ମହିଳାଙ୍କ ଗର୍ଭାଶୟରେ ସଂକ୍ରମଣ, ଚିକିତ୍ସାରେ ଅର୍ଥ ବାଧକ

Advertisment

ମା’ର ଚିକିତ୍ସା ପାଇଁ ଝିଅର ଆକୁଳ ନିବେଦନ

ମା’ର ଚିକିତ୍ସା ପାଇଁ ଝିଅର ଆକୁଳ ନିବେଦନ

ମହିଳାଙ୍କ ଗର୍ଭାଶୟରେ ସଂକ୍ରମଣ, ଚିକିତ୍ସାରେ ଅର୍ଥ ବାଧକ

ବାଲିଅନ୍ତା: ସ୍ଥାନୀୟ ବେ‌ତେଣ୍ଡା ଗାଁରେ ସରକାରୀ ଜମିରେ ନିର୍ମିତ କୁଡ଼ିଆରେ ମୁଣ୍ଡ ଗୁଞ୍ଜିଥିବା ସ୍ବାମୀ ପରିତ୍ୟକ୍ତା ଶାନ୍ତିଲତା ଦିଗଲ (୫୬) ଏବେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗର୍ଭାଶୟରେ ସଂକ୍ରମଣ ଯୋଗୁଁ ଘା’ ହୋଇଯାଇଥିବାରୁ ତୁରନ୍ତ ଅପରେସନ୍‌ର ଆବଶ୍ୟକତା ରହିଛି। ଅଧିକ ବିଳମ୍ବ ହେଲେ ତାହା କ୍ୟାନ୍‌ସର ଆଡ଼କୁ ଗତି କରିବା ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଅର୍ଥାଭାବରୁ ଦୀର୍ଘ ୨ ବର୍ଷ ହେଲା ସେ ସେମିତି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତେଣୁ ମା’ର ଚିକିତ୍ସା ପାଇଁ ତାଙ୍କର ଏକମାତ୍ର ଝିଅ ମହିମା ବିଭିନ୍ନ ଦିଗରୁ ସହଯୋଗ କାମନା କରି ଆକୁଳ ପ୍ରାର୍ଥନା କରିଛି।

ସ୍ବାମୀ ପ୍ରଦୀପ ଦିଗଲ ଶାନ୍ତି ଓ ଝିଅ ମହିମାଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ନେଇ କେଉଁ ଆଡ଼େ ଚାଲିଗଲା ପରେ ସେମାନେ ପୂରା ଅସହାୟ ହୋଇ ପଡ଼ିଥିଲେ। ସେହି ଦିନରୁ ଶାନ୍ତି ପର ଘରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ଏବେ ରୋଗ ସାଜିଛି ବଇରି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁନଥିବାରୁ ମା’ର ଅବସ୍ଥାକୁ ନେଇ ଆତଙ୍କିତ ହୋଇ ପଡ଼ିଛି ଝିଅ ମହିମା। ମା’ ଶାନ୍ତିଙ୍କ ପରେ ଏ ଦୁନିଆରେ ତା’ର ଆଉ କେହି ନାହିଁ। ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରୀ ମହିମା ଏବେ ଆଉ ପଢ଼ିବ ନାହିଁ ବୋଲି ସ୍ଥିର କରି ନେଇଛି। ପର ଘରେ ପାଇଟି କରି ମା’ର ଚିକିତ୍ସା କରାଇବ ବୋଲି ଅଣ୍ଟା ଭିଡ଼ିଛି। କିନ୍ତୁ ଅପରେସନ୍ ପାଇଁ ଆବଶ୍ୟକ ଅର୍ଥ ତା’ ମୂଲ ମଜୁରିରୁ ଯଥେଷ୍ଟ ହେବ ନାହିଁ ବୋଲି ଜାଣିବା ପରେ ସେ ଅନ୍ୟର ସହଯୋଗ କାମନା କରିଛି। କେହି ବଦାନ୍ୟ ବ୍ୟକ୍ତି ବା ସଂଗଠନ ସହଯୋଗ କରିବାକୁ ମହିମା ଆକୁଳ ନିବେଦନ କରିଛି। ଏ ନେଇ ସେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଖୋର୍ଧା ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହାୟତା ପ୍ରଦାନ କରିବାକୁ ଚାହାନ୍ତି, ତାଙ୍କ ମୋ ନଂ୯୫୮୩୭୦୬୮୫୮ରେ ଯୋଗାଯୋଗ କରିବାକୁ ମହିମା ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe