ଉତ୍ପାତ କରୁଛନ୍ତି ଫାଇନାନ୍ସର, ଆତ୍ମାହୁତି ଦେବେ ଅଟୋଚାଳକ

ଉତ୍ପାତ କରୁଛନ୍ତି ଫାଇନାନ୍ସର, ଆତ୍ମାହୁତି ଦେବେ ଅଟୋଚାଳକ

ଭୁବନେଶ୍ବର: ରୋଜଗାରେ ଛଡ଼ାଇ ନେଇଛି କରୋନା। ହାତବାନ୍ଧି ବସିଛନ୍ତି ଅଟୋଚାଳକ। ଏଭଳି ସ୍ଥିତିରେ ଉତ୍ପାତ କରୁଛନ୍ତି ଫାଇନାନ୍ସର। ରାସ୍ତା ମଝିରୁ କେଉଁଠି ଅଟୋ ଛଡ଼ାଇ ନେଲେଣି ତ’ କେଉଁଠି ଚାଳକକୁ ପିଟିଲେଣି। ରାସ୍ତାରେ ନ ପାଇଲେ ଘରକୁ ଫୋନ୍‌ କରି ଚଉଦ ପୁରୁଷ ଉଝାଳିଲେଣି। ବେପାର ନଥିବାରୁ ମାସିକିଆ କିସ୍ତି ଭାର ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି। ତା’ ଉପରେ ଏହି ଫାଇନାନ୍ସରଙ୍କ ଉତ୍ପାତ ପରିସ୍ଥିତି ଅସମ୍ଭାଳ କଲାଣି। ଏଣୁ ୨ ମାସର କିସ୍ତି ପୂର୍ବଭଳି ଘୁଞ୍ଚାଇ ଦିଆଯାଉ ବୋଲି ଦାବି କରିଛି ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌। ଆସନ୍ତାକାଲି ମାଷ୍ଟର କ୍ୟାଣ୍ଟିନ୍‌ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ପ୍ରେରଣ କରାଯିବ। ଦାବି ପୂରଣ ନ ହେଲେ ଅଟୋଚାଳକ ସପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରୁପ୍‌ର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ। ତାଙ୍କ ଅଭିଯୋଗ ମୁତାବକ, ଲକ୍‌ଡାଉନ୍‌ରେ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ଏଣୁ ରୋଜଗାର ବନ୍ଦ ରହିଥିଲା। ପ୍ରଥମ ୬ ମାସ ଲକ୍‌ଡାଉନ ସମୟରେ ସରକାର କହିଥିଲେ କୌଣସି ପ୍ରକାରର ସୁଧ ଆଦାୟ ହେବ ନାହିଁ । କିନ୍ତୁ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନିମାନେ ଚକ୍ରବୃଦ୍ଧି ସୁଧ ଲାଗୁ କରିଛନ୍ତି। ଏଣେ ଫାଇନାନ୍ସର ଡ୍ରାଇଭରଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଫଳରେ ଗାଡ଼ି ଚଳାଇବା ଅସମ୍ଭବ ହୋଇ ପଡ଼ିଛି। କେତେକ କର୍ମଚାରୀ କିସ୍ତି ଆଦାୟ କରି ନେଇ ଚାକିରି ଛାଡ଼ି ଦେଇଛନ୍ତି। ଫଳରେ ଅଟୋଚାଳକ କିସ୍ତି ଦେଇଥିଲେ ମଧ୍ୟ କମ୍ପାନି ପାଖରେ ପହଞ୍ଚୁନାହିଁ। ଫଳରେ ଅଟୋମାଲିକ ଓ ଫାଇନାନ୍ସ ସଂସ୍ଥା ମୁହାଁମୁହିଁ ହେଉଛନ୍ତି। ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଅଟୋଚାଳକ ସପରିବାର ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe