ଭୁବନେଶ୍ବର: ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ରୁ ଉଠିଲା ଇଲେକଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍)। ବିଏମ୍ସି ନିର୍ବାଚନ ସରିବାର ପାଖାପାଖି ଗୋଟିଏ ମାସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଇଭିଏମ୍ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅପରାହ୍ନରେ ପ୍ରଶାସନ ପକ୍ଷରୁ ୩ଟି କଣ୍ଟେନର୍ ମାଧ୍ୟମରେ ସେଗୁଡ଼ିକୁ ଅନ୍ୟତ୍ର ନିଆଯାଇଛି।
ବିଏମ୍ସି ନିର୍ବାଚନ ଲାଗି ଏଥର ୧୪୧୦ଟି ଇଭିଏମ୍ ବ୍ୟବହୃତ ହୋଇଥିଲା। ସେଗୁଡ଼ିକୁ କମିସନିଂ ପରେ ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ ପରିସରରେ କଡ଼ା ସୁରକ୍ଷା ବଳୟରେ କ୍ଲାସରୁମ୍ ପରିସରରେ ରଖାଯାଇଥିବାରୁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ୬ ମହଲା ବିଶିଷ୍ଟ ଏହି ବିଲଡିଂ ଉପର ଦୁଇଟି ମହଲାର ୧୧ଟି ରୁମ୍ରେ ଇଭିଏମ୍ ରହିଥିଲା। ବାକି ୪ ମହଲା ନିର୍ବାଚନର କୌଣସି କାମରେ ଆସୁ ନ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବିଲଡିଂକୁ ତାଲା ମରାଯାଇ ରଖାଯିବା ସହ ପୁଲିସ ମୁତୟନ ରହିଥିଲେ। ଯେଉଁଥିପାଇଁ ବାକି ମହଲାଗୁଡ଼ିକ କୌଣସି କାମରେ ଆସିପାରୁ ନ ଥିଲା। ଏନେଇ ଗତ ସପ୍ତାହରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଆଜି ଇଭିଏମ୍ ଉଠାଇବା ଦିଗରେ ପଦକ୍ଷେପ ନିଆଯାଇଛି।
Follow Us