ପତ୍ନୀଙ୍କ ଶବ ଦେଖି ସ୍ବାମୀ ବିଷ ପିଇଦେବା ଘଟଣା: ୧୫ଦିନ ପରେ ଆଖିବୁଜିଲେ ସଂଜୟ

Advertisment

ରହସ୍ୟରେ ରହିଗଲା ଦମ୍ପତିଙ୍କ ମୃତ୍ୟୁ

ରହସ୍ୟରେ ରହିଗଲା ଦମ୍ପତିଙ୍କ ମୃତ୍ୟୁ

ପତ୍ନୀଙ୍କ ଶବ ଦେଖି ସ୍ବାମୀ ବିଷ ପିଇଦେବା ଘଟଣା: ୧୫ଦିନ ପରେ ଆଖିବୁଜିଲେ ସଂଜୟ

ଭୁବନେଶ୍ବର: ଆଖି ଆଗରେ ପତ୍ନୀଙ୍କ ଶବ ଦେଖି ବିଷ ପିଇ ଜୀବନ ହାରିବାକୁ ଚେଷ୍ଟା କରିଥିବା ସ୍ବାମୀ ସଂଜୟ ପେରିୱାଲ (୪୫)ଙ୍କ ମୃତ୍ୟୁ ହୋଇଛି। ଗତ ୧୫ ଦିନ ହେଲା ଚିକିତ୍ସିତ ହେଉଥିବା ସଂଜୟ ଗତକାଲି ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ସଂଜୟଙ୍କ ମୃତ୍ୟୁ ପରେ ଏହି ବହୁଚର୍ଚ୍ଚିତ ମାମଲା ଅଧିକ ରହସ୍ୟାବୃତ୍ତ ହୋଇପଡ଼ିଛି। ଲକ୍ଷ୍ମୀସାଗର ସିଦ୍ଧେଶ୍ବରୀ ଆପାର୍ଟମେଣ୍ଟରେ ରହୁଥିବା ଏହି ଦମ୍ପତିଙ୍କ ଜୀବନରେ ଏମିତି କି’ ଝଡ଼ ଆସିଲା ଯେ ଦୁହେଁ ଏତେବଡ଼ ପଦକ୍ଷେପ ନେଇଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂଜୟଙ୍କ ମୁହଁରୁ ପତ୍ନୀ ସଂଜନାଙ୍କ ଆତ୍ମହତ୍ୟାର କାରଣ ଶୁଣିବା ପାଇଁ ପୁଲିସ୍‌ ଅପେକ୍ଷା କରିଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ତେଣୁ ଏହି ମାମଲାର ତଦନ୍ତ କରିବା ପୁଲିସ୍‌ ପାଇଁ ଆହ୍ବାନପୂର୍ଣ୍ଣ ହୋଇଯାଇଛି।

ସୂଚନା ମୁତାବକ, ଦୀର୍ଘ ଦିନ ହେବ ପତ୍ନୀ ଓ ଦୁଇ ପିଲାଙ୍କ ସହ ସଞ୍ଜୟ ସିଦ୍ଧେଶ୍ବରୀ ଆପାର୍ଟମେଣ୍ଟର ୪୦୫ ନମ୍ବର ରୁମ୍‌ରେ ରହୁଥିଲେ। ଚିନ୍ତାମଣିଶ୍ବରରେ ତାଙ୍କର ଏକ ହୋ‌ଲସେଲ୍‌ ଦୋକାନ ଥିଲା। ଗତ ୧୫ ତାରିଖ ଦିନ ପିଲା ସ୍କୁଲ୍‌କୁ ଯିବା ପରେ ଦମ୍ପତି ଦୋକାନକୁ ବାହାରିଥିଲେ। କିନ୍ତୁ ସଂଜନା କୌଣସି କାରଣରୁ ଅଟକି ଯାଇଥିଲେ। ପରେ ଯିବେ ବୋଲି କହି ସଞ୍ଜୟଙ୍କୁ ଦୋକାନକୁ ପଠାଇ ଦେଇଥିଲେ। ଦିନ ପାଖାପାଖି ୧୨ଟା ପର୍ଯ୍ୟନ୍ତ ସେ ଦୋକାନକୁ ନ ଆସିବାରୁ ସଞ୍ଜୟ ଫୋନ୍‌ କରିଥିଲେ। କିନ୍ତୁ ବାରମ୍ବାର କଲ୍‌ ପରେ ମଧ୍ୟ ଉତ୍ତର ନ ମିଳିବାରୁ ସଂଜୟଙ୍କ ସନ୍ଦେହ ହୋଇଥିଲା ଓ ସେ ପୁତୁରା ଶୁଭମ୍‌ଙ୍କୁ ଘରକୁ ପଠାଇଥିଲେ।

ଶୁଭମ୍‌ ଘରକୁ ଯାଇ ଦେଖିବା ବେଳକୁ ସଂଜନାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ଖବର ପାଇ ସଞ୍ଜୟ ଘରେ ପହଞ୍ଚିଥିଲେ। ଆଖି ଆଗରେ ପତ୍ନୀଙ୍କ ଶବ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାର କିଛି ସମୟ ପରେ ସେ ବାଥ୍‌ରୁମ୍‌ରେ ଥିବା କ୍ଲିନର୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ସଞ୍ଜୟଙ୍କୁ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଦୁଇ ଦିନ ତଳେ ସଂଜୟଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe