ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ବ: ବାତ୍ୟା ପାଇଁ ବାଲିପାଟଣାରେ ପ୍ରଶାସନର ପ୍ରସ୍ତୁତି, ହେଡ୍‌କ୍ବାର୍ଟର୍‌ ଛାଡ଼ିବେନି ସରକାରୀ କର୍ମଚାରୀ

Advertisment
ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ବ: ବାତ୍ୟା ପାଇଁ ବାଲିପାଟଣାରେ ପ୍ରଶାସନର ପ୍ରସ୍ତୁତି, ହେଡ୍‌କ୍ବାର୍ଟର୍‌ ଛାଡ଼ିବେନି ସରକାରୀ କର୍ମଚାରୀ

ବାଲିପାଟଣା: ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ସାମୁଦ୍ରିକ ବାତ୍ୟା 'ୟାସ୍‌' ବାଲିପାଟଣା ବ୍ଲକ୍‌ ଓ ତହସିଲ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨ ବର୍ଷ ତଳେ ବାତ୍ୟା 'ଫନି' ବ୍ଲକ୍‌ରେ ପ୍ରଭୂତ କ୍ଷୟକ୍ଷତି ଘଟାଇଥିଲା। ତେଣୁ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଯଦିଓ ଖୋର୍ଧା ଜିଲ୍ଲାରେ 'ୟାସ୍‌'ର ପ୍ରଭାବ ବେଶି ଅନୁଭୂତ ହେବନି, କିନ୍ତୁ ଭୀଷଣ ବର୍ଷା‌ ପବନ ଯୋଗୁଁ ବନ୍ୟା, କଚ୍ଚାଘର ଭୁଶୁଡ଼ି ଯିବା ଭଳି ଅଘଟଣକୁ ଏଡ଼ାଇ ଦିଆଯାଇନପା‌ରେ। ଏହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ତଳିଆ ଅଞ୍ଚଳ ଓ କଚ୍ଚାଘର ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ମାଇକ୍‌ ଯୋଗେ ପିଇବା ପାଣି ସୁରକ୍ଷିତ ରଖିବା, ଟର୍ଚ୍ଚ, ମହବତି ଘରେ ସାଇତି ରଖିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେହିପରି ପାନୀୟ ଜଳଯୋଗାଣ କାର୍ଯ୍ୟାଳୟରେ ୬ଟି ଡିଜେ ସେଟ୍‌, ୮ଟି ପାଣି ଟ୍ୟାଙ୍କର୍‌ ମହଜୁଦ ରଖାଯାଇଛି। ଓଭରହେଡ୍‌ ଟାଙ୍କିରେ ମଧ୍ୟ ପାଣି ଗଚ୍ଛିତ ରଖାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ସୁଚିତ୍ରା ସେନ ସୂଚନା ଦେଇଛନ୍ତି। ବିପଦସଂକୁଳ ଘରେ ନ ରହି ସୁରକ୍ଷିତ ସ୍ଥାନକୁ ଯିବା, କଳାବଜାର ରୋକିବା, ଦୋକାନରେ ଦରଦାମ ଚାଟ ଲଗାଇବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି। ତହସିଲଦାର ସୁନିତା ଜେନାଙ୍କ ସୂଚନା ଅନୁସାରେ, ସବୁ ସରକାରୀ କର୍ମଚାରୀଙ୍କୁ ମଙ୍ଗଳବାରଠାରୁ ହେଡ୍‌କ୍ବାର୍ଟର୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚୁର ପରିମାଣରେ ପଲିଥିନ୍‌ ଗଚ୍ଛିତ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ମୁହୂର୍ତ୍ତ ପାଇଁ ମଧ୍ୟ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe