ବିଜୟ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟର ପ୍ରଥମ ବୈଠକ: ପୁଣ୍ୟତିଥି ଉତ୍ସବ ଭାବେ ପାଳନ ହେଉ: ସୌମ୍ୟରଂଜନ

ବିଜୟ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟର ପ୍ରଥମ ବୈଠକ: ପୁଣ୍ୟତିଥି ଉତ୍ସବ ଭାବେ ପାଳନ ହେଉ: ସୌମ୍ୟରଂଜନ

ଭୁବନେଶ୍ବର: ସେ ଏକ ସଫଳ କାହାଣୀର ନାୟକ, ଅଦ୍ଭୁତ ସଫଳ ମଣିଷ। ସଂସାରରେ ସେହି ବ୍ୟକ୍ତି ଭାଗ୍ୟବାନ, ଯାହାକୁ ଉତ୍ତମ ସହଯୋଗୀ ମିଳନ୍ତି। ସେ ଦୃଷ୍ଟିରୁ ମୁଁ ଭାଗ୍ୟବାନ ଯେ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ସହଯୋଗୀ ଭାବେ ପାଇଥିଲି। ଏଥିପାଇଁ ଈଶ୍ବରଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍‌ ପଡ଼ିବ। ତାଙ୍କ ଅବର୍ତ୍ତମାନରେ ଦୁଃଖରେ ମ୍ରିୟମାଣ ହେବା କିମ୍ବା ତାଙ୍କ ପୁଣ୍ୟତିଥିକୁ ଶୋକାକୁଳ ପରିବେଶରେ ପାଳନ କରିବା, ତାଙ୍କୁ ଉପଯୁକ୍ତ ସମ୍ମାନ ହୋଇନପାରେ। ମୋ ବିଚାରରେ ଯେକୌଣସି ମଣିଷର ପୁଣ୍ୟତିଥି ଉତ୍ସାହର ସହ ଓ ଉତ୍ସବ ଭାବେ ପାଳନ କରାଯିବା ଆବଶ୍ୟକ। ‘ସମ୍ବାଦ’ର ଭୂତପୂର୍ବ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଉଜ୍ଜ୍ବଳତମ ବ୍ୟକ୍ତିତ୍ବର ଗୁଣଗାନ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ସିଆର୍‌ପି ହନୁମାନ ମନ୍ଦିର ପରିସରରେ ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଏବଂ ଚାରିଟେବୁଲ୍‌ ଟ୍ରଷ୍ଟର ପ୍ରଥମ ବୈଠକରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କ ସାନଭାଇ ତଥା ମ୍ୟାନେଜିଂ ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଟ୍ରଷ୍ଟର ଜନ୍ମ ଏବଂ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଲେ, ବିଜୟ ଭାଇ ସବୁବେଳେ ସମାଜିକ, ସାଂସ୍କୃତିକ କାର୍ଯ୍ୟରେ ଜଡ଼ିତ ଥିଲେ। ଅସହାୟଙ୍କୁ ସହାୟ ହେଉଥିଲେ। ତାଙ୍କର ପରୋପକାର ଗୁଣ ଓ ଚିନ୍ତାଧାରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଟ୍ରଷ୍ଟ ଗଠନ କରିବା ପାଇଁ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଟ୍ରଷ୍ଟ ଗଠନ‌ ପରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି।

ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ କିପରି ବିଭିନ୍ନ ମହତ୍‌ ତଥା ଜନମଙ୍ଗଳକାରୀ କାର୍ଯ୍ୟକ୍ରମ କରାଯିବ, ସେନେଇ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଅନ୍ୟତମ ଟ୍ରଷ୍ଟି ଆଶିଷ ମହାନ୍ତି ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତିବର୍ଷ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ, ଖବର କାଗଜ ବିତରକ, ମାଟ୍ରିକ୍‌ରେ ଓଡ଼ିଶା‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ଛାତ୍ର ଓ ଛାତ୍ରୀ ଏବଂ ଶିଶୁ ଶ୍ରମିକରୁ ମୁକ୍ତ ହୋଇ ଉଚ୍ଚଶିକ୍ଷା ଲାଭ କରିଥିବା ଜଣେ ଛାତ୍ର/ଛାତ୍ରୀଙ୍କୁ ମନୋନୀତ କରାଯାଇ ସମ୍ବର୍ଧନା ଦିଆଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ରଥଯାତ୍ରା ଉପଲକ୍ଷେ ଅଜୟ କୁମାର ପଟ୍ଟନାୟକଙ୍କ ଦ୍ବାରା ରଚିତ ଏବଂ କଣ୍ଠଶିଳ୍ପୀ ଶୀତଲ୍‌ କବି ଗାଇଥିବା ଜଗନ୍ନାଥଙ୍କ ଜଣାଣ ‘ଘଣ୍ଟ ବାଜୁଛି’ ଲୋକାର୍ପିତ ହୋଇଥିଲା। ଏହି ଗୀତର ନିର୍ଦ୍ଦେଶକ କେ.ଆର୍‌ ସୌମ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ବର୍ଗତ ପଟ୍ଟନାୟକଙ୍କ ପୁଅ ସ୍ବରୂପ ପଟ୍ଟନାୟକ ସଂଚାଳନା କରିଥିବା ବେଳେ ଶାନ୍ତନୁ ଦାଶ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe