‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ; ଜଗନ୍ନାଥଙ୍କ ମାଟିରେ ସମସ୍ତେ ଭାଗ୍ୟବାନ: ରାଜ୍ୟପାଳ

Advertisment
‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ; ଜଗନ୍ନାଥଙ୍କ ମାଟିରେ ସମସ୍ତେ ଭାଗ୍ୟବାନ: ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମ ହୋଇଥିବା ସମ‌ସ୍ତେ ଭାଗ୍ୟବାନ। ସମସ୍ତେ ଭଗବାନ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ। ମୁଁ ମଧ୍ୟ ଏହି ମାଟିକୁ ଆସି ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ରାଜ୍ୟପାଳ ପ୍ରଫେସର୍‌ ଗଣେଣୀ ଲାଲ୍‌ କହିଛନ୍ତି। ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ମିଳନୀର ସଭାପତି ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହକୁ ଉଦ୍‌ଘାଟନ କରି ରାଜ୍ୟପାଳ ଶ୍ରୀ ଲାଲ୍‌ ଆହୁରି କହିଲେ ଯେ ମିଳନୀର ପ୍ରତିଷ୍ଠାତା ହରେକୃଷ୍ଣ ମହତାବଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ କେବଳ ଭଦ୍ରକ କାହଁକି, ସାରା ଓଡ଼ିଶାର ଜନମାନସରେ ସେ ମନେ ରହିବେ। ଏଥିସହ ସେ ମହତାବ ଓ ଗୋ‌ପବନ୍ଧୁଙ୍କୁ ଜଗନ୍ନାଥଙ୍କ ଦୂତ ଭାବେ ବର୍ଣ୍ଣନା କରିଥିଲେ।

ସମ୍ମାନିତ ଅତିଥି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଯୋଗଦେଇ ‘ମିଳନୀ’ର ଉନ୍ନତି କାମନା ସହ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଥି‌ଲେ। ପ୍ରାରମ୍ଭରେ ମିଳନୀର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମିଳନୀର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ସହ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ‘ଜୀବନର ସଂଘର୍ଷମୟ କାହାଣୀ’ ଓ ‘ଆବର୍ଜନାର ଫୁଲ’ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ। ପରେ ଭଦ୍ରକ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନନ୍ଦନନ୍ଦନ ଦାସ, ବିନୋଦ ବିହାରୀ ପଲେଇ, ରମାକାନ୍ତ ରାଉତ, ହୃଷୀକେଶ ମଲ୍ଲିକ, ଅଶୋକ କୁମାର ମହାନ୍ତି ଓ ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଗୁରୁ ଜଗନ୍ନାଥ କୁଅଁରଙ୍କ ନିର୍ଦ୍ଦେଶନାରେ ନୃତ୍ୟ, ସଂଗୀତ ଓ ରଜ ଦୋଳି ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପୁରୁଷୋତ୍ତମ ବଳ, ନିରୋଦ ନାରାୟଣ ମହାନ୍ତି ଓ ଭାସ୍କର ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe