ଖଦି ବଜାରରେ ପିପିଲି ଚିତ୍ରକଳାର ଚମକ, ଆକର୍ଷଣ ପାଲଟିଛି ନଡ଼‌ାରୁ ତିଆରି ଫଟୋଚିତ୍ର

ଖଦି ବଜାରରେ ପିପିଲି ଚିତ୍ରକଳାର ଚମକ, ଆକର୍ଷଣ ପାଲଟିଛି ନଡ଼‌ାରୁ ତିଆରି ଫଟୋଚିତ୍ର

ଭୁବନେଶ୍ବର, : ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ବାରା ଆୟୋଜିତ ଖଦି ବଜାର ପ୍ରଦର୍ଶନୀରେ ଏଥର ଚମକୁଛି ପିପିଲି ଚିତ୍ରକଳା। ଏଥିସହିତ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ବଢ଼ୁଛି। ବର୍ଜ୍ୟ ବା ଅଦରକାରୀ ବସ୍ତୁରୁ ହାତ ତିଆରି ସୁକ୍ଷ୍ମ କାରିଗରୀ କଳାର ସାମଗ୍ରୀ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ବିଶେଷକରି ନଡ଼ାରୁ ତିଆରି ହୋଇଥିବା ଫଟୋଚିତ୍ର ଦର୍ଶକମାନଙ୍କ ମନ କିଣୁଛି। ଗ୍ରାହକମାନେ ନଡ଼ାରୁ ତିଆରି ହୋଇଥିବା ଫଟୋଚିତ୍ରକୁ ଅଧିକ ସଂଖ୍ୟାରେ କିଣୁଥିବା ଦେଖିବାକୁ ମିଳୁଛି।

ଏମିତି ସୁନ୍ଦର ହସ୍ତଶିଳ୍ପ ସାମଗ୍ରୀ ନେଇ ଖଦି ବଜାରକୁ ଆସିଛନ୍ତି ପିପିଲି ଦାଣ୍ଡମୁକୁନ୍ଦପୁରର ବିନୋଦିନୀ ବେହେରା। କାଗଜ ତିଆରି ବୋତଲ, କାଗଜ ତିଆରି କୁଲା, ତା’ ଭିତରେ ପୁଣି ପ୍ରଭୁ ଗଣେଶଙ୍କ ମୂର୍ତ୍ତି, ପେନ୍‌ ଷ୍ଟାଣ୍ଡ, ହାତୀ ଶୁଣ୍ଢ ଇତ୍ୟାଦି ଧରି ସେ ଖଦି ବଜାରରେ ପସରା ମେଲାଇଛନ୍ତି। ପିପିଲି ଚିତ୍ରକଳା ଫୁଟି ଉଠୁଥିବା ଏହି ସୁନ୍ଦର ହାତ ତିଆରି ଜିନିଷ ଯଥା: ଘର ସଜାଇବା ପାଇଁ ସୁନ୍ଦର ସୁନ୍ଦର କୁଲା, ଗିଲାସ, ହାତୀମୁଣ୍ଡ, ଚଢ଼େଇ ଓ ଚାବି ରିଙ୍ଗ୍‌ ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ତେବେ ତାଙ୍କ ହାତରେ ନଡ଼ାରୁ ନିଆରି ହୋଇଥିବା ବିଭିନ୍ନ ଦେବଦେବୀଙ୍କ ଫଟୋଚିତ୍ର ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଛି। ଫ୍ରେମ୍‌ ଭିତରେ ରହିଛି ଏହି ସବୁ ଫଟୋ। ନଡ଼ାକୁ ଅତି ସୁକ୍ଷ୍ମ ଭାବରେ କାଟି କାଟି ସେ ତିଆରି କରିଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ। ଏଥିସହିତ ଅନ୍ୟ ଦେବଦେବୀଙ୍କର ଫଟୋଚିତ୍ର ମଧ୍ୟ ରହିଛି। ବିନୋଦିନୀଙ୍କ କହିବା କଥା ଛୋଟ ଫଟୋ ଚିତ୍ରଟିକୁ ତିଆରି କରିବା ପାଇଁ ଗୋଟିଏ ଦିନ ଲାଗିଥାଏ। ଏହାକୁ ସେ ୧୦୦ଟଙ୍କାରେ ବିକ୍ରି କରିଥାନ୍ତି। ତାଙ୍କ ସୂଚନାନୁସାରେ ସେ ପ୍ରଥମେ ନଡ଼ାକୁ ଅତି ସୁକ୍ଷ୍ମ ଭାବରେ କାଟି କାଟି ଅଠା ଦ୍ବାରା ଲଗାଇ ମୂର୍ତ୍ତି କରନ୍ତି। ତା’ ପରେ କାଚ ଓ କାଠ ଫ୍ରେମ୍‌ରେ ବନ୍ଧେଇ କରିଥାନ୍ତି। ନଡ଼ାରୁ ତିଆରି ଫଟୋଚିତ୍ର ଗୁଡ଼ିକ ୧୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି କାଗଜକୁ ଗୁଣ୍ଡ କରିବା ପରେ ତାକୁ ପାଣିରେ ଭିଜାଇଥାନ୍ତି। ଏହାପରେ ତାକୁ ଗ୍ରାଇଣ୍ଡିଂ କରି ଏକ ବହଳ ଅଠାଳିଆ ମଣ୍ଡରେ ପରିଣତ କରନ୍ତି। ଏହା‌ପରେ ଉକ୍ତ ମଣ୍ଡକୁ ବିଭିନ୍ନ ଘରସଜା ସାମଗ୍ରୀର ଆକାର ଦିଅନ୍ତି ଓ ରଙ୍ଗତୂଳୀରେ ରଙ୍ଗ ଦେଇଥାନ୍ତି। ଉକ୍ତ ଜିନିଷ ଘରସଜା ଜିନିଷକୁ ସେ ୭୦ ଟଙ୍କାରୁ ଆରମ୍ଭ କରି ୧୮୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରୁଛନ୍ତି।

ସୂଚନାଯୋଗ୍ୟ ଆଜି ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀର ପଞ୍ଚମ ଦିନ ଥିଲା। ଏହି ଅବସରରେ ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ସମେତ ଭଜନ, ଆଧୁନିକ ଗୀତର ଝଲକ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe