ଭୁବନେଶ୍ବର: ରସୁଲଗଡ଼ରୁ କଳ୍ପନା, ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ରାସ୍ତା। ଯାତ୍ରୀବାହୀଠାରୁ ଆରମ୍ଭ କରି ମାଲବାହୀ, ଦୁଇଚକିଅ, ଚାରିଚକିଆ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଏହି ରାସ୍ତା ଦେଇ ଯା’ଆସ କରୁଛି। ଯେହେତୁ ଏହି ରାସ୍ତାର ନିର୍ଭରଶୀଳତା ବଢ଼ିଚାଲିଛି, ଦିନକୁ ଦିନ ଏହି ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଲୋକେ ପ୍ରତିଦିନ ଭିଡ଼ରେ ଘଣ୍ଟା ଘଣ୍ଟା ଫସୁଛନ୍ତି, କଲବଲ ହେଉଛନ୍ତି। ସକାଳ-ସଂଧ୍ୟା, ସବୁବେଳେ ସମାନ ସ୍ଥିତି। ସଂଧ୍ୟାରେ ସ୍ଥିତି ଏତେ ଜଟିଳ ହୋଇପଡ଼ୁଛି ଯେ ରସୁଲଗଡ଼ରୁ କଳ୍ପନା ପହଞ୍ଚିବାକୁ ଲୋକେ ନାକେଦମ ହେଉଛନ୍ତି। ଏହି ଭିଡ଼ରୁ ବର୍ତ୍ତିବା ପାଇଁ ଚାଳକମାନେ ଗଳିକନ୍ଦିରେ ପଶୁଛନ୍ତି, ସାହି ରାସ୍ତାରେ ଭିଡ଼ ବଢ଼ାଉଛନ୍ତି।
The groom: ବାଟ ଛାଡ଼ିଲେନି ବରଯାତ୍ରୀ
ଏହି ଭିଡ଼ର ପ୍ରମୁଖ କାରଣ ହେଉଛି, ମନଇଛା ରାସ୍ତା ଉପରେ ଦୁଇଚକିଆ ଓ ଚାରିଚକିଆ ପାର୍କିଂ। କାର୍ଠାରୁ ଆରମ୍ଭ କରି ଅନ୍ୟ ବଡ଼ ବଡ଼ ଗାଡ଼ି ରାସ୍ତା ଉପରେ ବେପରୁଆ ଭାବେ ପାର୍କିଂ ହେଉଛି। ସେପଟେ ଯେଉଁ ଦୋକାନୀମାନେ ବ୍ୟବସାୟ କରୁଛନ୍ତି, ସେମାନେ ରାସ୍ତା ଉପରକୁ ମାଡ଼ି ଆସିଲେଣି। ରାସ୍ତା ଉପରେ ବେପାର କଲେଣି। କୋହଳ ଏନ୍ଫୋର୍ସମେଣ୍ଟ କାରଣରୁ ଏମାନଙ୍କ ସାହସ ବି ଦିନକୁ ଦିନ ବଢ଼ିଚାଲିଛି। ରାସ୍ତାରେ ଗାଡ଼ି ସଂଖ୍ୟାର ଚାପ ବି ବଢ଼ିଚାଲିଛି।
ସେପଟେ ଏହି ଭିଡ଼ ଯନ୍ତ୍ରଣାରୁ ମୁକ୍ତି ପାଇଁ ରାସ୍ତାର ସଂପ୍ରସାରଣ ନଚେତ୍, ରସୁଲଗଡ଼-ଖଣ୍ଡଗିରି ଫ୍ଲାଏଓଭର ଭଳି ରସୁଲଗଡ଼ରୁ କଳ୍ପନା ଏକ ଫ୍ଲାଏଓଭର କରିବାକୁ ଦାବି ହୋଇ ଆସୁଛି। କିନ୍ତୁ ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି। ଓଲଟା ଏହି ରାସ୍ତାରୁ ସତ୍ୟନଗର, ଆଇଡିବିଆଇ ଛକକୁ ଫ୍ଲାଏ ଓଭର କରି ଭିଡ଼କୁ ବଢ଼ାଇ ଦିଆଯାଇଛି। ଯେଉଁମାନେ ସତ୍ୟନଗର, ଆଇଡିବିଆଇ ଛକ ପାର୍ଶ୍ବରୁ ଆସୁଛନ୍ତି, ସେମାନେ ଫ୍ଲାଏଓଭରରୁ ଓହ୍ଲାଇ ଗାଡ଼ି ବୁଲାଇ ଯିବାବେଳେ ଫ୍ଲାଏଓଭର୍ର ଦୁଇପାର୍ଶ୍ବ ସର୍ଭିସ୍ରୋଡ୍ରେ ଯା’ଆସ କରୁଥିବା ଗାଡ଼ି ଅଟକୁଛନ୍ତି ଓ ଭିଡ଼ ବଢ଼ାଉଛନ୍ତି। ଅନେକ ସମୟରେ ଲୋକେ ରଙ୍ଗ୍ ରୁଟ୍ରେ ଯା’ଆସ କରୁଛନ୍ତି, ଯାହା ଦୁର୍ଘଟଣାର ଭୟ ବଢ଼ାଉଛି।
ରସୁଲଗଡ଼ ଛକରୁ କଳ୍ପନା ଛକ ଦେଇ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସଂଖ୍ୟାରେ ବସ୍ ଯା’ଆସ କରୁଛି। ବିଶେଷ କରି ବିଶ୍ବପ୍ରସିଦ୍ଧ ପୁରୀକୁ ଏହି ରାସ୍ତା ଦେଇ ଶହଶହ ଗାଡ଼ିମୋଟର ପ୍ରତିଦିନ ଚଳାଚଳ କରୁଛି। ଏହି ରାସ୍ତାରେ ଭୁବନେଶ୍ବର ରେଳଷ୍ଟେସନ୍ ପଡ଼ୁଥିବାରୁ ଦେଶ ବିଦେଶର ଯାତ୍ରୀମାନେ ବି ଯା’ଆସ କରୁଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଯା’ଆସ କରୁଥିବା ଯାତ୍ରୀ କଳ୍ପନା ଛକ ଦେଇ ଯା’ଆସ କରୁଛନ୍ତି। ଏ ଦୃଷ୍ଟିରୁ ଏହି ରାସ୍ତା ଅନେକ ଗୁରୁତ୍ବ ବହନ କରୁଛି। ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରସୁଲଗଡ଼ରୁ କଳ୍ପନା ଭିତରେ ୪ଟି ଟ୍ରାଫିକ୍ ଛକ ରହିଛି ସତ, କିନ୍ତୁ ଲୋକଙ୍କୁ ଭାଗ ଭାଗ କରି ଛାଡ଼ିବା ବେଳେ ରସୁଲଗଡ଼ ପାର୍ଶ୍ବ ଓ କଳ୍ପନା ପାର୍ଶ୍ବ ରାସ୍ତା ଏତେ ଭିଡ଼ ହୋଇଯାଉଛି ଯେ ଟ୍ରାଫିକ୍ ପୁଲିସ ବି ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ସର୍ବାଧିକ ଭିଡ଼ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଓ ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହୁଛି। ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି, ରାସ୍ତାର ଦୁଇପାର୍ଶ୍ବରେ ବେଆଇନ ପାର୍କିଂ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/29/untitled-6-2026-01-29-06-48-29.jpg)