ପାର୍ବଣ ପୂର୍ବରୁ ମୁଣ୍ଡ ଟେକିଲେଣି ଦାଦାବଟି ଗ୍ୟାଙ୍ଗ୍‌: ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଥଣ୍ଡା ପିଇଲେ, ସିଗାରେଟ୍‌ ଟାଣିଲେ। ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଚାପଡ଼ରେ ଆକ୍ରମଣ କଲେ। ଦାଦାବଟି ପାଇଁ ହୋଇଥିବା ଏଭଳି ସଂଘବଦ୍ଧ ଆକ୍ରମଣ ବଡ଼ଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

attack

ଭୁବନେଶ୍ବର: ଥଣ୍ଡା ପିଇଲେ, ସିଗାରେଟ୍‌ ଟାଣିଲେ। ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଚାପଡ଼ରେ ଆକ୍ରମଣ କଲେ। ଦାଦାବଟି ପାଇଁ ହୋଇଥିବା ଏଭଳି ସଂଘବଦ୍ଧ ଆକ୍ରମଣ ବଡ଼ଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କେଦାରପଲ୍ଲୀ ବସ୍ତିର କରଣ ଘଡ଼େଇ ଓରଫ ଚିଣ୍ଟୁ(୧୮)। ଏହି ମାମଲାରେ ଫେରାର ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଅନ୍ୟପଟେ ପାର୍ବଣ ପୂର୍ବରୁ ରାଜଧାନୀରେ ଦାଦାବଟି ଗ୍ୟାଙ୍ଗ ମୁଣ୍ଡ ଟେକିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ସୂଚନା ମୁତାବକ ୮ ତାରିଖ ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ସମୟରେ ଚିଣ୍ଟୁ ଓ ତା’ର ୩ସହଯୋଗୀ ୨ଟି ବାଇକ୍‌ରେ ଆସି କଳ୍ପନା ଜୁଡିଓ ସୋ’ରୁମ୍‌ ନିକଟରେ ଥିବା ଅଜିତ ଦାସଙ୍କ ଦୋକାନ ନିକଟରେ ଅଟକିଥିଲେ। ଅଜିତ୍‌ଙ୍କ ଦୋକାନରୁ ଥଣ୍ଡା ପିଇବା ସହ ସିଗାରେଟ୍‌ ଟାଣିଥିଲେ।

ବାଇକ୍‌କୁ ରାସ୍ତା ଉପରେ ରଖିଥିବାରୁ ସାଇଡ୍‌ କରିବାକୁ ଅଜିତ୍‌ କହିଥିଲେ। ହେଲେ ସେମାନେ ଶୁଣିନଥିଲେ। ପାଲଟା ଗାଳିଗୁଜ କରିଥିଲେ। ଅସାମାଜିକ ଯୁବକଙ୍କ ଉତ୍ପାତ ଦେଖି ଅଜିତ୍‌ ଚୁପ୍‌ ରହିଥିଲେ। ସେମାନେ ଟଙ୍କା ନଦେଇ ପଳାଇବାରୁ ଅଜିତ୍‌ ଅଟକାଇଥିଲେ। ଟଙ୍କା ଦେବାକୁ କହିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ। ଯୁବକମାନେ ଗାଳିଗୁଲଜ କରିବା ସହ ସେମାନଙ୍କ ୮/୧୦ଜଣ  ସହଯୋଗୀଙ୍କୁ ଡକାଇଥିଲେ। ସେମାନେ ପହଞ୍ଚିବା ପରେ ଅତର୍କିତ ଭାବେ ଅଜିତ୍‌ଙ୍କୁ ଖଣ୍ଡା, ଚାପଡ଼ରେ ଆକ୍ରମଣ କରି ରକ୍ତାକ୍ତ କଲେ। ସେମାନେ ଏତିକିରେ ଥମିନଥିଲେ, ଦୋକାନକୁ ବି ଭଙ୍ଗାରୁଜା କଲେ। ସେମାନଙ୍କ ଆତଙ୍କ ଦେଖି ଆଖାପାଖ ଲୋକମାନେ ଭୟରେ ଦୌଡ଼ିଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଯୁବକମାନେ ଫେରାର୍‌ ହୋଇଯାଇଥିଲେ। ପୁଲିସ ଅଜିତ୍‌ଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଆଜି ପୁଲିସ ଚିଣ୍ଟୁକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe