Sambad English
ଭୁବନେଶ୍ବର: ଦୀର୍ଘ ୭ବର୍ଷ ପରେ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ନିର୍ମିତ ଫଳ ବଜାରର ଭାଗ୍ୟ ଫିଟିବାକୁ ଯାଉଛି। ରାସ୍ତା କଡ଼ରେ ବସୁଥିବା ଫଳ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମେୟର ସୁଲୋଚନା ଦାସ। ଆଜି ଏହି ବଜାରର ସ୍ଥିତି ସମୀକ୍ଷା କରିବା ସହ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ଡେପୁଟି କମିସନର (ମାର୍କେଟ୍)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ ଲକ୍ଷ ଟଙ୍କା(ଫେରସ୍ତଯୋଗ୍ୟ) ସିକ୍ୟୁରିଟି ଜମା ଓ ମାସକୁ ଭଡ଼ା ବାବଦକୁ ବର୍ଗଫୁଟ୍ ପିଛା ୩୫ ଟଙ୍କା ହିସାବରେ ମାସକୁ ୨୫୨୦ ଟଙ୍କା ଧାର୍ଯ୍ୟ ହୋଇଛି।
୪ବର୍ଷ ତଳେ, ଏହି ମାର୍କେଟ୍ରେ ଦୋକାନ ଆବଣ୍ଟନକୁ ନେଇ ବିବାଦ ଦେଖାଦେଇଥିଲା। କେତେ ଫଳ ବେପାର ହେବ ଯେ ୪ ଲକ୍ଷ ଟଙ୍କା ଦେଇ ଦୋକାନ ନେବୁ ବୋଲି ଦୋକାନୀମାନେ ପ୍ରଶ୍ନ କରିଥିଲେ। ସେହିପରି ସର୍ବେକ୍ଷଣରେ କିଛି ବ୍ୟବସାୟୀ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏଣୁ ସେତେବେଳେ ଦୋକାନ ଆବଣ୍ଟନ ହୋଇପାରି ନଥିଲା। ଏବେ ସେସବୁ ବିବାଦର ସମାଧାନ ହୋଇଯାଇଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ତେଣୁ ଖୁବ୍ଶୀଘ୍ର ଫଳ ବଜାର ଖୋଲିବା ସହ ରାଜମହଲ, କଳ୍ପନା, ଏଜି ଛକ ପ୍ରଭୃତି ଅଞ୍ଚଳରେ ରାସ୍ତା ଉପରେ ବସୁଥିବା ଫଳ ଦୋକାନୀଙ୍କୁ ହଟାଇ ଦିଆଯିବ। ସେମାନଙ୍କୁ ଏଇଠାରେ ଥଇଥାନ କରାଯିବ।
ଏହି ମାର୍କେଟ୍ ପାଇଁ ୨୦୧୨ ମସିହାରେ ଯୋଜନା ହେବା ସହ ସାଧାରଣ ପ୍ରଶାସନ ବିଭାଗ ମାର୍କେଟ୍ ବିଲ୍ଡିଂ ପେଟ୍ରୋଲ ପମ୍ପ ନିକଟରେ ଜମି ଯୋଗାଇ ଦେଇଥିଲା। ବିଏମ୍ସି ଏହି ଜାଗାରେ ୨କୋଟି ଟଙ୍କା ଖର୍ଚ୍ଚ କରି ତିନିମହଲା କୋଠା ନିର୍ମାଣ କରିଥିଲା। ଏଥିରେ ୭୮ଦୋକାନୀଙ୍କୁ ଥଇଥାନ କରାଯିବାର ଥିଲା। ୨୦୧୫ ଅଗଷ୍ଟ ୩୧ ତାରିଖରେ ଏହାକୁ ଉଦ୍ଘାଟନ କରିବା ସହ ରାସ୍ତାକଡ଼ରୁ ଏହି ବ୍ୟବସାୟୀମାନଙ୍କୁ ହଟାଇବାକୁ ସ୍ଥିର କରାଯାଇଥିଲା। ହେଲେ ବିବାଦ ଯୋଗୁଁ ଏହି ପ୍ରକଳ୍ପ ସାକାରା ରୂପ ନେଇପାରି ନଥିଲା। ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ଲଟେରି ଜରିଆରେ ଦୋକାନୀଙ୍କୁ ଦୋକାନ ଆଲଟ୍ ହୋଇଥିଲା। କୋଭିଡ୍ ମହାମାରୀ ହେତୁ ଆବଣ୍ଟନ ପ୍ରକ୍ରିୟା ବିଳମ୍ବ ହୋଇଥିବା ବିଏମ୍ସି କହିଥିଲା।
Follow Us