ଠିକାଦାର ପୋତୁଛି ସଫେଇ ନାଳି: ପାଣିରେ ବୁଡ଼ିବ ୯୪୫ ଏକର ରୁଆଧାନ

Advertisment

ଦାନା ବାନ୍ଧୁଛି ଆନ୍ଦୋଳନ

ଦାନା ବାନ୍ଧୁଛି ଆନ୍ଦୋଳନ

ଠିକାଦାର ପୋତୁଛି ସଫେଇ ନାଳି: ପାଣିରେ ବୁଡ଼ିବ ୯୪୫ ଏକର ରୁଆଧାନ

ବାଲିଅନ୍ତା: ସରଦେଈପୁର-ନିମାପଡ଼ା ପୂର୍ତ୍ତ ବିଭାଗ ୪ଲେନ୍‌ ରାସ୍ତା ନିର୍ମାଣ ‌କାର୍ଯ୍ୟରେ ଅନିୟମିତା କରାଯାଉଥିବା ଅଭିଯୋଗ ହେଉଛି। ଉଭୟ ପାର୍ଶ୍ବ ରାସ୍ତା ଆଉ ୬୪ ଫୁଟ ଚଉଡ଼ା କରାଯିବ। ସେନେଇ ସଫେଇ ନାଳି ପୋତି ରାସ୍ତା ଚଉଡ଼ା କରାଯାଉଛି। ଯାହାଫଳରେ ଧନୁଆକୁ ବର୍ଷାପାଣି ନିଷ୍କାସନ ହେବାକୁ ଥିବା ସଫେଇ ନାଳି ଓ କଲଭର୍ଟ ସ୍ଥାନ ପୋତି ଦିଆଯାଇଛି। ବିଭିନ୍ନ ମୌଜାର ବର୍ଷାପାଣି ନିଷ୍କାସନ ପାଇଁ ଥିବା ଉଭୟ ପାର୍ଶ୍ବ କଲଭର୍ଟ ସବୁ ପୋତି ଦିଆଯିବା ଦ୍ବାରା ଏବେ ଗହୀରରୁ ବର୍ଷା ପାଣି କିଭଳି ନିଷ୍କାସନ ହେବ ସେନେଇ ସମସ୍ୟା ଦେଖାଦେଇଛି। ବର୍ଷାଦିନ ପୂର୍ବରୁ କଂକ୍ରିଟ ଗାର୍ଡୱାଲ ନିର୍ମାଣ କରି ମାଟି ଫିଲିଂ କରାଯାଇଥିଲେ ଜଳ ନିଷ୍କାସନ ବାଟ ବନ୍ଦ ହୋଇନଥାନ୍ତା ବୋଲି ଚାଷୀମାନେ କହିଛନ୍ତି। ମୌସୁମୀ ବର୍ଷାରେ ନୂଆକରି ପୋତାଯାଇଥିବା ମାଟି, ସଫେଇ ନାଳିକୁ ଭାସିଯାଇ ନାଳିର ଅର୍ଦ୍ଧାଧିକ (୧୫ଫୁଟ) ପୋତି ହୋଇଗଲାଣି।

ବାଲିଅନ୍ତା ବ୍ଲକ କୃଷି ବିଭାଗ ପକ୍ଷରୁ ମଳିଥିବା ତଥ୍ୟ ଅନୁସାରେ ରଣପୁର, କଇଜଙ୍ଗା, ଗୋଠସାବଳିଆ, ସରକଣା, ପୂରଣପଧାନ, ଶୋବନି, ବିଶ୍ବନାଥପୁର ଓ କିଆଜୋରି ଆଦି ମୌଜାରେ ୯୪୫ ଏକର ଧାନଫସଲ କରାଯିବ। ତେଣୁ ବର୍ଷା ଲାଗି ରହିଲେ ଉପରୋକ୍ତ ମୌଜାରେ ଶହ ଶହ ହେକ୍ଟର ଧାନଚାଷ ନଷ୍ଟ ହୋଇଯିବା ନେଇ ଆଶଙ୍କା ଦେଖାଦେଇଛି। ବଡ଼ କଥାହେଉଛି ୫୦ଫୁଟ ଚଉଡ଼ାରେ ୧୨ଟି କଲଭର୍ଟ ନିର୍ମାଣ ନେଇ ସ୍ଥାନୀୟ ଚାଷୀ ୧୦୦୦ ଦସ୍ତଖତ ସମ୍ବଳିତ ଦାବିପତ୍ର ସରଦେଈପୁର-ନିମାପଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଓ ଭୁବନେଶ୍ବର ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ଖୋର୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଚାଷୀଙ୍କ ଅଭିଯୋଗ ପାଇ ଗତ ମାସରେ ଦୁଇ ବିଭାଗର ଅଧିକାରୀଙ୍କୁ ନେଇ ମିଳିତ ତଦନ୍ତ କରାଯାଇଥିଲା। ହେଲେ ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପୋତି ହୋଇଯାଇଥିବା କଲଭର୍ଟ ମୁହଁରୁ ମାଟି ସଫା କରାଯାଉ ନାହିଁ। ସେହିପରି ଯେତିକି ବି ସଫେଇ ନାଳି ଅଛି ସେଥିରୁ ଭାସି ଯାଇଥିବା ମାଟି ସଫା କରାଯାଉ ନାହିଁ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାଷୀ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ମେଳି ବାନ୍ଧିଲେଣି। ଖୁବଶୀଘ୍ର ଏନେଇ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ବାଳକାଟି ଦୁଲ୍ଲାଦେବୀ ମନ୍ଦିର ଠାରୁ ୧୨କିମି ରାସ୍ତା ନିର୍ମାଣ କାମ ଚାଲିଛି। ବିଭାଗ ପକ୍ଷରୁ ଏନେଇ ୪୦ କୋଟି ଅନୁଦାନ ମଞ୍ଜୁର କରାଯାଇଛି। ଏନେଇ ଦୁଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe