ପୁରୁଣା ଭୁବନେଶ୍ବର: ଟଙ୍କପାଣି ରୋଡ୍ ସାଇମନ୍ଦିର ନିକଟରେ ଥିବା ସାଇ ରେସିଡେନ୍ସିରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଟ୍ରାନ୍ସଫର୍ମରଟି ପୂର୍ବରୁ ଖୁଣ୍ଟ ଉପରେ ଥିଲା। ପ୍ରାୟ ୧୫ଦିନ ତଳେ ଟ୍ରାନ୍ସଫର୍ମର ଖରାପ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଏହାପରେ ବିଦ୍ୟୁତ୍ ଯୋଗାଣ ସଂସ୍ଥା ପକ୍ଷରୁ ଟ୍ରାନ୍ସଫର୍ମରକୁ ସଜଡ଼ା ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ସଜଡ଼ା ସରିବା ପରେ ଟ୍ରାନ୍ସଫର୍ମରକୁ ରାସ୍ତା ଉପରେ ମୁକୁଳା ଛାଡ଼ି ଚାଲି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଅଭିରାମ ସାମନ୍ତରାୟଙ୍କ କହିବା ଅନୁସାରେ, କଲୋନିରେ ୨୫୦ରୁ ଅଧିକ ପରିବାର ରହୁଛନ୍ତି।
ରାସ୍ତା ଉପରେ ଟ୍ରାନ୍ସଫର୍ମର୍ ଥିବାରୁ ଏହି ବାଟ ଦେଇ ଯାତାୟାତ କରିବାକୁ ଭୟ ଲାଗୁଛି। ଏହା ଛଡ଼ା ଛୋଟ ପିଲା ଓ ଗାଈଗୋରୁଙ୍କ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ଟ୍ରାନ୍ସଫର୍ମର ତଳେ ରଖାଯାଇଥିବାରୁ ୫ଦିନ ତଳେ ବୁଲା ଗୋରୁଟିଏ ସେଥିରେ ମୁହଁ ମାରିଦେବାରୁ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ଅସ୍ଥାୟୀ ବାଡ଼ ତିଆରି କରାଯାଇଛି। ତେଣୁ ତୁରନ୍ତ ଏହାର ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Follow Us