ହେୟାର୍‌ କଲର୍‌ ପାଇଁ ପାର୍ଲର୍‌ ଯାଉଛନ୍ତି କୁକୁର

Advertisment
ହେୟାର୍‌ କଲର୍‌ ପାଇଁ ପାର୍ଲର୍‌ ଯାଉଛନ୍ତି କୁକୁର

ଭୁବନେଶ୍ବର: ରାଜଧାନୀରେ କୁକୁର ପୋଷିବା ଏକ ବଡ଼ ସଉକ ହୋଇଗଲାଣି। ପାଳିତ କୁକୁରକୁ ଲୋକେ ପରିବାରର ସଦସ୍ୟଙ୍କ ଭଳି ରଖୁଛନ୍ତି। ମଣିଷ ଭଳି ତା’ର ଯତ୍ନ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କୁକୁରଙ୍କ ‘ବଡି ଗ୍ରୁମିଂ’ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଛି ପେଟ୍ ପାର୍ଲର୍‌। ସେଠାରେ କୁକୁରର ଲୋମ ବା କେଶ କାଟିବା ଠାରୁ ଆରମ୍ଭକରି ରଙ୍ଗ କରିବା ଯାଏ ସବୁ କିଛି ହୋଇପାରୁଛି।

‌ଏହି ପେଟ୍‌ ପାର୍ଲର୍‌କୁ କୁକୁରମାନେ ମାସକୁ ଅନ୍ତତଃ ୨ଥର ଯାଆନ୍ତି। ସେଠି ସେମାନଙ୍କର ଗାଧୁଆଠାରୁ ନେଇ କେଶ କାଟିବାଯାଏ ୧୫ ଦିନରେ ଥରେ କରାଯାଏ। ପାର୍ଲର୍‌ରେ କୁକୁରଙ୍କର ମସାଜ୍‌ର ବ୍ୟବସ୍ଥା ମଧ୍ୟ ଅଛି। ତାଙ୍କ ସ୍ନାନପର୍ବ କିଛି କମ୍‌ ନୁହେଁ! ପ୍ରଥମେ ବଡି କ୍ଲିଞ୍ଜର୍‌ ଲଗାଇ ଗାଧୋଇବା ପରେ ଦେହକୁ ପୋଛି ଡ୍ରାୟର୍‌ ସାହାଯ୍ୟରେ ଶୁଖାଯାଏ। ସେମାନେ ତା’ପରେ ସ୍ବତନ୍ତ୍ର ପାଉଡ଼ର୍‌, ବଡ଼ିଲୋସନ ଓ ବଡି ସ୍ପ୍ରେ ଲଗାଇଥାନ୍ତି। ସପ୍ତାହକୁ ଥରେ କାନସଫା, ‘ଆଇ ୱାସ୍‌’, ‘ମାଉଥ ୱାସ୍’ ଓ ନଖ କଟାଯାଏ। କୁକୁରଙ୍କ ବ୍ରିଡ୍‌କୁ ନେଇ ସେମାନଙ୍କୁ ଟେଡି କଟ୍, ଲାୟନ କଟ୍ ଭଳି ହେୟାର୍‌ ଷ୍ଟାଇଲ୍‌ ଦିଆଯାଏ। ମଣିଷଙ୍କ ପରି ଭୁବନେଶ୍ବରରେ ଏବେ କୁକୁରଙ୍କର ମଧ୍ୟ ହେୟାର କଲର ଟ୍ରେଣ୍ଡ୍ ଚାଲିଛି। ମୁଖ୍ୟତଃ ଜର୍ମାନ ସେଫର୍ଡ ଓ ହସ୍‌କି ପ୍ରଜାତିର କୁକୁରଙ୍କର କେଶ କଲର୍‌ କରିବାକୁ ମାଲିକମାନେ ପସନ୍ଦ କରୁଛନ୍ତି। ସେହିପରି ଫଙ୍ଗଲ୍‌ ଇନ୍‌ଫେକ୍ସନ ଓ ଅନ୍ୟ ଚର୍ମ ଓ କେଶ ରୋଗର ଚିକିତ୍ସା ମଧ୍ୟ ସେଠାରେ କରା ଯାଉଛି।

କୁକୁରମାନେ ମଣିଷଙ୍କ ପରି ଚୁପ୍‌ ହୋଇ ବସିବା କଷ୍ଟକର। ସେମାନଙ୍କୁ ଚୁପ୍‌ ରଖିବାଲାଗି ପ୍ରଶିକ୍ଷଣ ନେଇଥିବା ଟ୍ରେନରମାନଙ୍କୁ ନିଯୁକ୍ତ କରାଯାଇଥାଏ। ସେମିତି ନଖ କାଟିବାକୁ ହେଲେ କୁକଚରକୁ ହ୍ୟାଙ୍ଗିଙ୍ଗ୍ ବ୍ୟାଗ୍‌ ଦ୍ବାରା ଝୁଲାଇ କଟାଯାଏ। ଭୁବନେଶ୍ବରରେ ଗୋଟିଏ କୁକୁରର ପୂରା ବଡି ଗ୍ରୁମିଂ ପାଇଁ ପ୍ରାୟ ୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଉଛି। ସେମିତି କାନ ସଫା, ଆଇ ୱାସ୍‌ ଓ ମାଉଥ ୱାସ ୯୦୦-୧,୦୦୦ ଟଙ୍କାରେ ହୋଇ ପାରୁଛି। ବର୍ତ୍ତମାନ ହୋମ୍‌ ସର୍ଭିସ୍‌ର ସୁବିଧା ମଧ୍ୟ ଉପଲବ୍ଧ ହେଲାଣି। ଅର୍ଥାତ୍‌ ଖବର ଦେଲେ, ପାର୍ଲର୍‌ କର୍ମଚାରୀ ଆସି ଘରେ କୁକୁରକୁ ଉପରୋକ୍ତ ସେବା ଯୋଗାଇ ଦେଇ ପାରୁଛନ୍ତି। ତେବେ ସହିଦନଗରଠାରେ ଥିବା ‘ପେଟ୍‌ ବଡି ଗ୍ରୁମିଂ ସେଲୁନ’ର ସତ୍ତ୍ବାଧିକାରୀ ବିଶ୍ବରଞ୍ଜନ ସାହୁ କହନ୍ତି, ‘‘କୁକୁରମାନଙ୍କୁ ସଫା ରଖିଲେ ପରିବାରର ଲୋକମାନେ ମଧ୍ୟ ସୁସ୍ଥ ରହିବେ। ଘରକୁ ଯାଇ ସର୍ଭିସ ଦେବା ବହୁତ କଷ୍ଟ। କାରଣ କୁକୁର ତା’ ମାଲିକଙ୍କୁ ଦେଖିଲେ ଆମ ବୋଲ ମାନେନି। ତେଣୁ ଗ୍ରୁମିଂ କରିବାବେଳେ ବହୁତ କଷ୍ଟ ହୁଏ। କିନ୍ତୁ ପାର୍ଲର୍‌ରେ ଦରକାରୀ ସରଞ୍ଜାମ ଥାଏ, କୁକୁର ଅତି ସହଜରେ କଥା ମାନେ। ବିନା ପ୍ରଶିକ୍ଷଣରେ କୁକୁରଙ୍କୁ ସମ୍ଭାଳିବା ଅତି କଷ୍ଟ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe