ଫିକା ପଡ଼ିଲା ମହୋତ୍ସବ, ଶିଳ୍ପାଞ୍ଚଳରେ ନିରାଡ଼ମ୍ବର ବିଶ୍ବକର୍ମା ପୂଜା

ସଂକ୍ରାନ୍ତିରେ ମାନିଲେନି କଟକଣା

ଚନ୍ଦ୍ରଶେଖରପୁର: ରାଜଧାନୀର ବହୁ ପ୍ରତିଷ୍ଠିତ ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଆଜି ନିରାଡ଼ମ୍ବର ଭାବେ ପାଳିତ ହୋଇଛି ବିଶ୍ବକର୍ମା ପୂଜା। ଭୁବନେଶ୍ବର ପ୍ରତିଷ୍ଠା ଦିବସଠାରୁ ପ୍ରଥମଥର ଏପରି ଦେଖାଯାଇଛି। ମହାମାରୀ ‌କରୋନା ପାଇଁ ବିଶ୍ବକର୍ମା ପୂଜାରେ ପ୍ରଶାସନ ଅଙ୍କୁଶ ଲଗାଇଛି। ପାଖାପାଖି ୨୦୦ରୁ ଅଧିକ ଛୋଟବଡ଼ କଳକାରଖାନା ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା ବେଳେ ଚଳିତବର୍ଷ କେବଳ ମୂର୍ତି ପୂଜାରେ କାମ ଚଳିଛି। ମୀନା ବଜାର ଓ ମହୋତ୍ସବ ବାତିଲ କରିଦିଆଯାଇଛି। ଜନ ସମାଗମ ଏଡ଼ାଇବା ପାଇଁ କାର୍ଯ୍ୟାଳୟର ମାତ୍ର ୧୦ ଭାଗ ଲୋକଙ୍କୁ ନେଇ ପୂଜା କରିବାକୁ ପ୍ରଶାସନ ଅନୁମତି ଦେଇଥିଲା। ଡାକବାଜି ଯନ୍ତ୍ର କିମ୍ବା ମାଇକ୍ ଦ୍ବାରା ସଂଗୀତ ପରିବେଷଣ ପାଇଁ ବି ବାରଣ କରାଯାଇଥିଲା। ମୂର୍ତି ପୂଜା ପରେ ତୁରନ୍ତ ଗୋଟିଏ ଦିନ ପରେ ଠାକୁର ବିସର୍ଜନ କରିଦେବା ପାଇଁ ନିୟମ କରାଯାଇଛି। ଭୋଜି କିମ୍ବା ପ୍ରସାଦ ସେବନ ନକରି ଅଯଥାରେ ଜନସମାଗମ ନକରିବାକୁ ପୁଲିସ୍‌ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ପାଣ୍ଡାଲ ଖୋଲିବାକୁ ବାରଣ କରାଯାଇଛି।

ପୂର୍ବରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ରେଳଡବା ମରାମତି କାରଖାନା ଓ ଭିଏସ୍‌ଏସ୍ ନଗରରେ ମୀନାବଜାର ସହିତ ଅପେରା ପରିବେଷଣ ହେଉଥିଲା। ସେହିଭଳି ଶୈଳଶ୍ରୀବିହାର ଓ ଇନ୍‌ଫୋସିଟି ଛକରେ ମଧ୍ୟ ମୀନାବଜାର ହେଉଥିଲା। ମାତ୍ର ଚଳିତବର୍ଷ ସବୁ ବନ୍ଦ ରହିଛି। ତେବେ ଓମଫେଡ୍‌ ଛକରୁ ରେଳଡବା ମରାମତି କାରଖାନା ଛକ ପର୍ଯ୍ୟନ୍ତ ଏଲ୍ଇଡି ଆଲୁଅ ତୋରଣ ସହ ହୋଇଥିଲା। ଓମଫେଡ୍‌ ଓ ରେଳଡବା ମରାମତି କରଖାନା ଭିତରକୁ ସାଧାରଣ ଜନତା ପ୍ରବେଶ କରି ଦର୍ଶନ କରୁଥିଲେ। ସାତଦିନ ବ୍ୟାପୀ ଏଠାରେ ବିଶ୍ବକର୍ମା ମହୋତ୍ସବ ଚାଲିବା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଜି ହୁଏ। ମାତ୍ର କରୋନା ସବୁ ଉତ୍ସାହକୁ ଫିକା କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe