ସବୁ ୱାର୍ଡରେ ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ

Advertisment
ସବୁ ୱାର୍ଡରେ ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା। ବିଏମ୍‌ସି ନିର୍ବାଚନରେ ୬୭ ୱାର୍ଡରେ ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ। ଆଗୁଆ ୩୦ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଥିଲେ ମଧ୍ୟ ଦଳର ପ୍ରାର୍ଥୀଙ୍କ ସଂଖ୍ୟା ୫୦ ଛୁଇଁପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ୪୩ଟି ୱାର୍ଡରେ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

୨୪ ୱାର୍ଡରେ କୌଣସି ପ୍ରାର୍ଥୀ ଦଳୀୟ ଟିକେଟ୍‌ ଦାଖଲ କରିପାରିନାହାନ୍ତି। ଟିକେଟ୍‌ ଦାଖଲ ପାଇଁ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ରହିଛି। ତେଣୁ ଅନ୍ୟ ୱାର୍ଡରେ କୌଣସି ସ୍ବାଧୀନ ପ୍ରାର୍ଥୀ କଂଗ୍ରେସ ଟିକେଟ୍‌ ଦାଖଲ କରିବେ କି ନାହିଁ ପରେ ଜଣାପଡ଼ିବ। ତେବେ ଦଳ ସବୁ ୱାର୍ଡରେ ପ୍ରାର୍ଥୀ ଦେଇ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ସ୍ବୀକାର କରିଛନ୍ତ। ଏହା ସତ୍ତ୍ବେ ଦଳର କର୍ମୀଙ୍କ ମନୋବଳ ଦୃଢ଼ ରହିଛି। ପ୍ରଚାରକୁ ଜୋରଦାର କରିବା ସହ ଯେକୌଣସି ପ୍ରକାରେ ମେୟର ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରୁଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ଏକ ସଙ୍ଗିନ୍ ଅଭିଯୋଗ କରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଶାସକ ଦଳର ଧମକ ଯୋଗୁଁ ସବୁ ୱାର୍ଡରେ ଆମେ ପ୍ରାର୍ଥୀ ଦେଇପାରିନାହୁଁ। ବିଶେଷକରି ମଧ୍ୟ ଭୁବନେଶ୍ବର ଅଞ୍ଚଳର ଝାରପଡ଼ା, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ବର ପ୍ରଭୃତି ଅଞ୍ଚଳରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଆଶାୟୀ ‌ଟିକେଟ୍‌ ନେଇଥିଲେ ମଧ୍ୟ ଅନ୍ୟ ଦଳର କିଛି ସ୍ଥାନୀୟ ନେତାଙ୍କ ଧମକଚମକ ଯୋଗୁଁ ସେମାନେ ପ୍ରାର୍ଥିପତ୍ର ଦାଖଲ କରିପାରିଲେନାହିଁ। ସେ ଆହୁରି କହିଛନ୍ତି ଯେ ୫୦ଟି ୱାର୍ଡ‌ରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛୁ। ଧମକ ଯୋଗୁଁ ୭ ଜଣ ନିର୍ବାଚନ ପ୍ରକ୍ରିୟାକୁ ଓହରି ଯାଇଛନ୍ତି।

ବାକି ୧୦ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ବୁଝାମଣା ହୋଇଛି। କଂଗ୍ରେସର କର୍ମୀମାନେ ସ୍ବାଧୀନ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସମସ୍ତ ପ୍ରକାର ପ୍ରୟାସ କରିବେ। ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଦଳର ପ୍ରାର୍ଥୀ ଚୟନରେ ସମସ୍ୟା ହେବାରୁ ସବୁ ୱାର୍ଡରେ ପ୍ରାର୍ଥୀ ଦେଇ ହେଲାନି। ମାତ୍ର ଏକାମ୍ର ନିର୍ବାଚନମଣ୍ତଳୀ ଅଧୀନ ସବୁ ୱାର୍ଡରେ ଆମେ ପ୍ରାର୍ଥୀ ଦେଇଛୁ। ଉତ୍ତର ଭୁବନେଶ୍ବରରେ ହାତଗଣତି କିଛି ୱାର୍ଡରେ ଛାଡ଼ି ଦେଲେ ଆମେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛୁ। ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe