ଅଳିଆ ଦେଖି ନାକ ଟେକିଲେ କମିସନର, ନିଜେ ରହି ଡମଣା ହାଟ ନିକଟରେ ସଫେଇ କଲେ

Advertisment

ଜଗନ୍ନାଥ ସଡ଼କର ମାନ ପରୀକ୍ଷା କଲେ

ଜଗନ୍ନାଥ ସଡ଼କର ମାନ ପରୀକ୍ଷା କଲେ

ଅଳିଆ ଦେଖି ନାକ ଟେକିଲେ କମିସନର, ନିଜେ ରହି ଡମଣା ହାଟ ନିକଟରେ ସଫେଇ କଲେ

ଚନ୍ଦ୍ରଶେଖରପୁର: ଗୋଟିଏ ପଟେ ସ୍ବଚ୍ଛ ସର୍ବେକ୍ଷଣରେ ସାମିଲ ହୋଇଛି ଭୁବନେଶ୍ବର। ଆଉ ଆର ପଟେ ସହର ସାରା କୁଢ଼ କୁଢ଼ ଅଳିଆ। ଯୁଆଡ଼େ ଚାହିଁଲେ କେବଳ ଅଳିଆ ଅବର୍ଜନାର ପାହାଡ଼। ହାଟ, ବଜାର ହେଉ କି ରାସ୍ତାଘାଟ, ସବୁଠି ଅଳିଆ। ଯାହାକୁ ନେଇ ନାକ ଟେକିଲେଣି ସାଧାରଣ ଜନତା। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ପାରିବାପଣିଆକୁ ନେଇ ବି ପ୍ରଶ୍ନ ଉଠାଇଲେଣି। ସ୍ଥିତି ଏମିତି ହେଲାଣି ଯେ ସ୍ବୟଂ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ରାସ୍ତାରେ ବୁଲିବା ବେଳେ ଅଳିଆ ପାହାଡ଼ ଦେଖି ନାକ ଟେକୁଛନ୍ତି। ଏଭଳି ଚିତ୍ର ଦେଖି କମିସନର ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ଉପସ୍ଥିତିରେ ସଫେଇ କରିଛନ୍ତି।

ଆଜି ବିଏମ୍‌ସି କମିସନର ଶ୍ରୀ ଚୌଧରୀ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସି ୮ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଡମଣା ହାଟ ନିକଟରେ ବୁଲିବା ସମୟରେ ଅଳିଆ ଗଦା ହୋଇଥିବା ଦେଖିବାକୁ ପାଇଥିଲେ। ‌ସେଥିରୁ ଦୁର୍ଗନ୍ଧ ବି ବାହାରୁଥିଲା। ଯାହାକୁ ନେଇ ଶ୍ରୀ ଚୌଧରୀ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଉପସ୍ଥିତିରେ ସଫେଇ କରିବାକୁ ନିର୍ଦେଶ ଦେଇଥିଲେ। କିଛି ସମୟ ଛିଡ଼ା ହୋଇ ଅଳିଆ ଉଠା କାର୍ଯ୍ୟର ତଦାରଖ କରିଥିଲେ। ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର, ନୀଳାଦ୍ରିବିହାର, ଡମଣା ହାଟ ସମେତ ବିଭିନ୍ନ ବସ୍ତି ବୁଲି ଡ୍ରେନ୍‌, ଷ୍ଟ୍ରିଟ୍ ଲାଇଟ୍‌, ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପ୍ରଥମେ ଡିଷ୍ଟ୍ରିକ୍ଟ ସେଣ୍ଟର ବୁଲିବା ସହ ସମସ୍ତ ରାସ୍ତା ଓ ଇ-ପରିସ୍ରାଗାର ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀ ଦାବି କରିଥିଲେ। ‌ଲୋକଙ୍କଠାରୁ ସବୁ କିଛି ପଚାରି ବୁଝିବା ପରେ ରାସ୍ତା ଓ ପରିସ୍ରାଗାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରେ ଶେଷ ହେବାକୁ ଥିବା ଜଗନ୍ନାଥ ସଡ଼କର ମାନ ପରୀକ୍ଷା କରିଛନ୍ତି। ଏଥିସହ ରାଧାକୃଷ୍ଣ ଲେନ୍ ବସ୍ତିରେ ଅଙ୍ଗନବାଡ଼ି କେନ୍ଦ୍ର, ଡ୍ରେନ ଓ ଦୁର୍ଗା ମଣ୍ଡପଠାରେ ସର୍ବସାଧାରଣ ପରିସ୍ରାଗାର ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେହିପରି ନୀଳାଦ୍ରିବିହାର ସେକ୍ଟର-୧ରେ ନିର୍ମିତ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମହିଳା ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଗୋପବନ୍ଧୁ ମିନି ଷ୍ଟାଡିୟମର ଉନ୍ନତି ଓ ଏହାକୁ ସଂଯୋଗ କରୁଥିବା ରାସ୍ତାର ମରାମତି ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆର୍ଯ୍ୟ ବିହାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି। ଏହି ଗସ୍ତ ସମୟରେ ଉତ୍ତର ଜୋନ୍‌ ଡେପୁଟି କମିସନର ପୁରନ୍ଦର ନନ୍ଦ, ସିଭିଲ, ଡ୍ରେନ ଓ ଇଲେକ୍ଟ୍ରି ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୮ନଂ ୱାର୍ଡରେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟା ଲାଗିରହିଛି। କେତେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ପ୍ରଗତି ଏନ୍‌କ୍ଲେଭ୍‌ ଭିତରେ ପ୍ରତିଦିନ ସକାଳୁ ରାସ୍ତାରେ ଆବର୍ଜନା ପାଣି ଲହଡ଼ି ଭାଙ୍ଗୁଥିଲେ ମଧ୍ୟ ଏଥିପ୍ରତି କାହାର ବି ନିଘା ନାହିଁ। ରାସ୍ତା ଉପରେ ଏତେ ବାଲି ପଡ଼ିଛି ଯେ କଂକ୍ରିଟ୍‌ ଢଳେଇ ରାସ୍ତା ତା’ଭିତରେ ଲୁଚିଯାଇଛି। ଘରୁ ବାହାରିବା ସମୟରେ ଲୋ‌କେ ନାକେଦମ ହେଉଛନ୍ତି। ଏବିଷୟରେ ଗୁହାରି କରିବାକୁ ଗଲେ ବିଏମ୍‌ସି ୱାର୍ଡ ଅଫିସରଙ୍କ ଦେଖା ମିଳୁ ନ ଥିବା ବେଳେ କର୍ପୋରେଟର ନ ଥିବାରୁ କେହି ଜନ ପ୍ରତିନିଧି ଶୁଣୁନାହାନ୍ତି। ଏମିତିକି ପୂର୍ବତନ କର୍ପୋରେଟରମାନଙ୍କୁ ଫୋନ୍‌ କଲେ ମଧ୍ୟ ଧରାଛୁଆଁ ଦେଉନାହାନ୍ତି। ସମସ୍ୟାଗୁଡ଼ିକ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ପରେ ଆଜି ବିଏମ୍‌ସି କମିସନରଙ୍କ ନିଦ ଭାଙ୍ଗିଛି। ସ୍ଥାନୀୟ ଅଞ୍ଚଳ ବୁଲିଛନ୍ତି। ତେବେ କେବେ ରାସ୍ତାଘାଟ ମରାମତି ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe