ଅଧାରେ ଅଟକିଲା ବିନ୍ଦୁସାଗର ଜଳ ନିଷ୍କାସନ ପଥ ଖନନ

Advertisment
ଅଧାରେ ଅଟକିଲା ବିନ୍ଦୁସାଗର ଜଳ ନିଷ୍କାସନ ପଥ ଖନନ

Trawell.in

ପୁରୁଣା ଭୁବନେଶ୍ୱର: ଲୋକ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଏକାମ୍ରର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗର ଜଳ ନିଷ୍କାସନ ପଥକୁ ଆଜି ଖୋଲାଯିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲେ ହେଁ କାମ ଅଧାରେ ଅଟକି ଯାଇଛି। ନିଷ୍କାସନ ପଥ ଖନନ କରାଯାଉଥିବା ବେଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଉପସ୍ଥିତ ନ ରହିବାରୁ କାମ ଅଧାରେ ରହିଗଲା। ତେଣୁ ଅଧୁରା କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା ହେଲେ, ଲୋକ ଅଦାଲତରେ ମାମଲା କରିଥିବା ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡା ପୁଣି ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଆଜି ବିନ୍ଦୁସାଗର ପୂର୍ବ-ଉତ୍ତର କୋଣରେ ଏକ ପାଣି ମଟର ବକ୍ସକୁ ସ୍ଥାନାନ୍ତର କରାଯାଇ ଖନନ କାମ ଆରମ୍ଭ ହୋଇଥିଲା। ଏଠାରେ ଏକ ପାଇପ୍‌ ଯୋଗେ ପାଣି ନିଷ୍କାସନ ପାଇଁ ବାଟ ରହିଥିଲେ ହେଁ ପୂର୍ବରୁ ଥିବା ବଡ଼ ଡ୍ରେନ୍‌ ପୋତି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏହା କଂକ୍ରିଟ୍‌ କି ଆର୍ବଜନା ବୋଲି ଆଜି ଖନନ ବେଳେ ଉପସ୍ଥିତ ଟିମ୍‌ ଜାଣିପାରି ନଥିଲା। ଉକ୍ତ ଡ୍ରେନ୍‌କୁ ବାଉଁଶ ଦ୍ବାରା ପରିଷ୍କାର କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଟିମ୍‌ କାମ ବନ୍ଦ କରିଥିଲା।

ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, ବିନ୍ଦୁସାଗରର ଦୟନୀୟ ଅବସ୍ଥା ସମ୍ପର୍କରେ ସେ ସ୍ଥାୟୀ ଲୋକ ଅଦାଲତରେ ମାମଲା ଦାଏର କରିଥିଲେ। ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଥିବାରୁ ଦିନକୁ ଦିନ ବିନ୍ଦୁସାଗର ପାଣି ସ୍ୱଚ୍ଛତା ହରାଉଛି ବୋଲି ସେ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବାର ୬ ବର୍ଷ ପରେ ଅଦାଲତ ବନ୍ଦ ଜଳ ନିଷ୍କାସନ ପଥ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଖନନ ପୂର୍ବରୁ ବିନ୍ଦୁସାଗରରୁ ପାଣି ନିଷ୍କାସନ ପାଇଁ କେଉଁ ବାଟ ରହିଛି ଏବଂ କେଉଁ ବାଟ ବନ୍ଦ ରହିଛି, ଅନୁଧ୍ୟାନ କରାଯାଇଥିଲା। ବିନ୍ଦୁସାଗରରୁ ପାଣି ନିଷ୍କାସନ ପାଇଁ ଥିବା ପୁରୁଣା ବାଟ ପୁଷ୍କରିଣୀ କଡ଼କୁ ଲାଗି ରହିଥିବା ହନୁମାନ ମନ୍ଦିର ନିକଟରେ ପାଣି ବ୍ଲକ୍‌ ହେଉଥିବା ଜଣାପଡ଼ିଥିଲା। ତେଣୁ ଏହାକୁ ଆଜି ଖନନ କରାଯାଇଥିଲା। ମାତ୍ର ଅଦାଲତଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ଆଜି ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ କିମ୍ବା ତାଙ୍କ ସାଇଣ୍ଟିଫିକ୍‌ ଟିମ୍‌ ଆସିନଥିଲେ। ଫଳରେ ଏହି ଡ୍ରେନ୍‌ରେ କ’ଣ ବାଟ ଓଗାଳିଛି, ଜଣାପଡ଼ିନଥିଲା। ଆଜି ଏହି ଡ୍ରେନ୍‌ ଉଦ୍ଧାର କାର୍ଯ୍ୟ ବେଳେ ଦେବୋତ୍ତର ଆୟୁକ୍ତଙ୍କ ପକ୍ଷରୁ ସହାୟକ ଦେବୋତ୍ତର ଆୟୁକ୍ତ ଗଗନ କୁମାର ସାହୁ, ବିଏମ୍‌ସି ଆୟୁକ୍ତଙ୍କ ପକ୍ଷରୁ ବିଏମ୍‌ସି ଡେପୁଟି କମିସନର ସ୍ନେହଲତା ଆଚାର୍ଯ୍ୟ, ଡ୍ରେନେଜ୍‌ ଡିଭିଜନ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଓ ଲିଙ୍ଗରାଜ ଥାନାର ଅଧିକାରୀମ‌ାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe