ଇଂଜେକ୍ସନ୍‌ ଦେବାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ମାଡ଼, ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Advertisment
ଇଂଜେକ୍ସନ୍‌ ଦେବାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ମାଡ଼, ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବାଲିପାଟଣା: ଇଂଜେକ୍ସନ୍‌ ଦେବାରେ ନର୍ସଙ୍କ ସାମାନ୍ୟ ବିଳମ୍ବ ହେବାରୁ ଡାକ୍ତରଙ୍କୁ ତଳେ ଗଡ଼େଇ ତଡ଼େଇ ମାଡ଼। ପ୍ରତିବାଦ କରିବାରୁ ନର୍ସ ଓ ସୁରକ୍ଷା କର୍ମୀ ବି ଛାଡ଼ ପାଇଲେନି। ଆଜି ରାତିରେ ୨ଜଣ ଯୁବକ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏମିତି ଆତଙ୍କ ଖେଳାଇଛନ୍ତି। ଯୁବକଦ୍ବୟଙ୍କ ଆକ୍ରମଣ‌ରେ ଡାକ୍ତର ରତିରଂଜନ ସ୍ବାଇଁଙ୍କ ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଅଧିକ ଚିକିତ୍ସା ଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯିବ ବୋଲି ଜଣାଯାଇଛି। ଆକ୍ରମଣରେ ତାଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ବାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବାଲିପାଟଣା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମେଡିକାଲ ଅଫିସରଙ୍କ ପରମର୍ଶକ୍ରମେ ରାତିରେ ରୋଗୀ ସେବା ବନ୍ଦ ରହିଛି।

ସୂଚନାନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ଜଣ ଯୁବକ ମେଡିକାଲ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିବା ଅଠାନ୍ତର ଗ୍ରାମ ଚିନ୍ମୟ ବେହେରାର ଚର୍ମ ରୋଗ ହୋଇଥିଲା। କାର୍ଯ୍ୟରତ ଡାକ୍ତର ରତିରଞ୍ଜନ ସ୍ୱାଇଁ ସେମାନଙ୍କୁ ଇଞ୍ଜେକ୍ସନ ନେବା ପାଇଁ ଚିଠା କରିଥିଲେ। ସେହି ସମୟରେ କାର୍ଯ୍ୟରେ ଥିବା ଷ୍ଟାଫନର୍ସ ସିଲା ସାହୁ ରୁମକୁ ଖାଇବା ପାଇଁ ଯାଇଥିଲେ। ତେବେ ଇଂଜେକ୍ସନ୍‌ ଦେବାରେ ସାମାନ୍ୟ ବିଳମ୍ୱ ହେବାରୁ ଡାକ୍ତର ରତିରଞ୍ଜନଙ୍କ ସହ ଯୁବକଦ୍ବୟ ଯୁକ୍ତିତର୍କ କରିଥିଲେ। ପ୍ରତିବାଦ କରିବାରୁ ୨ଜଣଯାକ ହଠାତ୍‌ ଡାକ୍ତରଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଡାକ୍ତରଙ୍କ ପାଟି ଶୁଣି ସୁରକ୍ଷା କର୍ମୀ କିଶୋର ଚନ୍ଦ୍ର ସାହୁ ଏବଂ ନର୍ସ ସିଲା ସାହୁ ଡାକ୍ତରଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ ହେଁ ଯୁବକଦ୍ବୟ ସେମାନଙ୍କୁ ବି ଆକ୍ରମଣ କରିଥିଲେ। ଘଟଣାର ସମସ୍ତ ଦୃଶ୍ୟ ମେଡିକାଲ ସିସିଟିଭିରେ କଏଦ୍‌ ହୋଇଛି। ପୁଲିସ ସୁରକ୍ଷା ନ ଥିବା କାରଣରୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe