ନଦୀପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ବାଲି ତଳେ ଦବିଯାଇଛି ପୁଲିସ୍ ତଦନ୍ତ!

Advertisment
ନଦୀପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ବାଲି ତଳେ ଦବିଯାଇଛି ପୁଲିସ୍ ତଦନ୍ତ!

Pragativadi

ଭୁବନେଶ୍ବର: କୁଆଖାଇ ନଦୀପଠା‌ରେ ୫ ଫୁଟ୍‌ ବାଲି ତଳୁ ଜଣେ ଯୁବକଙ୍କ ଶବ ମିଳିବାକୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। କିନ୍ତୁ ଏଯାବତ୍‌ ଏହି ଆପରାଧିକ ଘଟଣା ଉପରୁ ପୁଲିସ୍ ପରଦା ଉଠାଇ ପାରିନାହିଁ। ଶବକୁ ବ୍ୟବଚ୍ଛେଦ କରାଇବା, ରାଜ୍ୟ ଓ ରାଜ୍ୟ ବାହାରର ଥାନାଗୁଡ଼ିକୁ ମୃତକଙ୍କ ଫଟୋ ପଠାଇବା ବ୍ୟତୀତ ପୁଲିସ୍‌ ତଦନ୍ତ ବିଶେଷ ଆଗକୁ ବଢ଼ି ପାରିନାହିଁ। ଏପରିକି ପୁଲିସ୍‌ ଏଯାବତ୍‌ ମୃତକଙ୍କ ପରିଚୟ ମଧ୍ୟ ଜାଣିପାରିନାହିଁ।
ସୂଚନାନୁଯାୟୀ, ଗତ ବର୍ଷ ଜୁଲାଇ ମାସ ୨୦ ତାରିଖ ସଂଧ୍ୟାରେ ଜରିପାଟଣା ବରିମଣ୍ଡ ଗାଁ ପାଖ କୁଆଖାଇ ନଦୀପଠାରେ ୫ଫୁଟ୍‌ ବାଲି ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତକଙ୍କ ଉଚ୍ଚତା ୫ଫୁଟ୍‌ ୮ଇଞ୍ଚ ଓ ବୟସ ପାଖାପାଖି ୧୮ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଥିଲା।

ମୃତଦେହ ନିକଟରୁ କଳା ରଙ୍ଗର ଏକ ହାପ୍‌-ପ୍ୟାଣ୍ଟ, ଫୁଲ୍‌-ପ୍ୟାଣ୍ଟ, ଫୁଲ୍‌-ସାର୍ଟ, ଚପଲ ଓ ସୁନା କାନଫୁଲ ମିଳିଥିଲା। ଖବର ପାଇ ସେତେବେଳର ଡିସିପି ଉମାଶଙ୍କର ଦାସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇଥିଲେ। ପୁଲିସ ନଦୀପଠାରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲା, କିନ୍ତୁ କିଛି ବି ସୁରାକ୍‌ ପାଇ ନଥିଲା। ରାତି ତମାମ ପୁଲିସର ଏକ ଟିମ୍ ସେଠାରେ ଶବକୁ ଜଗି ରହିଲେ। ପରଦିନ ସକାଳୁ ପୁଣିଥରେ ପୁଲିସ ତା’ର ତଦନ୍ତ ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବାଲି ତଳୁ ମୃତଦେହକୁ ବାହାର କରିଥିଲା ପୁଲିସ। ପରେ ମୃତଦେହର ବ୍ୟବଚ୍ଛେଦ ଲାଗି ଏମ୍ସ ପଠାଯାଇଥିଲା। ଏନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ୪୨/୨୧ରେ ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା। କିନ୍ତୁ ଘଟଣାକୁ ବର୍ଷକରୁ ଅଧିକ ସମୟ ହୋଇଯାଇଥିଲେ ହେଁ ପୁଲିସ୍‌ ପର୍ଦାଫାସ୍‌ କରିପାରିନାହିଁ। ସତେଯେମିତି ପୁଲିସର ତଦନ୍ତ ସେହି ନଦୀପଠା ବାଲି ତଳେ ଦବି ହୋଇ ରହିଯାଇଛି।

ବାଲି ତଳୁ ଶବ ମିଳିଥିବାରୁ, କେହି ସଂପୃକ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ପୋତି ଦେଇଛି ବୋଲି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପୁଲିସ ମଧ୍ୟ ସେହି ଦିଗକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲା। କମିସନରେଟ୍‌ ପୁଲିସ୍‌ ଅଧୀନରେ ଥିବା ଥାନାଗୁଡ଼ିକରେ ୧୮ବର୍ଷୀୟା କୌଣସି ଯୁବକଙ୍କ ନିଖୋଜ ମାମଲା ରୁଜୁ ହୋଇଛି କି’ ନାହିଁ, ସେନେଇ ମଞ୍ଚେଶ୍ବର ଥାନା ଛାନ୍‌ଭିନ୍‌ ଆରମ୍ଭ କରିଥିଲା। କିନ୍ତୁ ସେଥିରୁ ପୁଲିସ୍‌କୁ ସଫଳତା ମିଳି ନଥିଲା। ତେଣୁ ପୁଲିସ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରେ ଥିବା ଥାନା ଓ ଫାଣ୍ଡିକୁ ମୃତ ଯୁବକଙ୍କ ଫଟୋକୁ ପଠାଇଥିଲା। କିନ୍ତୁ ଏଯାଏ କୌଣସି ଥାନାରୁ କିଛି ବି ରିପୋର୍ଟ ଆସିନାହିଁ, କେହି ବି ଯୁବକଙ୍କୁ ଚିହ୍ନି ପାରୁନାହାନ୍ତି। ପରିଚୟ ମିଳୁ ନଥିବାରୁ ପୁଲିସ ତଦନ୍ତ ମଧ୍ୟ ଧିମେଇ ଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ କ’ଣ ଆସିଛି, ତାହା ମଧ୍ୟ ପୁଲିସ ସ୍ପଷ୍ଟ କରିନାହିଁ। ପାରିପାର୍ଶ୍ବିକ ପରିସ୍ଥିତିରୁ ତାହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। କେହି ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ନଦୀପଠା‌ ବାଲିରେ ଶବକୁ ପୋତି ଦେଇଥିବା ସନ୍ଦେହ କରାଯାଇଥିଲା। ଏ ସମ୍ପର୍କରେ ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର ସୁଧୀର ସାହୁ କହିଛନ୍ତି, ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ଏଯାଏ କୌଣସି ପ୍ରମାଣ ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe