଏଣୁ ପ୍ରକଳ୍ପ ଝୁଲି ରହିଛି। ପୂର୍ବରୁ କେବଳ ତଳତଳିଆ କର୍ମଚାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଫଳ ହେଲେ। କମିସନର ସେମାନଙ୍କ ସହ ଆଲୋଚନା ପାଇଁ ଗଲେ ନାହିଁ କିମ୍ବା ଆବର୍ଜନା ଗଦା କରିବା ପାଇଁ ବାଟ ମଧ୍ୟ ବାହାର କଲେ ନାହିଁ।

ପରିମଳ ଉପବିଭାଗରେ ଜଣେ ଚିଫ୍‌ ଇଞ୍ଜିନୟର ମଧ୍ୟ ଅଛନ୍ତି। ସେ ମଧ୍ୟ ଉଦ୍ୟମ କଲେ ନାହିଁ। ଏବେ ମେୟର ନୂଆ। ତାଙ୍କ ସହିତ କମିସନର ବି ନୂଆ। ‌ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ ମିଶ୍ରଙ୍କର ବଦଳି ହେବା ପରେ ନୂଆ ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିଭଳି ଜଣେ ନୂଆ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ (ଆଇଏଏସ୍‌ ଅଫିସର) ନିଯୁକ୍ତି ପାଇଛନ୍ତି। ତାଙ୍କ ଦାୟିତ୍ବରେ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ଭାରତ ଅଭିଯାନ ସେଲ୍‌ ରହିଛି। ଏହି ସବୁ ନୂଆ ଅଧିକାରୀ ଓ ଜନପ୍ରତିନିଧିଙ୍କ ଉଦ୍ୟମ ଉପରେ ବାୟୋମାଇନିଂ ଭାଗ୍ୟ ନିର୍ଭର କରୁଛି। ଉଦ୍ୟମ କେବେ ହେଉଛି? କେବେ ବାୟୋମାଇନିଂ ଆରମ୍ଭ ହେଉଛି? ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏଣେ ବା‌ୟୋମାଇନିଂ ପ୍ରକଳ୍ପ ପାଇଁ ବାଟ ଖୋଲିଲେ ବି ଏବେ ଆରମ୍ଭ ହେବା ସମ୍ପୂର୍ଣ୍ଣ ଅସମ୍ଭବ। କାରଣ ଏହାର ପ୍ରଥମ ପ୍ରକ୍ରିୟା ହେଉଛି ୱିଣ୍ଡ୍ରୋସ୍‌। ଏହି ପ୍ରକ୍ରିୟାରେ ଜେସିବି ସାହାଯ୍ୟରେ ଆବର୍ଜନାକୁ ତାଡ଼ି ଖୋଲା ପବନ ଓ ଖରା ଦିଆଯିବ। ଏହା ପରେ ଟ୍ରନେଲ୍‌ ମେସିନ୍‌ରେ ସହାୟତାରେ ଭିନ୍ନ ଭିନ୍ନ ଆକାରର ଆବର୍ଜନାକୁ ପୃଥକ୍‌ କରାଯିବ। ଏବେ ବର୍ଷା ଋତୁ ହୋଇଥିବାରୁ ଓ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବାରୁ ବର୍ଷା ହେବ। ଯାହା ଫଳ‌ରେ ୱିଣ୍ଡ୍ରୋସ୍‌ ପ୍ରକ୍ରିୟା ଆରମ୍ଭ ହୋଇ ପାରିବ ନାହିଁ। ଏଣୁ ଏବେ ଅନ୍ତତଃ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସ୍ଥଗିତ ରହିବା ଥୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe