ଆଜି ୫୦୦ ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ର ହିନ୍ଦୀ ରୂପାନ୍ତର

Advertisment
ଆଜି ୫୦୦ ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ର ହିନ୍ଦୀ ରୂପାନ୍ତର

ଭୁବନେଶ୍ୱର : ଆଜି ସାରା ଦେଶର ୫ ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ ଚଳଚ୍ଚତ୍ରର ହିନ୍ଦୀ ରୂପାନ୍ତର। ସେଥିପାଇଁ ପୂରା ଟିମ୍ ମୁମ୍ବାଇ ଗସ୍ତରେ ଥିବା ବେଳେ ଆସନ୍ତାକାଲି ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ସୋ’ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ଉପସ୍ଥିତ ରହି ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଦର୍ଶକଙ୍କ ସହ ସାମିଲ ହେବେ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍‌ଡିବି ରେଟିଂରେ ୯.୭ ପାଇ ଦକ୍ଷିଣୀ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି।

୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ‘ଦମନ’। ରାଜ୍ୟର ୪୩ଟି ହଲ୍‌ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା। ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ। ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ନିକଟରେ ଏହାର ହିନ୍ଦୀ ଡବିଂ ଟ୍ରେଲର ରିଲିଜ୍ ପରେ ବଲିଉଡ ତାରକା ଅଜୟ ଦେବଗନ, ବିଦ୍ୟୁତ ଜାମୱାଲ୍‌, ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ସମେତ ବହୁ ତାରକା ସିନେମାର ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe