ଆରମ୍ଭ ହେବ ‌ହେପାଟାଇଟିସ୍ ନିରାକରଣ କାର୍ଯ୍ୟକ୍ରମ, ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଯୋଜନା

Advertisment

ଗର୍ଭବତୀ ମହିଳାଙ୍କ ବାଧ୍ୟତାମୂଳକ ହେପାଟାଇଟିସ୍ ପରୀକ୍ଷା

ଗର୍ଭବତୀ ମହିଳାଙ୍କ ବାଧ୍ୟତାମୂଳକ ହେପାଟାଇଟିସ୍ ପରୀକ୍ଷା

ଆରମ୍ଭ ହେବ ‌ହେପାଟାଇଟିସ୍ ନିରାକରଣ କାର୍ଯ୍ୟକ୍ରମ, ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଯୋଜନା

Drug Target Review

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ହେପାଟାଇଟିସ୍ ନିରାକରଣ କାର୍ଯ୍ୟକ୍ରମ। ହେପାଟାଇଟିସ୍‌ ରୋଗର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଯଦିଓ ଏହା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ତଥାପି ଏହାକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଭିତ୍ତିରେ ଜିଲ୍ଲାୱାରୀ ଏହାର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। କରୋନା ପାଇଁ ଏହି କାର୍ଯ୍ୟକ୍ରମ ଧିମେଇ ଯାଇଥିବା ବେଳେ ଆସନ୍ତା କିଛି ମାସ ଭିତରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି। ହେପାଟାଇଟିସ୍‌ ମୁଖ୍ୟତଃ ଏ, ବି, ସି, ଡି ଓ ଇ। ହେପାଟାଇଟିସ୍‌ ‘ଏ’ ଦୂଷିତ ପାଣି ଦ୍ବାରା ବ୍ୟାପିଥାଏ, ଯାହାକି ସାଧାରଣ ଭାବେ ଦେଖିବାକୁ ମିଳିଥାଏ। ମାତ୍ର ହେପାଟାଇଟିସ୍‌ ‘ବି’ ଓ ‘ସି’ ସଂକ୍ରମିତ ରକ୍ତ କିମ୍ବା ସିରିଞ୍ଜ ଜରିଆରେ କିମ୍ବା ଅସ୍ତ୍ରୋପଚାର ସମୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଥାଏ। ପରବର୍ତୀ ସମୟରେ ଏହା ଶରୀରରେ କର୍କଟ ଭଳି ବ୍ୟାଧି ସୃଷ୍ଟି କରିଥାଏ। ହେପାଟାଇଟିସ୍ ‘ବି’ର ଚିକିତ୍ସା ମଧ୍ୟ ବ୍ୟୟବହୁଳ। ରାଜ୍ୟରେ କେତେ ‌ସଂଖ୍ୟକ ଲୋକ ହେପାଟାଇଟିସ୍ ‘ବି’ ଓ ‘ସି’ରେ ଆକ୍ରାନ୍ତ ହେଉଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରୁ ବର୍ଷ ଶେଷକୁ ଯେଉଁ ତଥ୍ୟ ସବୁ ସ୍ବାସ୍ଥ୍ୟ ବିଭାଗକୁ ଆସୁଛି, ତାହା ମଧ୍ୟ ଅଧାପନ୍ତରିଆ। ତେଣୁ ହେପାଟାଇଟିସ୍ ଭଳି ଏକ ଜଟିଳ ରୋଗର ନିୟନ୍ତ୍ରଣ ତୃଣମୂଳସ୍ତରରେ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ବିଶେଷକରି ଗର୍ଭବତୀ ମହିଳାମାନଙ୍କ ବାଧ୍ୟତାମୂଳକ ଭାବେ ଏହି ପରୀକ୍ଷା କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଚିନ୍ତା କରୁଛନ୍ତି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜନସ୍ବାସ୍ଥ୍ୟ ଲାବୋରେଟାରି ପ୍ରତିଷ୍ଠା କରାଯାଇଛି। ଏସବୁ ଲାବୋରେଟାରିରେ ବ୍ଲଡ୍‌ କଲଚର୍‌ ସହ ଡେଙ୍ଗୁ, ଚିକିନ୍‌‌ଗୁନିଆ ଭଳି ରୋଗର ପରୀକ୍ଷା ହୋଇପାରିବ। ତେବେ ଏହାକୁ ସବ୍‌-ଡିଭିଜନ୍‌ ବା ଉପଖଣ୍ଡସ୍ତରରେ ଏଭଳି ଲାବୋରେଟାରି ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଫଳରେ ଲୋକମାନଙ୍କୁ ଆଉ ମେଡିକାଲ କଲେଜକୁ ଆସିବାକୁ ପଡ଼ିବ ନାହିଁ। ଜିଲ୍ଲାସ୍ତରରେ ଏହାର ଚିକିତ୍ସା ହୋଇପାରିବ। କାର୍ଯ୍ୟକ୍ରମ ଆରମ୍ଭ ହେଲେ ହେପାଟାଇଟିସ୍ ରୋଗର ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଓ ଔଷଧ ମହଜୁଦ୍ ରଖାଯିବ। ତେବେ ଲାବୋରେଟାରି ପ୍ରତିଷ୍ଠାଠାରୁ ଆରମ୍ଭ କରି ଏ ବାବଦ କେତେ ଟଙ୍କା ଖର୍ଚ କରାଯିବ, ଏଥିପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ମେଡିକାଲ କଲେଜସ୍ତରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଧାର୍ଯ୍ୟ ରହିଛି। ମାତ୍ର ମେଡିକାଲ କଲେଜସ୍ତରରେ ଏହି କାର୍ଯ୍ୟକ୍ରମ ସୀମିତ ରହିଲେ ତୃଣମୂଳସ୍ତରରେ କାର୍ଯ୍ୟକ୍ରମର ସଫଳତା ମିଳିବ ନାହିଁ। ତେଣୁ ଜିଲ୍ଲା ଓ ଉପଖଣ୍ଡସ୍ତରରେ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ଯୋଜନା କରାଯାଇଛି। ହେପାଟାଇଟିସ୍ ଏ’କୁ ବାଦ୍ ଦେଲେ ବି ଓ ସି’ର ଚିକିତ୍ସା ବ୍ୟୟବହୁଳ। ତେଣୁ ନୂତନ କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ହେପାଟାଇଟିସ୍‌ ପରୀକ୍ଷା‌ ହେବା ସହିତ ରାଜ୍ୟରେ କେତେ ସଂଖ୍ୟକ ଏଥିରେ ଆକ୍ରାନ୍ତ ହେଉଛନ୍ତି, ତାହାର ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିବ। କରୋନା ସଂକ୍ରମଣ ପାଇଁ କାର୍ଯ୍ୟକ୍ରମରେ ଶିଥିଳତା ଆସିଛି। ତେବେ ଆଗାମୀ ଦିନରେ ଏହାକୁ ଆରମ୍ଭ କରାଯିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe