image source-new indian express
କଟକ: ସ୍ବେରେଜ ଲାଇନ ସଫେଇ ବେଳେ ଭୁବନେଶ୍ବରରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଛି, ଏ ପର୍ଯ୍ୟନ୍ତ ଏ ବାବଦରେ କେତେ ଟଙ୍କା ପ୍ରଦାନ କରାଯାଇଛି, ସେ ନେଇ ଅବଗତ କରିବାକୁ ୱାଟର୍ କର୍ପୋରେସନ୍ ଅଫ୍ ଓଡ଼ିଶାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଭୁବନେଶ୍ବରରେ ପ୍ରାଣ ହରାଇଥିବା
ଶ୍ରମିକଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ଦିଆଯିବାକୁ ଥିବା ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ ବୋଲି ଆମିକସ୍କ୍ୟୁରି ଦର୍ଶାଇଥିଲେ। ଦୁଇ ପୀଡ଼ିତ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଅବଶିଷ୍ଟ କ୍ଷତିପୂରଣ ବାବଦ ଅର୍ଥ କର୍ମଚାରୀ କ୍ଷତିପୂରଣ ଅଦାଲତରେ ଜମା କରାଯାଇଛି ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ଏଥି ସହିତ ଏ ସଂପର୍କତ ଜନସ୍ବାର୍ଥମାମଲାର ୱାଟର୍ କର୍ପୋରେସନକୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ମାର୍ଚ୍ଚ ୧୯ରେ ଭୁବନେଶ୍ବରର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବରବାଗରେ ସ୍ବେରେଜ ଟାଙ୍କି ସଫେଇ ବେଳେ ଦୁଇ ଶ୍ରମିକଙ୍କ ପ୍ରାଣହାନୀ ଘଟଣାରେ ଏପ୍ରିଲ ୧୯ରେ ହାଇକୋର୍ଟ କ୍ଷତିପୂରଣ ପ୍ରଦାନ ସଂପର୍କରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ମାମଲାରେ ଆମିକସ୍କ୍ୟୁରି ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି. ରଥଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ।
Follow Us