ଗାନ୍ଧୀ ସ୍ମାରକୀ ଲୋଗୋ ଉନ୍ମୋଚିତ

ଗାନ୍ଧୀ ସ୍ମାରକୀ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ୧୯୨୧ ମାର୍ଚ୍ଚ ୨୩ ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଦୋଳପୂର୍ଣ୍ଣିମାର ପବିତ୍ର ତିଥିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆମନ୍ତ୍ରଣ କ୍ରମେ ଓଡ଼ିଶାରେ ପ୍ରଥମ ଥର ପାଦ ପକାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏହାର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଏକ ସ୍ମାରକୀ ଲୋଗୋ ଉନ୍ମୋଚନ କରାଯାଇଛି। ପଦଯାତ୍ରା ସହିତ ଗାନ୍ଧୀ ଅବସ୍ଥାନ କରିଥିବା ସମସ୍ତ ଜାଗାକୁ ପରିକ୍ରମା କରିବାକୁ ଥିବା ଗାନ୍ଧୀ ରଥ ଉନ୍ମୋଚିତ ହୋଇଛି। ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏହାକୁ ଉନ୍ମୋଚନ କରି କହିଥିଲେ, ଲୋଗୋରେ ଚିତ୍ରଣ ହୋଇଥିବା ସବୁଜ କ୍ଷେତ୍ରକୁ ପରିବେଶ ଉପଯୋଗୀ ଦର୍ଶାଉଥିବା ବେଳେ ଖଦିକୁ ସ୍ବାବଲମ୍ବୀର ପ୍ରତୀକ ଭାବେ ଦେଖାଯାଇଛି। ଏହା ସହିତ ଗାନ୍ଧୀଜୀଙ୍କ ବାର୍ତ୍ତା, ଆଭିମୁଖ୍ୟ, ଗାନ୍ଧୀ କଥା ଓ ଗାନ୍ଧୀଚିନ୍ତନ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗାନ୍ଧୀସ୍ମାରକୀ ରଥ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରୁ ଏହି ଯାତ୍ରାର ଶୁଭାରମ୍ଭ କରାଗଲା ବୋଲି ସେ କହିଛନ୍ତି। ଏହି ସ୍ମାରକୀ ରଥରେ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ତଥା ଖଦି ଉପରେ ତାଙ୍କର ଆଭିମୁଖ୍ୟ, ଖଦି ସପ୍ତାହକୁ ଓ ରୋଜଗାର ସୃଜନ କାର୍ଯ୍ୟକ୍ରମ ସଂପର୍କିତ ଚିତ୍ର ଏଲ୍‌ଇଡି ମାଧ୍ୟମରେ ପରିବେଷଣ କରାଯିବ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଏହି ସ୍ମାରକୀ ରଥ ମାଧ୍ୟମରେ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିବା ସଙ୍ଗେ ସଙ୍ଗେ ବୋର୍ଡ ଦ୍ବାରା କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ଗାଁ ଗହଳିର ଗରିବ ବୁଣାକାର ଓ ବେକାର ଯୁବକଯୁବତୀଙ୍କୁ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମରେ ବୋର୍ଡର ବରିଷ୍ଠ ସଦସ୍ୟା ଅରୁନ୍ଧତୀ ଦେବୀ, ସଦାଶିବ ଜେନା, ସମୀର ସାମନ୍ତରାୟଙ୍କ ସମେତ ବୋର୍ଡର ସଚିବ ଅବଦୁଲ୍ ଅଲିମ ଖାନ୍, ଉପସଚିବ ତ୍ରିଯୋଗୀ ନାରାୟଣ ଦାଶ ଓ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe