ବଜ୍ରପାତ ଭୟରୁ ମୁକୁଳିପାରୁନି ଯମେଶ୍ବର ମନ୍ଦିର

Advertisment

ଭଗ୍ନ ଦଧିନଉତିର ମରାମତି ଅଧୁରା, ଲିଙ୍ଗରାଜଙ୍କ ଭିଣୋଇ ଅଲୋଡ଼ା

ଭଗ୍ନ ଦଧିନଉତିର ମରାମତି ଅଧୁରା, ଲିଙ୍ଗରାଜଙ୍କ ଭିଣୋଇ ଅଲୋଡ଼ା

ବଜ୍ରପାତ ଭୟରୁ ମୁକୁଳିପାରୁନି ଯମେଶ୍ବର ମନ୍ଦିର

Hindu Temples of India

ପୁରୁଣା ଭୁବନେଶ୍ୱର: ୨୦୧୮ ଜୁଲାଇ ୩୦ ତାରିଖ। ଅପରାହ୍ନରେ ଘଡ଼ଘଡ଼ି ସହ ଖୁବ୍‌ ଜୋର୍‌ରେ ମେଘ ବର୍ଷିଲା। ଯମେଶ୍ବର ମନ୍ଦିରରେ ହେଲା ବଜ୍ରପାତ। ପତାକା ପୋଡ଼ିଗଲା ଓ ଆଶିଂକ ଭାବେ ଦଧିନଉତି ଭାଙ୍ଗିଗଲା। ଆର୍ଥିଂ ନଥିବାରୁ ବଜ୍ରପାତ ଯୋଗୁଁ ମନ୍ଦିରର ସବୁ ଲାଇଟ୍‌ ଓ ଫ୍ୟାନ୍ ଅଚଳ ହୋଇଗଲା। ସେହିଦିନରୁ ଦଧିନଉତି ମରାମତି ଅଧୁରା ରହିଛି। ପରେ ଲଗାଯାଇଥିବା ଆର୍ଥିଂକୁ କେହି ତାଡ଼ି ନେଇଗଲା ଯେ ଆଉ ଲାଗିପାରିନାହିଁ। ତେଣୁ ଆଜି ବି ଏହି ମନ୍ଦିରକୁ ଲାଗିରହିଛି ବଜ୍ରପାତ ଭୟ। ମନ୍ଦିର ସାରା ବର୍ଷା ପାଣି ଗଳୁଛି। ମନ୍ଦିର ପରିସରସ୍ଥ ସିଂହାସନ ପିଣ୍ଡି ଭାଙ୍ଗି ପଡ଼ିଛି। ଏମିତି ବହୁ କାରଣରୁ ଏକାମ୍ରକ୍ଷେତ୍ରାଧିପତି ଶ୍ରୀଲିଙ୍ଗରାଜଙ୍କ ଭିଣୋଇ ଯମେଶ୍ବରଙ୍କ ମନ୍ଦିର ଅବହେଳିତ ହୋଇରହିଛି ବୋଲି ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ପର୍ବ ଓ ଯାତ୍ରା ସହ ଯମେଶ୍ବର ମନ୍ଦିରର ସମ୍ପର୍କ ରହିଛି। ଯମ ଦ୍ବିତୀୟା ତିଥି‌ରେ ଶ୍ରୀଲିଙ୍ଗରାଜ ଭିଣୋଇ ଯମେଶ୍ବରଙ୍କ ସାନିଧ୍ୟ ଲାଭ ପାଇଁ ଏହି ମନ୍ଦିରକୁ ଯାତ୍ରା କରନ୍ତି। ଏହି ମନ୍ଦିର ବି ବହୁ ପ୍ରାଚୀନ ଓ ଦ୍ବାଦଶ ଶତାବ୍ଦୀରେ ନିର୍ମିତ। ବଡ଼ କଥା ହେଉଛି ସପ୍ତରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ବି ବହୁତ ସୁନ୍ଦର କାରୁକାର୍ଯ୍ୟରେ ଭରପୁର। କିନ୍ତୁ ଏଏସ୍ଆଇର ଯତ୍ନ ଅଭାବରୁ ଏହି ମନ୍ଦିର ବିପଦସଂକୁଳ ଅବସ୍ଥାରେ ରହିଛି। ମରାମତି ହେଉନଥିବାରୁ ଦୀର୍ଘ ବର୍ଷ ଧରି ମନ୍ଦିରର ବହୁ ସ୍ଥାନରେ ବର୍ଷା ପାଣି ଗଳୁଛି ଓ ପଥର ସବୁ ଦୁର୍ବଳ ହୋଇଗଲାଣି। ବଜ୍ରପାତ ପରେ ଦଧିନଉତି ମରାମତି, ଆର୍ଥିଂ ସଂଯୋଗ ଓ ମନ୍ଦିରର ମରାମତି ପାଇଁ ୧.୩୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ନୂଆ ଆର୍ଥିଂ ଲାଗିଲା। ଦଧିନଉତି ଓ ମନ୍ଦିରର ଅନ୍ୟାନ୍ୟ ଅଂଶ ମରାମତି କରିବାକୁ କାମ ଆରମ୍ଭ ହେଲା।

କିନ୍ତୁ କାମ ଅଧାରୁ ବନ୍ଦ ହୋଇଗଲା। ଏବେ ବି ମନ୍ଦିରକୁ ସେମିତି ଲୁହା ବାଡ଼ା(ସାଟରିଂ) ଘେରି ରହିଛି। ଦଧିନଉତି ମରାମତି ବି ଅଧୁରା ରହିଛି। ଏହା ଭିତରେ କାମ ବନ୍ଦ ରହିବା ମଉକାରେ କେହି ଦୁର୍ବୃତ୍ତ ଲାଗିଥିବା ଆର୍ଥିଂକୁ ତାଡ଼ି ନେଇଗଲା। ପୁଲିସ ଦୁର୍ବୃତ୍ତର ପତ୍ତା ପାଇନାହିଁ କି ଆଉ ନୂଆ ଆର୍ଥିଂ ଲଗାଯାଉନାହିଁ। ମନ୍ଦିର ମରାମତି କାମ ଅଧାରେ ଅଟକି ରହିଥିବାରୁ ସିଂହାସନ ପିଣ୍ଡି ବି ସେମିତି ଭଗ୍ନ ଅବସ୍ଥାରେ ପଡ଼ିଛି। ଏନେଇ ଏଏସ୍ଆ‌ଇ ଅଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ଖୁବ୍‌ ଶୀଘ୍ର ମରାମତି କାମ ପୁଣି ଆରମ୍ଭ କରାଯାଇ ଶେଷ କରାଯିବ ବୋଲି କାମଚଳା ଉତ୍ତର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe