ରାସ୍ତାରେ ବସୁଛି ପାହାଳ ହାଟ: ରୁନ୍ଧି ଦେଉଛି ଟ୍ରାଫିକ୍ ଭିଡ଼

ବର୍ଷବର୍ଷ ଧରି ପାହାଳ ସାପ୍ତାହିକ ହାଟ ରାସ୍ତାରେ ବସୁଛି। ଉପକଣ୍ଠ‌ରେ ଥିବା ଏହି ହାଟରେ ପୂର୍ବରୁ କମ୍‌ ସଂଖ୍ୟକ ବେପାରୀ ପସରା ମେଲାଉଥିଲେ ଏବଂ କମ୍‌ ଗ୍ରାହକ ଏଠାକୁ ଆସୁଥିଲେ।

adggadgdzvc

ବାଲିଅନ୍ତା ବଜାର: ବର୍ଷବର୍ଷ ଧରି ପାହାଳ ସାପ୍ତାହିକ ହାଟ ରାସ୍ତାରେ ବସୁଛି। ଉପକଣ୍ଠ‌ରେ ଥିବା ଏହି ହାଟରେ ପୂର୍ବରୁ କମ୍‌ ସଂଖ୍ୟକ ବେପାରୀ ପସରା ମେଲାଉଥିଲେ ଏବଂ କମ୍‌ ଗ୍ରାହକ ଏଠାକୁ ଆସୁଥିଲେ। ସେହିଭଳି ଗାଡ଼ିମଟର ବି କମ୍‌ ଥିଲା। ତେଣୁ ଟ୍ରାଫିକ୍ ଭିଡ଼ ସେମିତି ଅନୁଭୂତ ହେଉନଥିଲା। କିନ୍ତୁ ଏବେ ପାହାଳ ପଶିଯାଇଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ। ଏହି ଅଞ୍ଚଳରେ ମାଳମାଳ ଆପାର୍ଟମେଣ୍ଟ ଓ ଆବାସିକ କଲୋନି ଗଢ଼ିଉଠିଛି। ତେଣୁ ପାହାଳ ହାଟରେ ଉଭୟ ବେପାରୀ ଓ ଗ୍ରାହକ ବଢ଼ିଯାଇଛନ୍ତି। ମାତ୍ର ହାଟ ସେମିତି ରାସ୍ତା ଉପରେ ବସୁଛି। ଫଳରେ ଟ୍ରାଫିକ୍‌ ଭିଡ଼ ଏହି ରାସ୍ତାର ଯାତ୍ରୀଙ୍କୁ ରୁନ୍ଧି ପକାଉଛି। ହାଟ ପାଇଁ ସ୍ଥାୟୀ ପିଣ୍ଡି ନିର୍ମାଣ କରିବାକୁ ଦାବି ହେଉଥିଲେ ହେଁ ହୋଇପାରିନାହିଁ। 

ବିଏମ୍‌ସି ୪ ନମ୍ବର ୱାର୍ଡରେ ଏହି ସାପ୍ତାହିକ ହାଟ ରହିଛି ଏବଂ ୧୬ନମ୍ବର ଜାତୀୟ ରାଜପଥକୁ ଛୁଉଁଥିବା ପାହାଳ ଗ୍ରାମ୍ୟ ଉନ୍ନୟନ ରାସ୍ତା କଡ଼ରେ ଚାଲିଛି। ୧୯୬୪ ମସିହାରୁ ଏହି ହାଟ ଚାଲି ଆସୁଛି। ମଙ୍ଗଳବାର ଓ ଶନିବାର ଏମିତି ସପ୍ତାହରେ ଦୁଇ ଦିନ ଏହି ହାଟ ବସିଥାଏ। ମଧ୍ୟାହ୍ନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ହାଟ ଚାଲେ। ପାହାଳ, ଯୋହଳ, ଜୟପୁର, ଅନନ୍ତପୁର, ବଙ୍ଗୁଆରୀ, ଭୀମପୁର, ଜୟରଶାସନ, ନୂଆପାଟଣା, ନଖରା, ୨୨ତାଲା, ଜଗନ୍ନାଥପୁର, ନହରକଣ୍ଟା, ଅଟଳା, ଶାଳେଶ୍ୱର ଆଦି ଗାଁ ସହିତ ଏଠାରେ ନୂତନ ଭାବେ ଗଢ଼ି ଉଠିଥିବା ବହୁ ଆପାର୍ଟମେଣ୍ଟ ବାସିନ୍ଦା ଏଠାରୁ ପରିବା କିଣନ୍ତି। ସେହିଭଳି ଶଙ୍ଖତ୍ରାସ, ଗଅବସ୍ତ, ହରିଅନ୍ତା, ଗୋଗଳ, ନାହଳପୁର, ଗୋବିନ୍ଦପୁର, ନୂଆଗାଁ, ବାରଙ୍ଗ, ନିଆଳି ଅଞ୍ଚଳର ୧୫୦ରୁ ଅଧିକ ଚାଷୀ ପରିବା ପସରା ମେଲାନ୍ତି।

ପାହାଳ ସ୍କୁଲ୍‌ ଛକଠାରୁ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ପରିବା ବ୍ୟବସାୟୀମାନେ ବସନ୍ତି। ବ୍ୟବସାୟୀମାନଙ୍କ କହିବା କଥା ହାଟ ପାଇଁ ଜାଗା ଯେତିକି ଥିଲା, ତା’ଠୁ ବଢ଼ିବାର ବାଟ ନାହିଁ। କିନ୍ତୁ ଗରାଖ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି ଏବଂ ବେପାରୀଙ୍କ ସଂଖ୍ୟା ବି କିଛି ବଢ଼ିଛି। ଫଳରେ ସମସ୍ତ ବେପାରୀ ସେତିକି ଜାଗାରେ ଜାକିଜୁକି ହୋଇ ବସିବାକୁ ବାଧ୍ୟ ହେଉଛନ୍ତି। ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବାରୁ ହାଟରେ ଗହଳି ହେଉଛି। ସବୁ ଗ୍ରାହକ ଗାଡ଼ିମଟର ଧରି ଆସୁଥିବାରୁ ଭିଡ଼ ବେଶି ହେଉଛି। ସନ୍ଧ୍ୟାରେ କଡ଼ ଏଡ଼ାଇବାକୁ ବି କଷ୍ଟ ହେଉଛି। କୌଣସି ଦିନ କୌଣସି ବଡ଼ଗାଡ଼ି ପଶିଲେ, କଥା ସରିଲା। ରାସ୍ତା କଡ଼ରୁ କୌଣସି ଉପଯୁକ୍ତ ଜାଗାକୁ ହାଟ ସ୍ଥାନାନ୍ତର କରିବା ଲାଗି ପ୍ରଶାସନକୁ ନିବେଦନ କରାଯାଇଛି। ଏମିତିକି ବିଏମ୍‌ସିରେ ସାମିଲ ହେବା ପରଠୁ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି। କିନ୍ତୁ ଫଳ ଶୂନ। ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁଙ୍କ କହିବା କଥା ହାଟ ସ୍ଥାନାନ୍ତର ଓ ସ୍ଥାୟୀ ପିଣ୍ଡି ପାଇଁ ବିଏମ୍‌ସିକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe