ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଘୋଷଯାତ୍ରା ଦିନ ଶେଷଯାତ୍ରା

ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ଶୁକ୍ରବାର ସକାଳ ପ୍ରାୟ ୫ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଫଟୋ ଉତ୍ତୋଳନ ପାଇଁ ସେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ଆଜି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ଅପରାହ୍‌ଣରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଶ୍ମଶାନରେ ବହୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ତ୍ରୀ ସୁଜାତା ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କର ଏକମାତ୍ର କନ୍ୟା ସିମରନ୍‌ ପଣ୍ଡା(୧୦) ମୁଖାଗ୍ନି ଦେଇଥିଲେ।

ସୂଚନାନୁସାରେ, ଆଜି ମହାବାହୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଫଟୋ ଉତ୍ତୋଳନ ପାଇଁ ପ୍ରତ୍ୟୁଷରୁ ଅଶୋକ ନିଜ ବାଇକ୍‌ ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ମାତ୍ର ଏହି ଘୋଷଯାତ୍ରା କାମ ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ବୋଲି ସେ ଜାଣିନଥିଲେ। ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କ ବାଇକ୍‌କୁ ପଛରୁ ପିଟିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେ‌ଳକୁ ସବୁ କିଛି ସରିଯାଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ରାଜଧାନୀର କର୍ତ୍ତବ୍ୟରତ ସାମ୍ବାଦିକମାନେ କ୍ୟାପିଟାଲ ହସ୍ପିଟାଲକୁ ଛୁଟିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ୍‌ ସିଂହ, ‘ସମୟ’ ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ୱାଳ ତାଙ୍କ ଶେଷ ଦର୍ଶନ କରିଥିଲେ। ହସ୍ପିଟାଲରୁ ମରଶରୀରକୁ ଏକ ଶୋଭାଯାତ୍ରାରେ ଜୟଦେବଭବନ ନିକଟକୁ ଅଣାଯାଇଥିଲା। ସେଠାରେ ଶତାଧିକ ସାମ୍ବାଦିକ ତାଙ୍କ ଶେଷ ଦର୍ଶନ କରିଥିଲେ। ସେଠାରୁ ମରଶରୀରକୁ ‘ସମୟ’ କାର୍ଯ୍ୟାଳୟକୁ ନିଆଯାଇଥିଲା। ‘ସମୟ’ର ପରିଚାଳନା ନିର୍ଦ୍ଦେଶିକା ତେଜଲ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇଥିଲେ।

ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସିରୁ ଫଟୋ ସାମ୍ବାଦିକ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିବା ଅଶୋକ ‘ସମୟ’ ଖବରକାଗଜରେ ଫଟୋ ସାମ୍ବାଦିକ ଭାବେ ୨୫ବର୍ଷ ଧରି କାମ କରି ଆସୁଥିଲେ। ଏହାବାଦ୍‌ ବିଭିନ୍ନ ଜାତୀୟ ଗଣମାଧ୍ୟମ ସହ ସେ ଜଡ଼ିତ ଥିଲେ। ମହାବାତ୍ୟା ସମୟରେ ଦୁର୍ଲଭ ଫଟୋ ସଂଗ୍ରହ କରି ସେ ସୁନାମ ଅର୍ଜନ କରିଥିଲେ। ରାଜନୈତିକ, ପ୍ରଶାସନିକ, ସାମ୍ବାଦିକ ଜଗତରେ ତାଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଥିଲା। ସ୍ବର୍ଗତ ପଣ୍ଡାଙ୍କ ଘର ମୟୂରଭଞ୍ଜ ବୈଶିଙ୍ଗାରେ। ଦୀର୍ଘ ଦିନ ହେବ, ସେ କଳ୍ପନାଛକସ୍ଥିତ ସରକାରୀ କ୍ବାର୍ଟର୍ସ‌ରେ ରହୁଥିଲେ।

ତାଙ୍କ ଅକାଳ ବି‌ୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ରେ ଲେଖିଛନ୍ତି ଯେ ଏହି ଖବର ବିଷୟରେ ଜାଣି ସେ ଦୁଃଖିତ। ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, ଅଶୋକ ଭାଇଙ୍କ ଆତ୍ମୀୟତା ମୋର ସବୁଦିନ ମନେ ରହିବ। ଶ୍ରୀଗୁଣ୍ଡିଚା ଭଳି ପବିତ୍ର ଦିନରେ ତାଙ୍କର ଏହି ଅକାଳ ବି‌‌ୟୋଗ ମୋତେ ଗଭୀର ଦୁଃଖ ଦେଇଛି। ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ବିଟ୍‌ କରି ସ୍ବର୍ଗତ ପଣ୍ଡାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe